ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କୋର୍ଟଙ୍କ ରାୟ ପରେ ବି ଗତକାଲି ସୁମିତଙ୍କ ଘରର ଗ୍ୟାରେଜରେ ରାତି କାଟିଛନ୍ତି ତପସ୍ୱିନୀ। ସୁମିତଙ୍କ ପରିବାର ପକ୍ଷରୁ ଯେଉଁ ଘର ଦିଆ ଯାଇଥିଲା, ତାହା ଜଣେ ମହିଳା ପାଇଁ ରହିବାକୁ ଅଯୋଗ୍ୟ ଥିଲା ବୋଲି ତପସ୍ୱିନୀ ଅଭିଯୋଗ କରିଛନ୍ତି। ତା’ ବଦଳରେ ସେ ସୁମିତଙ୍କ ବେଡରୁମରେ ରହିବାକୁ ଜିଦ୍ ଧରିଥିଲେ। ହେଲେ ସୁମିତଙ୍କ ପରିବାର ଲୋକେ ବେଡରୁମ୍ ଦେବା ସମ୍ଭବ ନୁହେଁ ବୋଲି ଦର୍ଶାଇଥିଲେ।
ପରିବାରରେ ସଦସ୍ୟଙ୍କ ସଂଖ୍ୟା ଅଧିକ ଓ ସେ ରୁମ୍ରେ ଜଣେ ହାର୍ଟ ପେସେଣ୍ଟ ରହୁଥିବାରୁ ଉପର ଘର ତପସ୍ୱିନୀଙ୍କୁ ଦିଆଯାଇଥିଲା ବୋଲି ସୁମିତଙ୍କ ଓକିଲ କହିଛନ୍ତି।
ସୁମିତଙ୍କ ଓକିଲ ସ୍ପଷ୍ଟ କରିଛନ୍ତି ଯେ, କୋର୍ଟ କହିଥିଲେ ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ତପସ୍ୱିନୀଙ୍କୁ ରହିବାକୁ ଦିଆଯାଉ। ସେହି ଅନୁସାରେ ତପସ୍ୱିନୀଙ୍କୁ ରହିବା ପାଇଁ ଉପର ଘର ଦିଆଯାଇଥିଲା।
ଅନ୍ୟପକ୍ଷରେ ତପସ୍ୱିନୀ କହିଛନ୍ତି, ସୁମିତଙ୍କୁ ବାହା ହୋଇ ଆସିବା ପରେ ଯେଉଁ ରୁମ୍ରେ ରହୁଥିଲି, ମୋତେ ସେହି ରୁମ୍ରେ ରହିବାକୁ ଅନୁମତି ଦିଆଯାଉ। ମୁଁ ଆଉ କେଉଁଠି ରହିବି ନାହିଁ। ଉପର ଘର ମୋ ପାଇଁ ଉପଯୁକ୍ତ ନୁହଁ କି, ସୁରକ୍ଷିତ ନୁହଁ, ମୁଁ ସେଠାରେ ରହିବି ନାହିଁ। ଉପର ଘରେ କୁକୁର ରହିବା ସମ୍ଭବ ନୁହେଁ , ସେଠି ମଣିଷ ରହିବା କିପରି ସମ୍ଭବ ବୋଲି ତପସ୍ୱିନୀ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ୪୪ ଦିନ ଧରି ସୁମିତଙ୍କ ଘର ଆଗରେ ତପସ୍ୱିନୀ ବସିବା ପରେ ଗତକାଲି ଗଞ୍ଜାମ ଜିଲ୍ଲା ଜଜ୍ କୋର୍ଟ ଶ୍ୱଶୁର ଘର ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ରହିବାକୁ ରାୟ ଶୁଣାଇଥିଲେ। ସୁମିତଙ୍କ ଓକିଲଙ୍କ ଆବେଦନକୁ ଖାରଜ କରିଦେଇଥିଲେ କୋର୍ଟ।
କୋର୍ଟଙ୍କ ରାୟ ନେଇ ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ କହିଥିଲେ, ତପସ୍ୱିନୀଙ୍କୁ ଚଳିବା ପାଇଁ ସୁମିତ ମାସିକ ୧୭,୦୦୦ ଟଙ୍କା ପ୍ରଦାନ କରିବେ। ତପସ୍ୱିନୀ ସେହି ଟଙ୍କା ଗ୍ରହଣ କରିବା ପରେ ଗୋଟିଏ ରସିଦ ସୁମିତଙ୍କୁ ପ୍ରଦାନ କରିବେ। ସୁମିତ ତାଙ୍କୁ ମାସର ୧୦ ତାରିଖ ସୁଦ୍ଧା ତାହା ପ୍ରଦାନ କରିବେ। ଡାକ୍ତର ସୁମିତ କିମ୍ୱା ତାଙ୍କ ପରିବାର ହେଉ ବା ତପସ୍ୱିନୀ କିମ୍ୱା ତାଙ୍କ ପରିବାର କାହାକୁ ଆକ୍ଷେପ ପ୍ରତିଆକ୍ଷେପ କରିବେ ନାହିଁ। ଉଭୟ ପରିବାର ପକ୍ଷରୁ କୌଣସି ବିଶୃଙ୍ଖଳା ସୃଷ୍ଟି କରିବେ ନାହିଁ।
କୋର୍ଟଙ୍କ ରାୟର କପି ବ୍ରହ୍ମପୁର ଏସ୍ପି, ସବ୍ କଲେକ୍ଟର, ପ୍ରୋଟେକସନ୍ ଅଫିସରଙ୍କ ପାଖକୁ ପଠାଇ ଦିଆଯାଇଛି। ସେମାନେ ତପସ୍ୱିନୀଙ୍କ ରହିବା ବ୍ୟବସ୍ଥା କରିବେ। ହେଲେ ଗତକାଲି କୋର୍ଟଙ୍କ ରାୟ ପରେ ମଧ୍ୟ ତପସ୍ୱିନୀ ଗ୍ୟାରେଜରେ ରାତି କଟାଇଛନ୍ତି।
The post ‘ଉପର ଘରେ କୁକୁର ରହିବା ସମ୍ଭବ ନୁହେଁ, ମୁଁ କିପରି ରହିବି ?’ appeared first on Odisha Reporter.
from Odisha Reporter https://ift.tt/3qSFYK6
No comments:
Post a Comment