କରଞ୍ଜିଆ(ଦୀପକ କୁମାର ମହନ୍ତ): ହାଡ଼ ଭଙ୍ଗା ଶୀତରେ ଭଲ ଲୋକ ବି ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ହେଲେ ଏପରି ସମୟରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବଜାରର ରାସ୍ତା କଡ଼ରେ ଦେଖିବାକୁ ମିଳୁଛି ବ୍ୟତିକ୍ରମ । ୩ ମାସର ଛୁଆକୁ କେତେବେଳେ କୋଳରେ ଧରି ତ କେତେବେଳେ ରାସ୍ତା କଡ଼ରେ ଶୁଆଇଦେଇ ପରିବା ବେପାରରେ ମାତି ଯାଉଛନ୍ତି ଜଣେ ଅସହାୟ ମହିଳା। ନିଜର ବୋଲି ତାଙ୍କର କେହି ନାହାନ୍ତି। ତେଣୁ ଦିନ ସାରା ବଜାରରେ କଅଁଳା ଛୁଆକୁ ଧରି ପରିବା ବିକିବାରେ ବ୍ୟସ୍ତ ରହୁଛନ୍ତି ମହିଳାଜଣକ । କେତେବେଳେ କିଛି ଲାଭ ବାହାରୁଛି ତ କେତେବେଳେ ମୂଳ ବି ଚାଲି ଯାଉଛି। ତଥାପି ଭାଙ୍ଗି ନ ପଡ଼ି ପରଦିନ ସକାଳେ କିଛି ଭଲ ବେପାର ହେବା ଆଶାରେ ରହୁଛନ୍ତି।
କରଂଜିଆ ବ୍ଲକ ଅନ୍ତର୍ଗତ ତାଟ ଅଞ୍ଚଳର ଭୋଜତି ନାୟକ ନାମ୍ନୀ ମହିଳାଙ୍କ କାହାଣୀ ଅତି କରୁଣ । ଯାହାକୁ ଜୀବନସାଥୀ କରିଥିଲେ ସିଏ ପର କରିଦେଲା। ହାତ ଛାଡ଼ି କୁଆଡ଼େ ଗଲା ଯେ ପତ୍ତା ମିଳୁନି । କୋଳରେ ଏବେ ୩ ମାସର ଛୁଆ । ଭଲ ପାଇ ବିବାହ କରିଥିବାରୁ ପଚାରୁ ନାହାନ୍ତି ବାପ ଘର ଲୋକ । ଶେଷରେ ନିଜ ପେଟ ପୋଷିବା ସହ ୩ ମାସ ଛୁଆ ମୁହଁରେ ଆହାର ଦେବାକୁ କାହାରି ପାଖରେ ହାତ ନ ପତାଇ ରାସ୍ତାକୁ ଓହ୍ଲାଇବାକୁ ପଡ଼ିଲା ବୋଲି କହିଛନ୍ତି ମହିଳାଜଣକ।
ଏବେ ଭୋଜତି ଛତୁ ଏବଂ ପନିପରିବା ବ୍ୟବସାୟ କରୁଛନ୍ତି । ତାଙ୍କୁ ନା କୌଣସି ସରକାରୀ ସହାୟତା ମିଳି ପାରୁଛି ନା କାହାର ସାହାଯ୍ୟ। ଅସହାୟ ହୋଇଥିଲେ ମଧ୍ୟ ଭାଙ୍ଗି ପଡ଼ି ନାହାନ୍ତି କି କାହାରି ପାଖରେ ହାତ ପୋତାଇ ନାହାନ୍ତି । ଗୋଟିଏ ପଟେ କୋଳରେ ଛୁଆ ଥିବା ବେଳେ ପରିବା ପସରା ମେଲି ଗ୍ରାହକଙ୍କୁ ଓଜନ କରିଦେଉଛି ଜିନିଷ। ସେଥିରୁ କିଛି ପଇସା ରୋଜଗାର ହେଲେ ମା’ ଛୁଆ ଚଳିଯିବେ ବୋଲି ଆଶା ବି ରଖିଛନ୍ତି ଭୋଜତି । ବେଳେବେଳେ ଛୁଆକୁ ରାସ୍ତା କଡ଼ରେ ଶୁଆଇ ଦେଇ ଆଖପାଖକୁ କାମରେ ବି ଚାଲି ଯାଉଛନ୍ତି। ମୁଣ୍ଡ ଉପରେ ବିପଦ ଥିବା ଜାଣି ବି ଆଉ କିଛି ଉପାୟ ନ ଥିବା କୋହ ଭରା କଣ୍ଠରେ କହିଛନ୍ତି।
ସରକାରୀ ଯୋଜନା ବି ଏହି ମହିଳାଙ୍କ ପାଇଁ ସାତ ସପନ । ନା ମୁଣ୍ଡ ଉପରେ ଛାତ ଅଛି ନା ସରକାରଙ୍କ ଟଙ୍କିକିଆ ଚାଉଳର ଲାଭ ପାଇପାରୁଛନ୍ତି। ବହୁଥର ବ୍ଲକ ଅଫିସକୁ ଦୌଡ଼ି ଦୌଡ଼ି ନିରାଶ ହୋଇଥିବା କହିଛନ୍ତି।
ଏନେଇ ଭୋଜତିଙ୍କୁ ପଚାରିବାରୁ ଯାହାକୁ ଭରସା କରିଥିଲି, ଯାହା ହାତ ଧରିଥିଲା,ସିଏ ହାତ ଛାଡ଼ି ଦେଲା। ଏବେ ନିଜର ବୋଲି ମୋର କେହି ନାହାନ୍ତି। ଭଡ଼ା ଘର ନେଇ ମା’ ଛୁଆ ରହୁଛୁ। ଛୁଆକୁ କାହା ଭରସାରେ ଆଉ କୋଉଠି ଛାଡ଼ିବି। ତେଣୁ ତାକୁ ବି ଶୀତ କାକରରେ ଆଣି ରାସ୍ତା କଡ଼ରେ ଶୁଆଇବାକୁ ବାଧ୍ୟ ହେଉଛି।
The post ପେଟ ପାଇଁ ଅସହାୟ ମହିଳାଙ୍କ ସଂଘର୍ଷ, କୋଳରେ କଅଁଳା ଛୁଆକୁ ହାତରେ ଦଣ୍ଡି appeared first on Odisha Reporter.
from Odisha Reporter https://ift.tt/3zxmIWQ
No comments:
Post a Comment