‘ମୁଖ୍ୟମନ୍ତ୍ରୀଙ୍କ ଆଗରେ ହାତ ପତାଉଛି, ମୋ ପୁଅକୁ ବଞ୍ଚାଇ ଦିଅ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 2, 2021

‘ମୁଖ୍ୟମନ୍ତ୍ରୀଙ୍କ ଆଗରେ ହାତ ପତାଉଛି, ମୋ ପୁଅକୁ ବଞ୍ଚାଇ ଦିଅ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):“ମୋ ପୁଅ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଗରେ ହାତ ପତାଉଛି। ସବୁଦିନ ମରି ମରି ବଞ୍ଚୁଛି ମୋ ପୁଅ । ଯାହାକୁ ଜନ୍ମ ଦେଇଛି ତା’ର କଷ୍ଟ ସହି ପାରୁନି । ତାକୁ ଦେଖି ଆମ ବଞ୍ଚିବା ବି ମରିବା ସହ ସମାନ । ପୁଅକୁ ବଞ୍ଚାଇବାକୁ ଦରକାର ୧୬ କୋଟିର ଇଞ୍ଜେକସନ ।”  କୋହଭରା କଣ୍ଠରେ ଏପରି କହି ନବୀନ ନିବାସ ଆଗରେ ନିଜ ପୁଅର ଜୀବନ ଭିକ୍ଷା କରୁଛି ଗୋଟିଏ ବେସହାରା ମା’ ।

ନା ପୁଅକୁ ଭଲ କରିପାରୁଛନ୍ତି, ନା ପୁଅର କଷ୍ଟ ଆଖିରେ ଦେଖି ପାରୁଛନ୍ତି । ତଥାପି ପୁଅର ଜୀବନ ପାଇଁ ଶେଷ ଯାଏ ଲଢ଼ିବାକୁ ପଣ କରି ନବିନ ନିବାସ ଆଗରେ ବସି ରହିଛନ୍ତି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଅଧୀନ ଆମ୍ବପଡ଼ା ଛକର ବାସିନ୍ଦା ହେଉଛନ୍ତି କୁଳମଣି ରଣା ଏବଂ ତମଲିକା ଦାସ।

କୁଳମଣି ରଣା ଏକ ଘରୋଇ ସଂସ୍ଥାରେ ଡେଲିଭେରୀ ବୟ ଭାବେ କାର୍ଯ୍ୟ କରୁଥିବା ବେଳେ ତମଲିକା ହେଉଛନ୍ତି ଗୃହିଣୀ। ସଂସାର କହିଲେ ୧୯ ମାସର  ପୁଅ ରାଜଭିର ରଣା । ପୁଅ ଆସିବା ପରଠୁ ହସଖୁସିରେ ପୂରି ଉଠୁଥିଲା ସଂସାର। ହେଲେ ସହିଲାନି ଦଇବ ।

ପୁଅ ରାଜବୀର ପାଇଁ ନବୀନ ନିବାସ ସମ୍ମୁଖରେ ଜୀବନ ଭି଼କ୍ଷା କରୁଛନ୍ତି ବାପାମା’ ।

କିଛି ଦିନ ପୂର୍ବେ ପୁଅର ଦେହ ଖରାପ ହେବାରୁ ଡାକ୍ତରଙ୍କ ପାଖକୁ ନେଇଥିଲେ। ସେଠାରେ ଯାହା ଶୁଣିଲେ ପାଦ ତଳୁ ମାଟି ଖସିଗଲା। ପୁଅ ଦୁରାରୋଗ୍ୟ  SMAରେ ଆକ୍ରାନ୍ତ ହୋଇଥିବା ଡାକ୍ତର କହିବା ପରେ ସତେ ଯେପରି କୁଳମଣି ଓ ତମଲିକାଙ୍କ ସଂସାରରେ କଳା ବାଦଲ ଘୋଟି ଯାଇଛି। ଏଠାରେ ତାର ଦେହ ଦିନକୁ ଦିନ ଅଧିକ ଅସୁସ୍ଥ ହେବାରୁ ଶିଶୁକୁ ନେଇଁ ବାଙ୍ଗାଲୋର ଯାଇଥିଲେ ।

ରାଜବୀର ରଣା ସ୍ପାଇନାଲ୍ ମସ୍କୁଲାର୍ ଆଟ୍ରୋଫି(SMA) ରୋଗରେ ପୀଡ଼ିତ  ହୋଇଥିବା ବେଳେ ତାର ଚିକିତ୍ସା ପାଇଁ ZOLGENSMA ନାମକ ଏକ ଇଞ୍ଜେକ୍ସନର ଆବଶ୍ୟକତା ରହିଛି । ଯାହାର ମୂଲ୍ୟ ୧୬ କୋଟି ଟଙ୍କା । ଏପରି ଶୁଣିବା  ପରେ ଓଡ଼ିଶା ଫେରି ଆସିଛନ୍ତି ଏହି ଦମ୍ପତ୍ତି । ଏହା ଭାରତରେ ଉପଲବ୍ଧ ନ ଥିବା ବେଳେ ଏହାକୁ ବିଦେଶରୁ ଆଣିବାକୁ ପଡ଼ିବ ।  ନଚେତ କେଉଁ ମୁହୂର୍ତ୍ତରେ କିଛି ବି ଘଟିପାରେ ବୋଲି ଶୁଣାଇ ଦେଇଛନ୍ତି ଡାକ୍ତର ।

ଏତେ ଟଙ୍କା ଯୋଗାଡ଼ କରିବା କୁଳମଣି ଓ  ତମଲିକାଙ୍କ ପାଇଁ  ଏକ ପ୍ରକାର ଅସମ୍ଭବ ଥିବାରୁ ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଛନ୍ତି। ପୁଅର କଷ୍ଟକୁ ସହି ନ ପାରି ସେମାନଙ୍କ ଆଖିରୁ ଲୁହ ଶୁଖୁନି।   ଧୈର୍ଯ୍ୟ ନ ହରାଇ ନିଜକୁ ସମ୍ଭାଳି ଶେଷ ପର୍ଯ୍ୟନ୍ତ ପୁଅକୁ ବଞ୍ଚାଇବାକୁ ଚେଷ୍ଟା ଜାରି ରଖିବେ ବୋଲି ପଣ କରିଛନ୍ତି ଏହି ବେସହାରା ବାପାମା’।

ପୁଅର ରୋଗ ନେଇ ମାସେରୁ ଅଧିକ ସମୟ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରି କରିଥିଲେ ବି କିଛି ଫଳ ମିଳିନି । ଓଲଟା ଗୋଟିଏ ପିଲା ପାଇଁ କାହିଁକି ୧୬ କୋଟି ଟଙ୍କା ଖଟାଇବୁ ବୋଲି ଜଣେ  ଅଧିକାରୀ ରୋକଠୋକ ଶୁଣାଇ ଦେଇଥିବା କହିଛନ୍ତି ତମଲିକା ।

ଡିସିପି ଓ ଅନ୍ୟ ବରିଷ୍ଠ ଅଧିକାରୀ ରାଜବୀରଙ୍କ ପରିବାରକୁ ବୁଝାଶୁଝା କରୁଛନ୍ତି।

ଏନେଇ ସେ କହିଛନ୍ତି, ମୋ ସ୍ୱାମୀ ଫୁଡ ଡେଲିଭରି ବୟ । ଆମେ ଗରୀବ ଲୋକ ।  ମୋ ଛୁଆ ବିନା ଇଞ୍ଜେକସନରେ ବଞ୍ଚିବନି। ଆମେ ସବୁବେଳେ ମରୁଛୁ। ତେଣୁ ଘରେ ମରିବା ଅପେକ୍ଷା ଏଠି ମରୁ । ଆଉ ୩ ମାସ ସମୟ ଅଛି। ଏହା ମଧ୍ୟରେ ଇଞ୍ଜେକସନ ନ ମିଳିଲେ ମୋ କୋଳ ଖାଲି ହୋଇଯିବ । ତେଣୁ ଏଠାକୁ ଚାଲି ଆସିଛୁ।

ଏନେଇ ରାଜବୀରର ପିତା  କୁଳମଣି କହିଛନ୍ତି,  ଛୁଆକୁ ଘରେ ରଖିଲେ ବି ଆମକୁ କଷ୍ଟ ହେଉଛି । ତାକୁ ଦେଖିଲେ ଆମକୁ ବହୁତ କଷ୍ଟ ହେଉଛି। ଏ ପର୍ଯ୍ୟନ୍ତ ବହୁତ ଗୁହାରୀ କଲୁଣି । କିଛି ବି ଉତ୍ତର ଆସୁନି । ଜିଲ୍ଲାପାଳ ପାଖକୁ ଯାଇଥିଲୁ। କିଛି ଉତ୍ତର ପାଇଲୁନି। ଶେଷ ଭରସା ଟିକକ ପାଇଁ ଏଠାକୁ ଆସିଛୁ।

ପୁଅକୁ ଘରେ ରଖି ତିଳ ତିଳ ମରିବା ଅପେକ୍ଷା ସାହାଯ୍ୟ ଆଶାରେ ନବୀନ ନିବାସ ଧାଇଁ ଆସିଥିବା ଏହି ଦମ୍ପତ୍ତି ଦୀର୍ଘ ସମୟ ପାଇଁ ଧାରଣାରେ ବସିଥିଲେ।  ପ୍ରାୟ ୨ ଘଣ୍ଟା ଧରି ଧାରଣା ଦେବା ପରେ ଡିସିପି ଏବଂ କ୍ୟାପିଟାଲ ହସ୍ପିଟାଲର ଜଣେ ଡାକ୍ତର ଆସି ବୁଝାସୁଝା କରିଥିଲେ । ପରେ ଗୋଟିଏ ଆମ୍ବୁଲାନ୍ସ ଡାକି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି। ସେଠାରେ ସବୁ ଚିକିତ୍ସା ସୁବିଧା ମିଳିବ ବୋଲି ପ୍ରତିଶ୍ରୁତି ବି ଦିଆଯାଇଛି।

 

The post ‘ମୁଖ୍ୟମନ୍ତ୍ରୀଙ୍କ ଆଗରେ ହାତ ପତାଉଛି, ମୋ ପୁଅକୁ ବଞ୍ଚାଇ ଦିଅ’ appeared first on Odisha Reporter.



from Odisha Reporter https://ift.tt/3ogkHKv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages