ମିଳିତ ଜାତିସଂଘ: ଆମେରିକାରେ ଥିବା ମିଳିତ ଜାତିସଂଘର ମୁଖ୍ୟାଳୟ ବାହାରୁ ନ୍ୟୁୟର୍କ ପୁଲିସ ଜଣେ ବନ୍ଧୁକଧାରୀକୁ ଗିରଫ କରିଛି। ବେଶ କିଛି ସମୟ ଛକାପଞ୍ଝା ଓ ଆତଙ୍କ ପରେ ଉକ୍ତ ବ୍ୟକ୍ତିକୁ ପୁଲିସ୍ କାବୁ କରିବାକୁ ସକ୍ଷମ ହୋଇଛି। ମୁଖ୍ୟାଳୟ ବାହାରେ ବନ୍ଧୁକଧାରୀ ଜଣକ କିଛି ସମୟ ଆତଙ୍କ ସୃଷ୍ଟି କରିଥିବାରୁ ସ୍ଥାନୀୟ ଅଞ୍ଚଳକୁ କର୍ଡନ ମଧ୍ୟ କରାଯାଇଥିଲା।
ମିଳିତ ଜାତିସଂଘର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, ବିଲଡିଂର ମୁଖ୍ୟ ଫାଟକ ନିକଟରେ ବ୍ୟକ୍ତି ଜଣଙ୍କ ବନ୍ଧୁକ ଧରି ଛିଡ଼ା ହୋଇଥିଲେ। ଏହାପରେ ସେ ନିଜକୁ ନିଜେ ଗୁଳି କରିଦେବେ ବୋଲି ଧମକ ଦେବା ଆରମ୍ଭ କରିଥିଲେ।
ଖବର ପାଇ ସୁରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ପୂରା ଅଞ୍ଚଳକୁ କର୍ଡନ କରିଥିଲେ। ହେଲେ ବ୍ୟକ୍ତି ଜଣଙ୍କ ଉପର ତଳ ହେବା ସହ ଦୀର୍ଘ ୨ ଘଣ୍ଟା କାଳ ବନ୍ଧୁକ ଧରି ଆତଙ୍କ ସୃଷ୍ଟି କରିଥିଲେ। ଶେଷରେ ପୁଲିସ୍ ତାଙ୍କୁ ବୁଝାସୁଝା କରିଥିଲା। ପ୍ରାଥମିକ ଅବସ୍ଥାରେ ସେ କିଛି ବୁଝି ନଥିଲେ। କେବଳ ନିଜକୁ ଗୁଳି କରିଦେବେ ବୋଲି ଧମକ ଦେଇଥିଲେ। ତେବେ ଦୀର୍ଘ ୨ ଘଣ୍ଟାର ପରିଶ୍ରମ ପରେ ବ୍ୟକ୍ତି ଜଣଙ୍କ ପୁଲିସ୍ ହାତରେ ଧରା ଦେଇଥିଲେ। ପୁଲିସ୍ ତାଙ୍କୁ ଗିରଫ କରିବା ସହ ଅଧିକ ପଚରାଉଚରା କରୁଛି।
ବନ୍ଧୁକଧାରୀ ଜଣଙ୍କ ଗିରଫ ହେବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ସେହିପରି ମିଳିତ ଜାତିସଂଘର କୌଣସି ମିଟିଂ ମଧ୍ୟ ଏହି ଘଟଣା ପାଇଁ ପ୍ରଭାବିତ ହୋଇନି। ତେବେ ବ୍ୟକ୍ତି ଜଣଙ୍କ କାହିଁକି ନିଜକୁ ଜାତିସଂଘ ବାହାରେ ଗୁଳି କରିବାକୁ ଚାହୁଁଥିଲେ ସେକଥା ଏଯାଏ ଜଣାପଡ଼ିନି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।
ପୁଲିସ୍ କେବଳ ଗିରଫ କଥା କହିଛି। ହେଲେ ପୂରା ଘଟଣା ସମ୍ପର୍କରେ କୌଣସି ସୂଚନା ଦେଇନାହିଁ।
The post ଜାତିସଂଘ ମୁଖ୍ୟାଳୟ ବାହାରୁ ବନ୍ଧୁକଧାରୀ ଗିରଫ appeared first on Odisha Reporter.
from Odisha Reporter https://ift.tt/3po0yBx
No comments:
Post a Comment