ବେଙ୍ଗାଲୁରୁ: ଭାରତର ପ୍ରଥମ ଓମିକ୍ରନ ଆକ୍ରାନ୍ତ ପଜିଟିଭ ସତ୍ତ୍ୱେ ଦୁବାଇ ଚାଲି ଯାଇଛନ୍ତି। ଏହି ୬୬ ବର୍ଷୀୟ ବ୍ୟକ୍ତି ଜଣଙ୍କ ନଭେମ୍ବର ୨୦ରେ କର୍ଣ୍ଣାଟକାର ବେଙ୍ଗାଲୁରୁ ଆସିଥିଲେ। ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲେ ମଧ୍ୟ ସେ ୭ ଦିନ ପରେ ବିମାନ ଯୋଗେ ଦୁବାଇ ଚାଲି ଯାଇଛନ୍ତି। ତାଙ୍କ ନମୁନାର ଜେନୋମ ସିକ୍ୱେନ୍ସିଂ ପରେ ସେ ଓମିକ୍ରନ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଥିଲା।
ବ୍ରୁହାଟ ବେଙ୍ଗାଲୁରୁ ମହାନଗର ପାଳିକା(ବିବିଏମପି) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ୟକ୍ତି ଜଣଙ୍କ ଦକ୍ଷିଣ ଆଫ୍ରିକାରୁ ନେଗେଟିଭ ଆରଟି-ପିସିଆର ରିପୋର୍ଟ ଧରି ବେଙ୍ଗାଲୁରୁକୁ ଆସିଥିଲେ। ଏଥିସହ ସେ ଟିକାର ଦୁଇଟି ଯାକ ଡୋଜ୍ ମଧ୍ୟ ନେଇଥିଲେ। ସେ ହୋଟେଲକୁ ଯିବା ପରେ ପୁଣି ଟେଷ୍ଟ କରାଯାଇଥିଲା।
ଏହି ସମୟରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ସରକାରୀ ଡାକ୍ତର ହୋଟେଲରେ ପହଞ୍ଚିଲା ବେଳକୁ ତାଙ୍କର କୌଣସି ଲକ୍ଷଣ ଦେଖାଯାଇ ନଥିଲା। ଫଳରେ ତାଙ୍କୁ ଏକାନ୍ତବାସରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ନଭେମ୍ବର ୨୨ରେ ତାଙ୍କ ନମୁନା ସଂଗ୍ରହ କରାଯିବା ସହ ଜେନୋମ ସିକ୍ୱେନ୍ସିଂ ପାଇଁ ପଠା ଯାଇଥିଲା।
ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ୨୪ ଜଣଙ୍କର ଟେଷ୍ଟ ମଧ୍ୟ କରାଯାଇଥିଲା। ହେଲେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ସେହିପରି ସେକେଣ୍ଡାରୀ କଣ୍ଟାକ୍ଟ ଭାବେ ୨୪୦ ଜଣଙ୍କର ଟେଷ୍ଟ ମଧ୍ୟ ପ୍ରଶାସନ କରିଛି। ସେମାନଙ୍କର ରିପୋର୍ଟ ବି ନେଗେଟିଭ ଆସିଛି।
ଏସବୁ ଭିତରେ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ନଭେମ୍ବର ୨୭ ରାତି ପ୍ରାୟ ୧୨.୩୪ରେ ଗୋଟିଏ କ୍ୟାବ ଯୋଗେ ଏୟାରପୋର୍ଟରେ ପହଞ୍ଚିଥିଲେ। ସେଠାରୁ ସେ ଦୁବାଇ ଚାଲି ଯାଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ହିଁ ସେ ମାରାତ୍ମକ ଓମିକ୍ରନ ଭାରିଏଣ୍ଟରେ ସଂକ୍ରମିତ ବୋଲି ଜଣାପଡ଼ିଥିଲା। ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏ ସମ୍ପର୍କରେ ଅବଗତ କରାଯାଇଛି।
ଏଠି ପ୍ରଶ୍ନ ଉଠୁଛି ବ୍ୟକ୍ତି ଜଣଙ୍କ ପଜିଟିଭ ଥିବା ସତ୍ତ୍ୱେ କେମିତି ହୋଟେଲରୁ ବାହାରିଲେ ଓ କ୍ୟାବ ବୁକ କରି ଏୟାରପୋର୍ଟ ଗଲେ? ଏକାନ୍ତବାସରେ ଥିବା ବେଳେ କ’ଣ ପ୍ରଶାସନ ତାଙ୍କ ଗତିବିଧି ଉପରେ ନଜର ରଖି ନଥିଲା? ଏୟାରପୋର୍ଟ ଅଧିକାରୀମାନେ କ’ଣ ତାଙ୍କର ସ୍କ୍ରିନିଂ କରି ନଥିଲ? କ୍ୟାବ୍ ଡ୍ରାଇଭର ଜଣଙ୍କ ଏବେ କେଉଁଠି? କ’ଣ ତାଙ୍କୁ ଠାବ କରି ଟେଷ୍ଟ କରାଯାଇଛି? ଏପରି ଅନେକ ପ୍ରଶ୍ନ ଏବେ ଉଠିବା ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ ବେଙ୍ଗାଲୁରୁରେ ଆଉ ଜଣେ ୪୬ ବର୍ଷୀୟ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଓମିକ୍ରନ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସି ଆଉ ୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସମସ୍ତଙ୍କୁ ଏକାନ୍ତବାସରେ ରଖାଯାଇଥିବା ବେଳେ ଜେନୋମ ସିକ୍ୱେନ୍ସିଂ ପାଇଁ ନମୁନା ପଠାଯାଇଛି।
ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ଟିକାର ଦୁଇଟି ଯାକ ଡୋଜ୍ ନେଇଥିଲେ। ସେହିପରି ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରୀ ନାହିଁ। ନଭେମ୍ବର ୨୧ରେ ତାଙ୍କୁ ଜ୍ୱର ହେବା ସହ ଗୋଡ଼ ହାତ ବିନ୍ଧିଥିଲା। ଏହାର ଦିନକ ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା।
ହସ୍ପିଟାଲରେ ୩ ଦିନ ରହିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ହସ୍ପିଟାଲରେ ଥିବା ବେଳେ ହିଁ ତାଙ୍କ ନମୁନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠା ଯାଇଥିଲା। ଏହି ପରୀକ୍ଷାରୁ ସେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି।
ତାଙ୍କ ସଂସ୍ପର୍ଶରେ ସିଧାସଳଖ ୧୩ ଜଣ ଆସିଥିବା ବେଳେ ୨୫୦ ଜଣଙ୍କୁ ସେକେଣ୍ଡାରୀ କଣ୍ଟାକ୍ଟ ଭାବେ ଚିହ୍ନଟ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
The post ପଜିଟିଭ ସତ୍ତ୍ୱେ ଭାରତର ପ୍ରଥମ ଓମିକ୍ରନ ଆକ୍ରାନ୍ତ କେମିତି ଦୁବାଇ ଗଲେ? appeared first on Odisha Reporter.
from Odisha Reporter https://ift.tt/3de4gb4
No comments:
Post a Comment