ନୂଆଦିଲ୍ଲୀ: ନିକଟରେ ମୋଲନୁଭିରାଭିର ନାମକ କରୋନା ବଟିବାକୁ ଡିସିଜିଆଇ ଅନୁମତି ଦେଇଛି। ଏଥିସହ ଅନେକ ଔଷଧ ନିର୍ମାଣକାରୀ ସଂସ୍ଥା ଏହାକୁ ତିଆରି କରିବା ଆରମ୍ଭ କରିଛନ୍ତି। ହେଲେ ଦେଶର ଜାତୀୟ କୋଭିଡ ଚିକିତ୍ସା ପଦ୍ଧତିରେ ଏହି ବଟିକା ସାମିଲ ନ ହେବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଆଇସିଏମଆର ପକ୍ଷରୁ ମଧ୍ୟ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇ ଯାଇଛି। ଏଥିପାଇଁ ଜାତୀୟ କୋଭିଡ୍ କ୍ଲିନିକାଲ ପ୍ରୋଟକଲରେ ମୋଲନୁଭିରାଭିରକୁ ସାମିଲ କରାଯାଇ ନଥିବା ଆଇସିଏମଆର ଡିଜି ଡା ବଳରାମ ଭାର୍ଗବ କହିଛନ୍ତି।
ସେ କହିଛନ୍ତି, ମୋଲନୁଭିରାଭିର ବଟିକାକୁ ଚିକିତ୍ସା ପଦ୍ଧତିରେ ସାମିଲ କରାଯିବ କି ନାହିଁ, ତା’ ଉପରେ କୋଭିଡ ଟାସ୍କ ଫୋର୍ସ ବିତର୍କ କରିଥିଲା। ଏହାପରେ ଏହା ବିରୋଧରେ ସମସ୍ତେ ମତ ଦେଇଛନ୍ତି। ଲୋକଙ୍କ ସୁରକ୍ଷା ଦୃଷ୍ଟି କାରଣରୁ ଏପରି ନିଷ୍ପତ୍ତି ନିଆଯାଇଛି। ଆମେରିକାରେ ମାତ୍ର ୧୪୩୩ ଜଣ ଆକ୍ରାନ୍ତଙ୍କ ଉପରେ ବଟିକାର ପରୀକ୍ଷା କରାଯିବା ପରେ ଅନୁମତି ମିଳିଛି।
ଏହା ମଧ୍ୟମ ଧରଣର କରୋନା ଲକ୍ଷଣକୁ ମାତ୍ର ୩% ହ୍ରାସ କରିପାରୁଛି। ତଥାପି ଆମ ସମସ୍ତଙ୍କୁ ମନେ ରଖିବାକୁ ହେବ ଯେ ମୋଲନୁଭିରାଭିର କରୋନା ବଟିକା ସେବନ କରିବା ଦ୍ୱାରା ଅନେକ ଗୁରୁତର ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିପାରେ। ଏହା ଜେନେଟିକ ଓ ମାନସିକ ସ୍ଥିତି ଉପରେ କୁପ୍ରଭାବ ପାକାଇ ପାରେ।
ଏଥିସହ ଜଣେ ବ୍ୟକ୍ତିଙ୍କ ମାଂସପେଶୀକୁ ମଧ୍ୟ ଏହା ପ୍ରଭାବିତ କରିପାରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ଏହି ଔଷଧ ଜଣେ ବ୍ୟକ୍ତି କିମ୍ବା ମହିଳାଙ୍କୁ ଦିଆଯାଏ, ତା’ହେଲେ ସେମାନେ ୩ ମାସ ଯାଏ ଶାରିରୀକ ସମ୍ପର୍କ ରଖିବା ବେଳେ ପ୍ରୋଟେକସନ ବ୍ୟବହାର କରିବେ। କାରଣ ବଟିକା ଖାଇବାର ୩ ମାସ ମଧ୍ୟରେ ଗର୍ଭବତୀ ହେଲେ, ଏହାର କୁପ୍ରଭାବ ପିଲାର ମାନସିକ ସ୍ଥିତି ଉପରେ ପଡ଼ିବ। ତେଣୁ ଏସବୁ ସୁରକ୍ଷା ଦୃଷ୍ଟିରୁ ଜାତୀୟ କୋଭିଡ୍ ଚିକିତ୍ସା ପଦ୍ଧତିରେ ଏହାକୁ ସାମିଲ କରାଯାଇନି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ବ୍ରିଟେନ ମଧ୍ୟ ଏହାକୁ କ୍ଲିନିକାଲ ପ୍ରୋଟକଲରେ ସାମିଲ କରିନାହାନ୍ତି ବୋଲି ସେ କହିଛନ୍ତି।
ମେର୍କ ପକ୍ଷରୁ ବିକଶିତ କରାଯାଇଥିବା ଏହି କୋଭିଡ ବଟିକା ମୋଲନୁଭିରାଭିର ଖାଇଲେ ହସ୍ପିଟାଲରେ ଭର୍ତ୍ତି ହେବା ଓ ମୃତ୍ୟୁ ଆଶଙ୍କା ୫୦% ହ୍ରାସ ପାଇବ ବୋଲି କମ୍ପାନୀ ପ୍ରାଥମିକ ସ୍ତରରେ ଦାବି କରିଥିଲା। କରୋନା ଲକ୍ଷଣ ଦେଖାଯିବା ପରେ ଲୋକମାନେ ଏହି ବଟିକାକୁ ୫ ଦିନ ଖାଇବେ। ୫ ଦିନ ମଧ୍ୟରେ ଦିନକୁ ୮ଟି ଲେଖାଏ ହିସାବରେ ୪୦ଟି ବଟିକା ଖାଇବାକୁ ପଡ଼ିବ।
ଏହା ଲକ୍ଷଣକୁ ବନ୍ଦ କରିବା ସହ ଜଣେ କରୋନା ଆକ୍ରାନ୍ତକୁ ଶୀଘ୍ର ସୁସ୍ଥ କରି ଦେଉଥିବା କମ୍ପାନୀ କହିଛି। ଦୀପାବଳିରେ ବ୍ରିଟେନ ସରକାର ଏହି ବଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ଆମେରିକା ସରକାର ୩.୧ ମିଲିୟନ ମେର୍କ ବଟିକା ଓ ୧୦ ମିଲିୟନ ଫାଇଜର ବଟିକା ପାଇଁ ଅର୍ଡର କରିଛନ୍ତି।
The post ମୋଲନୁଭିରାଭିର ବଟିକାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲା ଆଇସିଏମଆର appeared first on Odisha Reporter.
from Odisha Reporter https://ift.tt/31tgwST
No comments:
Post a Comment