ଇତିହାସ ରଚିଲା ବାଂଲାଦେଶ, ପ୍ରଥମଥର ନ୍ୟୁଜିଲ୍ୟାଣ୍ଡରେ ଟେଷ୍ଟ ମ୍ୟାଚ ଜିତିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 4, 2022

ଇତିହାସ ରଚିଲା ବାଂଲାଦେଶ, ପ୍ରଥମଥର ନ୍ୟୁଜିଲ୍ୟାଣ୍ଡରେ ଟେଷ୍ଟ ମ୍ୟାଚ ଜିତିଲା

ମାଉଣ୍ଟ ମଙ୍ଗନୁଇ: ଇତିହାସ ରଚିଛି ବାଂଲାଦେଶର କ୍ରିକେଟ ଟିମ୍‌। ସମସ୍ତଙ୍କୁ ଚକିତ କରି ବାଂଲାଦେଶ ପ୍ରଥମଥର ପାଇଁ ନ୍ୟୁଜିଲ୍ୟାଣ୍ଡ ମାଟିରେ ନ୍ୟୁଜିଲ୍ୟାଣ୍ଡକୁ କୌଣସି ଟେଷ୍ଟ ମ୍ୟାଚ୍‌ରେ ହରାଇ ଦେଇଛି। ଏହି ବିଜୟ ସହ ମୋମିନୁଲ ହକଙ୍କ ନେତୃତ୍ୱାଧୀନ ବାଂଲାଦେଶ  ନାଁରେ ଯୋଡ଼ି ହୋଇଯାଇଛି ଅନେକ କୀର୍ତ୍ତିମାନ। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନ ନ୍ୟୁଜିଲ୍ୟାଣ୍ଡକୁ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ଆଜି ୮ ୱିକେଟରେ ହରାଇଛି। ଏହି ବହୁପ୍ରତିକ୍ଷୀତ ବିଜୟ ପରେ ବାଂଲାଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।

ବାଂଲାଦେଶ ୨୦୦୧ରେ ପ୍ରଥମଥର ପାଇଁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲା। ଏହାପରେ ଅନେକ ଥର ଦଳ ସେଠାକୁ ମ୍ୟାଚ୍‌ ଖେଳିବାକୁ ଯାଇଥିଲେ ମଧ୍ୟ କେବେ ହେଲେ ବିଜୟ ହାସଲ କରିପାରି ନଥିଲେ। ସେହିପରି କ୍ରିକେଟର ବିଭିନ୍ନ ଫର୍ମାଟରେ ଦୁଇ ଦଳ ପରସ୍ପରକୁ ୩୨ ଥର ଭେଟିଥିଲେ।

ସବୁ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ହିଁ ଜିତି ଆସୁଥିଲା। ହେଲେ ନବବର୍ଷର ପ୍ରଥମ ଟେଷ୍ଟରେ ବାଂଲା ଟାଇଗର କ୍ୱିୱି ଟିମ୍‌କୁ ମାତ ଦେଇଛି। ୧୬ତମ ପ୍ରୟାସରେ ବାଂଲାଦେଶ କୌଣସି ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଛି। ସେହିପରି ୨୦୧୧ ପରେ ବାଂଲାଦେଶ ପ୍ରଥମ ଏସୀୟ ଦେଶ ଭାବେ ନ୍ୟୁଜିଲ୍ୟାଣ୍ଡକୁ ତା’ରି ମାଟିରେ ହରାଇବାରେ ରେକର୍ଡ କରିଛି।

ଶେଷଥର ପାଇଁ ୨୦୧୧ରେ ହାମିଲଟନରେ ଖେଳା ଯାଉଥିବା ମ୍ୟାଚ୍‌ରେ ପାକିସ୍ତାନ ୧୦ ୱିକେଟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା। ଖାଲି ସେତିକି ନୁହେଁ, ବାଂଲାଦେଶ ପ୍ରଥମଥର ପାଇଁ ଆଇସିସି ଟେଷ୍ଟ ରାଙ୍କିଙ୍ଗର ଟପ୍‌ ୫ରେ ଥିବା କୌଣସି ଟିମ୍‌କୁ ତା’ ଘରୋଇ ମାଟିରେ ମାତ ଦେଇଛି। ଏଥିସହ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ୨୩ ପଏଣ୍ଟ ମଧ୍ୟ ହାସଲ କରିଛି।

ମ୍ୟାଚ୍‌ କଥା ବିଚାରକୁ ନେଲେ ଦ୍ୱିତୀୟ ଇନିଂସ୍‌ରେ ଇବାଦତ ହୁସେନ ୬ ୱିକେଟ ନେଇଥିବା ବେଳେ ପ୍ରଥମ ଇନିଂସ୍‌ରେ ଦଳର ବ୍ୟାଟର୍ସମାନେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଉଭୟ ବୋଲର ଓ ବ୍ୟାଟର୍ସଙ୍କ ମିଳିତ ପ୍ରୟାସରେ ବାଂଲାଦେଶ ପ୍ରଥମ ଟେଷ୍ଟରେ ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡକୁ ହରାଇବା ପାଇଁ ସକ୍ଷମ ହୋଇଛି। ମ୍ୟାଚ୍‌ରେ ଦଳର ୧ନଂ ଅଲରାଉଣ୍ଡର ସାକିବ ଉଲ ହାସନ ଖେଳୁ ନଥିଲେ। ତଥାପି ବାଂଲା ଟାଇଗର କ୍ୱିୱି ଟିମ୍‌କୁ ନାକେଦମ କରିବାକୁ ସକ୍ଷମ ହୋଇଛି।

ଇବାଦତ ଦ୍ୱିତୀୟ ଇନିଂସରେ ୬ ୱିକେଟ ଦଖଲ କରିବାରୁ ନ୍ୟୁଜିଲ୍ୟାଣ୍ଡ ୧୬୯ ରନ୍‌ରେ ଅଟକି ଯାଇଥିଲା। ଫଳରେ ବାଂଲାଦେଶକୁ ଶେଷ ଦିନର ୪୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ତେବେ ଦଳ ଓପନର ଶଦମାନ ଇସଲାମ ଓ ପ୍ରଥମ ଇନିଂସ୍‌ର ହିରୋ ନଜମୁଲ ହୁସେନ ଶାଣ୍ଟୋଙ୍କୁ ହରାଇଥିଲା। ଏହାପରେ ଅଧିନାୟକ ମୋମିନୁଲ ଓ ଅଭିଜ୍ଞ ମୁଶଫିକର ରହିମ ଆଉ କୌଣସି କ୍ଷତି ଘଟାଇବାକୁ ଦେଇଥିଲେ। ରହିମ ଦ୍ରୁତ ବୋଲର କାୟେଲ ଜାମିସନଙ୍କୁ ଚୌକା ମାରି ବାଂଲାଦେଶକୁ ବହୁ ପ୍ରତିକ୍ଷୀତ ବିଜୟ ଭେଟି ଦେଇଥିଲେ।


ନ୍ୟୁଜିଲ୍ୟାଣ୍ଡ ୪ର୍ଥ ଦିନ ଶେଷ ସୁଦ୍ଧା ୫ ୱିକେଟ ହରାଇ ୧୪୭ ରନ୍‌ କରିଥିଲା। ଏଥିସହ ଦଳ ୧୭ ରନ୍‌ର ଲିଡ୍‌ ହାସଲ କରିଥିଲା। କିନ୍ତୁ ୫ମ ଦିନ ଆରମ୍ଭରୁ ବାଂଲାଦେଶ ଚମତ୍କାର ପ୍ରଦର୍ଶନ କରିଥିଲା ଓ ମାତ୍ର ୨୨ ରନ୍ ମଧ୍ୟରେ କ୍ୱିୱି ଟିମର ବଳକା ୫ ୱିକେଟ ଝଡ଼ାଇ ଦେଇଥିଲା।

ଆଜି ରସ ଟେଲର (୪୦) ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ ହୋଇଥିଲେ। ଇବାଦତ ହିଁ ତାଙ୍କର ଶିକାର କରିଥିଲେ। ଏହାପରେ ଜାମିସନ୍ କେବଳ ୨ ରନ୍ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ମଧ୍ୟ ଇବାଦତ ନେଇଥିଲେ। ୪ର୍ଥ ଦିନ ଶେଷ ସୁଦ୍ଧା ସେ ୪ଟି ୱିକେଟ ନେଇଥିବା ବେଳେ ଆଜି ଆଉ ୨ ସଫଳତା ହାସଲ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ।

ଇବାଦତଙ୍କ ବ୍ୟତୀତ ତସ୍କିନ ଅହମଦ ୩ଟି ସଫଳତା ପାଇଛନ୍ତି। ସେ ୫ମ ଦିନରେ ଅଲରାଉଣ୍ଡର ରାଚିନ୍ ରବୀନ୍ଦ୍ର(୧୬)ଙ୍କୁ ଆଉଟ କରିଥିଲେ। ପରେ ଟିମ ସାଉଦିଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ। ଶେଷ ବ୍ୟାଟସମ୍ୟାନ ଭାବେ ଟ୍ରେଣ୍ଟ ବୋଲ୍ଟ(୮)ଙ୍କୁ ଆଉଟ କରି ମେହେଦି ହାସନ ମିରାଜ ନ୍ୟୁଜିଲ୍ୟାଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଏଥିସହ ନ୍ୟୁଜିଲ୍ୟାଣ୍ଡର ପୂରା ଟିମ୍ ୧୬୯ରେ ଅଟକି ଯାଇଥିଲା।

ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ ୩୨୮ ରନ୍ କରିଥିଲା। ଏହାର ଜବାବରେ ବାଂଲାଦେଶ ମାମଦୁଲ ହାସନ ଜୟଙ୍କ ୭୮, ନଜମୁଲଙ୍କ ୬୪, ମୋମିନୁଲ ୮୮, ଲିଟନ ଦାସ ୮୬, ୟାସିର ଅଲୀଙ୍କ ୨୬ ଓ ମେହେଦି ହାସନ ମିରାଙ୍କ ଗୁରୁତ୍ୱପୂର୍ଣ୍ଣ ୪୭ ରନ୍ ବଳରେ ୪୫୮ ରନ୍ କରି ନେଇଥିଲା।

ଦ୍ୱିତୀୟ ଇନିଂସରେ ୬ଟି ଓ ପ୍ରଥମ ଇନିଂସରେ ଗୋଟିଏ ସଫଳତା ପାଇଥିବା ଇବାଦତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

The post ଇତିହାସ ରଚିଲା ବାଂଲାଦେଶ, ପ୍ରଥମଥର ନ୍ୟୁଜିଲ୍ୟାଣ୍ଡରେ ଟେଷ୍ଟ ମ୍ୟାଚ ଜିତିଲା appeared first on Odisha Reporter.



from Odisha Reporter https://ift.tt/3pWZvdu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages