କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଶନିବାର ନୂଆ ବର୍ଷର ପ୍ରଥମ ଦିନରେ ପିକ୍ନିକ୍ କରିବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ଆଉ ଆଜି ଗଡ଼ିଆରୁ ମିଳିଛି ମୃତଦେହ। ମୃତଦେହ ସହିତ ବାଇକ୍ ବି ମିଳିଛି। ଏମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ।
ମୃତକ ଦ୍ୱୟ ପାଟକୁରା ଥାନା ତଳଗାଁର। ସେମାନେ ହେଲେ- ଟ୍ରାକ୍ଟର ଡ୍ରାଇଭର ସୁବ୍ରତ ଜେନା ଓ ସନାତନ ପଟ୍ଟନାୟକ। ସେମାନଙ୍କ ମୃତଦେହ ମିଳିଛି କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ନିକଟସ୍ଥ ଏକ ଗଡ଼ିଆରୁ। ମୃତଦେହ ସହିତ ଗଡ଼ିଆ ଭିତରୁ ବାଇକ୍ଟିଏ ମଧ୍ୟ ଉଦ୍ଧାର କରାଯାଇଛି।
ଆଜି ସକାଳେ ସ୍ଥାନୀୟ ଲୋକେ ଗଡ଼ିଆରେ ମୃତଦେହ ଭାସୁଥିବା ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଦୁଇଟି ମୃତଦେହ ସହ ବାଇକ୍ଟିକୁ ଗଡ଼ିଆରୁ ବାହାର କରିଥିଲେ।
ଯୁବକ ଦ୍ୱୟଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ବ୍ୟବଚ୍ଛେଦ ପାଇଁ ଶବ ଦୁଇଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ପୁଲିସ୍ ଘଟଣାର ଖୋଳତାଡ଼ କରୁଛି। ଅନ୍ୟପକ୍ଷରେ ବିଳମ୍ବିତ ରାତିରେ ବାଇକ୍ରେ ଫେରୁଥିଲା ବେଳେ ସେମାନେ କୌଣସି କାରଣ ବଶତଃ ଗଡ଼ିଆ ଭିତରେ ପଶି ଯାଇଥିଲେ ବୋଲି କୁହାଯାଉଛି।
ମୃତ ସୁବ୍ରତଙ୍କ ବାପା କହିଛନ୍ତି ଯେ ପିକ୍ନିକ୍ ଯାଉଛି ବୋଲି କହି ସେ ଘରୁ ବାହାରି ଯାଇଥିଲା। ହେଲେ ରାତିରେ ନ ଫେରିବାରୁ ଆମେ ଫୋନ୍ କରିଥିଲୁ। ପ୍ରାୟ ୮ଟା ବେଳେ ଫୋନ୍ କଲା ବେଳେ ଗାଡ଼ି ମିଳୁନି ବୋଲି କହିଥିଲା। ତା’ପରେ ୯ଟା ପାଖାପାଖି ଫୋନ୍ କରିବା ବେଳେ ମୋବାଇଲ୍ ସୁଇଚ୍ ଅଫ୍ ଥିଲା। ସୁବ୍ରତ ଓ ସନାତନଙ୍କ ସହିତ ଆଉ କିଏ ଯାଇଥିଲେ, ସେ ଜାଣି ନାହାନ୍ତି ବୋଲି କହିଛନ୍ତି।
ଶ୍ୟାମସୁନ୍ଦରପୁରର ଅସିତ କୁମାର ଦାସ କହିଛନ୍ତି, ଆଜି ସକାଳେ ଆମ ଗାଁରେ ଗାଡ଼ିଆ ପାଖାପାଖି ଜଣେ ବ୍ୟକ୍ତି କିଛି ଖୋଜୁଥିବା ଆମେ ଦେଖିବାକୁ ପାଇଥିଲୁ। ପଚରାଉଚରା କଲା ବେଳେ ସେ କହିଥିଲେ ଯେ ସେମାନେ ତିନି ଜଣ ଗତକାଲି ବାଇକ୍ରେ ଯାଉଥିବା ବେଳେ ଏହି ସ୍ଥାନରେ ପଡ଼ି ଯାଇଥିଲେ। କିନ୍ତୁ ଅନ୍ୟ ଦୁଇ ଜଣଙ୍କୁ ସେ ପାଇ ନଥିଲେ। ଏହା ପରେ ଗଡ଼ିଆରେ ମୃତଦେହ ଭାସୁଥିବା ଦେଖି ଆମେ ପୁଲିସ୍କୁ ଖବର ଦେଇଥିଲୁ।
The post ପିକ୍ନିକ୍ କରିବାକୁ ଯାଇ ଫେରି ନଥିଲେ, ଗଡ଼ିଆରୁ ମିଳିଲା ବାଇକ୍ ଓ ମୃତଦେହ appeared first on Odisha Reporter.
from Odisha Reporter https://ift.tt/3zfB3qJ
No comments:
Post a Comment