ପାଟନା: ଛୋଟ ପିଲାଙ୍କ ଟିକାକରଣ ଆରମ୍ଭର ପ୍ରଥମ ଦିନରେ ବିଭ୍ରାଟ ଦେଖାଯାଇଛି। ବର୍ତ୍ତମାନ ଭାରତ ସରକାର ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ଅନୁମତି ଦେଇଛନ୍ତି। ସମଗ୍ର ଦେଶରେ କିଶୋର/କିଶୋରୀମାନଙ୍କୁ କୋଭାକ୍ସିନ ଟିକାର ଡୋଜ୍ ଦିଆଯାଉଛି।
ହେଲେ ବିହାରର ନାଳନ୍ଦାରେ ଦୁଇ କିଶୋର ଭାଇଙ୍କୁ କୋଭାକ୍ସିନ ବଦଳରେ କୋଭିସିଲ୍ଡ ଟିକା ଦିଆଯାଇଛି। ଟିକା ନେଇଥିବା ଦୁଇ ଭାଇଙ୍କ ପରିବାର ଲୋକ ଏବେ ସ୍ୱାସ୍ଥ୍ୟ ବିଭାଗର ବେପରୁଆ ଆଚରଣକୁ ଚିନ୍ତାରେ ପଡ଼ିଛନ୍ତି।
ଜଣେ କିଶୋର କହିଛନ୍ତି, ସେ ସୋମବାର ସକାଳ ପ୍ରାୟ ୧୦ଟାରେ ନାଲନ୍ଦାରେ ଥିବା ଆଇଏମଏ ହଲ ସ୍ଥିତ ଟିକାକରଣ କେନ୍ଦ୍ରକୁ ଯାଇଥିଲେ। ସେଠାରେ ପ୍ରଥମେ ପଞ୍ଜୀକରଣ ପ୍ରକ୍ରିୟା ଶେଷ କରାଯାଇଥିଲା। ଏହାପରେ ତାଙ୍କୁ ସ୍ୱାସ୍ଥ୍ୟ କର୍ମୀ ଟିକାର ଡୋଜ୍ ଦେଇଥିଲେ। ଏହି ସମୟରେ ତାଙ୍କ ଭାଇ ମଧ୍ୟ ଟିକା ନେଇଥିଲେ।
ତେବେ ଟିକାକରଣ କିଛି ସମୟରେ ଜଣାପଡ଼ିଥିଲା ଯେ ଦୁଇ ଭାଇଙ୍କୁ ସ୍ୱାସ୍ଥ୍ୟକର୍ମୀ କୋଭାକ୍ସିନ ବଦଳରେ କୋଭିସିଲ୍ଡ ଟିକା ଦେଇଛନ୍ତି। ଏ ସମ୍ପର୍କରେ ଦୁଇ ଭାଇଙ୍କ ପରିବାର ଲୋକ ସ୍ୱାସ୍ଥ୍ୟକର୍ମୀଙ୍କୁ ପଚାରିଥିଲେ। ହେଲେ କୋଭିସିଲ୍ଡ ଟିକା ନେଲେ କୌଣସି ପ୍ରକାରର ଅସୁବିଧା ନାହିଁ ବୋଲି କହି ସେ କଥା ବୁଲାଇବାକୁ ଚେଷ୍ଟା କରିଥିଲେ।
ହେଲେ ସରକାରଙ୍କ ଅନୁମତି ନଥିଲେ ମଧ୍ୟ କେମିତି ନାଳନ୍ଦାରେ କୋଭିସିଲ୍ଡ ଟିକା ଦିଆଗଲା, ତା’କୁ ନେଇ ପରିବାର ଲୋକ ଚିନ୍ତାରେ ପଡ଼ିଛନ୍ତି। ବିବାଦ ବଢ଼ିବାରୁ ଦୁଇ ଭାଇ ପରିବାର ଲୋକଙ୍କ ସହ ବରିଷ୍ଠ ମେଡିକାଲ ଅଧିକାରୀଙ୍କୁ ଦେଖା କରିବା ପାଇଁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।
ସେଠାରେ ଉଭୟଙ୍କୁ ଦେଢ଼ ଘଣ୍ଟା ନୀରକ୍ଷଣରେ ରଖାଯାଇଥିଲା। ଏହାପରେ ସେମାନଙ୍କୁ ଘରକୁ ଛଡ଼ା ଯାଇଛି। ଯଦି କୌଣସି ଅସୁବିଧା ହୁଏ, ତା’ହେଲେ ମେଡିକାଲ୍ ଟିମ୍ ସେମାନଙ୍କ ଘରକୁ ଯିବ ବୋଲି ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।
ଅନ୍ୟପକ୍ଷରେ ଟିକା ଦେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଛି। ଏଥିସହ ତାଙ୍କୁ ସ୍ପଷ୍ଟୀକରଣ ମଧ୍ୟ ମଗାଯାଇଛି। ତେବେ ତାଙ୍କୁ ନିଲମ୍ବିତ କରାଯାଇଛି କି ନାହିଁ, ସେକଥା ଜଣା ପଡ଼ିନି।
The post କୋଭାକ୍ସିନ ବଦଳରେ ଛୋଟ ପିଲାଙ୍କୁ ଦେଇଦେଲେ କୋଭିସିଲ୍ଡ appeared first on Odisha Reporter.
from Odisha Reporter https://ift.tt/3qINqru
No comments:
Post a Comment