ନୂଆଦିଲ୍ଲୀ: କରୋନା ବିରୋଧରେ ଜାରି ରହିଥିବା ଲଢ଼େଇ ଭିତରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କିଶୋରଙ୍କୁ ଟିକା ନେଇ ଜନ୍ମବର୍ଷ ସଂଶୟକୁ ଦୂର କରିଛନ୍ତି କେନ୍ଦ୍ର ସରକାର। ୨୦୦୭ରେ ଜନ୍ମିତ ପିଲାଙ୍କୁ କରୋନା ଟିକା ଦିଆଯିବ। ଏନେଇ ବିଭିନ୍ନ ରାଜ୍ୟମାନଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ନିର୍ଦ୍ଦେଶକ ବିକାଶ ସିଲ୍ ଚିଠି ଲେଖି ସ୍ପଷ୍ଟ କରିଛନ୍ତି।
ଏଥିରେ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ଯେ, ୨୦୦୭ରେ ଯେଉଁ ପିଲା ଜନ୍ମ ହୋଇଥିବେ, ସେହି ପିଲାମାନେ କରୋନା ଟିକା ନେଇପାରିବେ। କେବଳ ୨୦୦୭ ନୁହଁନ୍ତି, ୨୦୦୫ ଏବଂ ୨୦୦୬ ମସିହାରେ ଜନ୍ମିତ ପିଲାଙ୍କୁ ମିଳିବ ଟିକା। ଯାହାଙ୍କୁ ୧୫ ବର୍ଷ ହୋଇଯାଇଛି କିମ୍ବା ୨୦୨୩ ଜାନୁୟାରୀ ୧ ସୁଦ୍ଧା ୧୫ ବର୍ଷ ବୟସ ହେବ, ତାଙ୍କୁ ବି ଟିକା ଦିଆଯାଇପାରିବ ବୋଲି ଚିଠିରେ ଦର୍ଶାଇଛନ୍ତି NHM ମିଶନ ନିର୍ଦ୍ଦେଶକ।
ପବିତ୍ର ଖ୍ରୀଷ୍ଟମାସ ଓ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୩ ତାରିଖରୁ ଦେଶରେ ୧୫ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବା ନେଇ ଘୋଷଣା କରିଥିଲେ। ମୋଦିଙ୍କ ଘୋଷଣା ପରେ ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କ ଟିକାକରଣ କରାଯାଉଛି। ସେହିପରି ଜାନୁଆରୀ ୧୦ରୁ ୬୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧି ରୋଗରେ ପୀଡ଼ିତ ଲୋକଙ୍କୁ ବୁଷ୍ଟର ଡୋଜ୍ ଦେବା ଆରମ୍ଭ କରାଯାଇଛି। ଡାକ୍ତରଙ୍କ ପରାମର୍ଶକ୍ରମେ ସେମାନେ ଟିକାର ବୁଷ୍ଟର ଡୋଜ୍ ବା ପ୍ରତିଷେଧମୂଳକ ଡୋଜ୍ ନେଇପାରିବେ। କରୋନାର ସମ୍ମୁଖଯୋଦ୍ଧାଙ୍କୁ ମଧ୍ୟ ଟିକାର ବୁଷ୍ଟର ଡୋଜ ଦିଆଯାଉଛି।
ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ୧୫ରୁ ୧୮ ବର୍ଷ ବର୍ଗଙ୍କୁ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକା ଦିଆଯାଉଛି। କାରଣ ଅକ୍ଟୋବର ମାସରେ ସବଜେକ୍ଟ ଏକ୍ସପର୍ଟ କମିଟି କୋଭାକ୍ସିନକୁ ୨ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କୁ ଦେବାକୁ ସୁପାରିସ କରିଛି। ଏହାକୁ ଆଧାର କରି ଭାରତ ସରକାର କୋଭାକ୍ସିନକୁ ହିଁ ବ୍ୟବହାର ପାଇଁ ଅନୁମତି ଦେଇ ପାରନ୍ତି।
The post ସଂଶୟ ଦୂର କଲା କେନ୍ଦ୍ର, ୨୦୦୭ରେ ଜନ୍ମିତଙ୍କୁ ମିଳିବ ଟିକା appeared first on Odisha Reporter.
from Odisha Reporter https://odishareporter.in/nation-world/those-born-in-years-2007-are-eligible-in-15-18-years-category-indias-vaccination-drive-709506
No comments:
Post a Comment