ସୁନ୍ଦରଗଡ଼ (ବିଜୟ ବରୁଆ): କଂଗ୍ରେସ ଛାଡ଼ିବେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ। ଆଜି ଅପରାହ୍ନ ସାଢ଼େ ୩ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏ ସଂପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିବେ ବୋଲି କହିଛନ୍ତି।
ଡାକ୍ତର ମାଝୀ କହିଛନ୍ତି, ଏହି ନିଷ୍ପତ୍ତି ହଠାତ୍ ନିଆଯାଇନି। ମୋ ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ସହିତ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ହୋଇଛି। ମୋ ସହିତ ମୋର ସମର୍ଥକ ଓ ଶୁଭେଚ୍ଛୁ ବି ଦଳ ଛାଡ଼ିବେ। ଆମକୁ ଦଳ ଅଣଦେଖା ଓ ଅବହେଳା କରିଛି। ତେଣୁ କେତେ ଦିନ ଆଉ ପଡ଼ି ରହିବୁ।
ସେ କହିଛନ୍ତି, ୨୦୧୯ ନିର୍ବାଚନରେ ହାରିବା ପରଠାରୁ ଦଳ ମୋତେ ପ୍ରତାରିତ ଓ ଅପମାନିତ କରି ଆସୁଛି। ତା’ ପୂର୍ବରୁ ବି ମୁଁ ଯେଉଁ ଦାବି କରିଥିଲି, ସେଗୁଡ଼ିକୁ ପୁରଣ କରାଯାଇ ନଥିଲା। ଓଲଟି ଅପମାନିତ କରାଯାଇଥିଲା। ଦଳ ଭିତରେ ଅନ୍ତଦ୍ୱର୍ନ୍ଦ୍ୱ ରହଛି। ଆମେ ବି ଏହାର ଶିକାର ହୋଇଛୁ। ଦଳୀୟ ଲୋକ ଯଦି ଆମ ବିରୋଧରେ ଯିବେ, ନିର୍ବାଚନ ସମୟରେ ଆମକୁ ସହଯୋଗ କରିବା ବଦଳରେ ଓଲଟା କାମ କରିବେ, ତା’ହେଲେ ଏ ଦଳରେ ରହି ଆମେ କେମିତି ଲୋକଙ୍କ ସେବା କରିବୁ।
ଡାକ୍ତର ମାଝୀ ଆହୁରି କହିଛନ୍ତି ଯେ କଂଗ୍ରେସ ଦଳରେ ଆଉ ସେହି ସ୍ଥିତି ନାହିଁ ଯେ ଏଥିରେ ରହି ହେବ। ତେଣୁ ଦଳ ତ୍ୟାଗ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ସେ ରାଜନୀତି ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କଂଗ୍ରେସ ଛାଡ଼ି ସେ ଅନ୍ୟ ଦଳରେ ଯୋଗ ଦେବେ। କିନ୍ତୁ କେଉଁ ଦଳରେ ଯୋଗ ଦେବେ ସେ ସଂପର୍କରେ କିଛି କହି ନାହାନ୍ତି। ସେ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରି ପାରନ୍ତି ବୋଲି କୁହାଯାଉଛି।
ସୁନ୍ଦରଗଡ଼ର ତଳସରା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟ୍ରେ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଡାକ୍ତର ପ୍ରଫୁଲ୍ଲ ମାଝୀ। ୨୦୦୬ରେ ଉପ-ନିର୍ବାଚନ ଲଢ଼ି ରାଜନୀତିକୁ ଆସିଥିଲେ ଡାକ୍ତର ମାଝୀ। ଏହା ପରେ ଯଥାକ୍ରମେ ୨୦୦୯ ଓ ୨୦୧୪ ନିର୍ବାଚନରେ ସେ ଏହି ଆସନରୁ ଜିତିଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ସେ ହାରି ଯାଇଥିଲେ।
The post କଂଗ୍ରେସ ଛାଡ଼ିବେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ appeared first on Odisha Reporter.
from Odisha Reporter https://ift.tt/3lFgP3T
No comments:
Post a Comment