ନ୍ୟୁୟର୍କ: ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ସହରର ଏକ ଆପାର୍ଟମେଣ୍ଟରେ ଗତକାଲି ଭୟାବହ ଅଗ୍ନିକାଣ୍ଡ ଘଟି ୯ ଛୁଆଙ୍କ ସମେତ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୬୦ରୁ ଊର୍ଦ୍ଧ୍ୱ ଲୋକ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ନ୍ୟୁୟର୍କ କମିଶନର ଡ୍ୟାନିଏଲ ନିଗ୍ରୋ କହିଛନ୍ତି।
ଗତକାଲି ଦିନ ପ୍ରାୟ ୧୧ଟାରେ ନ୍ୟୁୟର୍କ ସହରସ୍ଥିତ ବ୍ରୋନକ୍ସ ନାମକ ଏକ ୧୫ ମହଲା ବିଶିଷ୍ଟ ଆପାର୍ଟମେଣ୍ଟର ଦ୍ୱିତୀୟ ଓ ତୃତୀୟ ମହଲାରେ ଥିବା ଏକ ଡୁପ୍ଲେକ୍ସରେ ପ୍ରଥମେ ନିଆଁ ଲାଗିଥିଲା। ଆଖି ପିଛୁଳାକେ ଏହା ଅନ୍ୟ ମହଲାକୁ ବ୍ୟାପୀ ଯାଇଥିଲା।
ଖବର ପାଇ ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୨୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ। ମାତ୍ର ଅଗ୍ନିକାଣ୍ଡ ଖୁବ୍ ଭୟାବହ ଥିବାରୁ ଅଗ୍ନିଶମ କର୍ମଚାରୀଙ୍କୁ ବହୁତ ଅସୁବିଧା ହୋଇଥିଲା ବୋଲି କହିଛନ୍ତି ନ୍ୟୁୟର୍କ ମେୟର ଏରିକ ଏଡମ୍ସ।
ଏହି ଅଗ୍ନିକାଣ୍ଡକୁ ୧୯୯୦ ମସିହାରେ ହ୍ୟାପି ଲ୍ୟାଣ୍ଡ ସୋଶାଲ କ୍ଲବରେ ହୋଇଥିବା ଭୀଷଣ ଅଗ୍ନିକାଣ୍ଡ ସହ ତୁଳନା କରିଛନ୍ତି ନ୍ୟୁୟର୍କ କମିଶନର ଡ୍ୟାନିଏଲ ନିଗ୍ରୋ। ହ୍ୟାପି ଲ୍ୟାଣ୍ଡ ସୋଶାଲ କ୍ଲବରେ ଘଟିଥିବା ଅଗ୍ନିକାଣ୍ଡରେ ୮୭ ଜଣଙ୍କ ମୃତ୍ୟୁ ହୋଇଥିଲା। ପ୍ରେମିକାଙ୍କ ସହ ଝଗଡ଼ା ହେବାରୁ ଉତ୍ତ୍ୟକ୍ତ ହୋଇ ଜଣେ ବ୍ୟକ୍ତି ସେଠାରେ ନିଆଁ ଲଗାଇ ଦେଇଥିଲେ।
ବ୍ରୋନକ୍ସ ଆପାର୍ଟମେଣ୍ଟରେ ଘଟିଥିବା ଅଗ୍ନିକାଣ୍ଡ କାରଣ ଜଣାପଡ଼ିନି। ଏହାର ତଦନ୍ତ ଆରମ୍ଭ ହୋଇଛି । ଏହି ନିଆଁ ସମଗ୍ର ଆପାର୍ଟମେଣ୍ଟକୁ ବ୍ୟାପି ଯାଇଥିବା ବେଳେ ପ୍ରତି ଫ୍ଲୋରରୁ ଅଗ୍ନିଶମ କର୍ମଚାରୀ ଗୁରତରଙ୍କୁ ଉଦ୍ଧାର କରିଛନ୍ତି।
ସୂଚନାଯୋଗ୍ୟ, ଗତ ୫ ତାରିଖରେ ଆମେରିକାର ଫେଲାଡେଲଫିଆରେ ଥିବା ଗୋଟିଏ ୩ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କ ଜୀବନ ଯାଇଥିଲା। ମୃତକଙ୍କ ମଧ୍ୟରେ ୮ ଜଣ ଛୋଟ ପିଲା ମଧ୍ୟ ଥିଲେ।
The post ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୯ ଛୁଆଙ୍କ ସମେତ ୧୯ ଜଣଙ୍କ ଜୀବନ ଗଲା appeared first on Odisha Reporter.
from Odisha Reporter https://ift.tt/3qVIOhG
No comments:
Post a Comment