ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧୀ ଟିକା ନେବା ପାଇଁ ସାଧୁ ଓ ସନ୍ଥମାନଙ୍କୁ କୌଣସି ପରିଚୟପତ୍ରର ଆବଶ୍ୟକ ନାହିଁ। ସେହିପରି କୋୱିନ ଆପରେ ପଞ୍ଜୀକରଣ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି କେନ୍ଦ୍ର ସରକାର।
ଏବେ ସବୁ କାମରେ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଉଛି। ବିଶେଷ କରି ଟିକା ନେବା ବେଳେ ଲୋକଙ୍କୁ ଆଧାର କାର୍ଡ ଦେଖାଇବାକୁ କୁହାଯାଉଛି। ଏହା ବିରୋଧରେ ଆଗତ ଏକ ଆବେଦନର ଶୁଣାଣି ବେଳେ କେନ୍ଦ୍ର ସରକାର ନିଜର ପକ୍ଷ ରଖିଛନ୍ତି। ଏଥିସହ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି ପୁଣିଥରେ ଦୋହରାଇଛନ୍ତି।
ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠକୁ କେନ୍ଦ୍ର ସରକାର କହିଛନ୍ତି ଯେ ଟିକା ନେବାକୁ ଚାହୁଁଥିବା ଲୋକଙ୍କୁ ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ କାର୍ଡ, ପାସପୋର୍ଟ, ପେନସନ ପାସ୍ବୁକ, ଏନପିଆର ସ୍ମାର୍ଟ କାର୍ଡ, ଭୋଟର ପରିଚୟପତ୍ର, ରାସନ କାର୍ଡ, ୟୁନିକ ଡିଜାବିଲିଟି କାର୍ଡ କିମ୍ବା ଫଟୋ ସହ ଡିଜାବିଲିଟି ପ୍ରମାଣପତ୍ର ଭଳି ୯ଟି ଦସ୍ତାବିଜରୁ ଗୋଟିଏ ଦେଖାଇବାକୁ ପଡ଼ିବ।
କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ପରିଚୟପତ୍ର ନିୟମକୁ ବାଧ୍ୟତାମୂଳକ କରାଯାଇନି। ସବୁ ଧର୍ମର ସାଧୁ, ସନ୍ଥ, ଜେଲରେ ଥିବା କଏଦୀ, ମାନସିକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଲୋକ, ବୃଦ୍ଧାଶ୍ରମରେ ଥିବା ଲୋକ, ରାସ୍ତା କଡ଼ରେ ଭିକ ମାଗୁଥିବା ଲୋକ, ରିହାବିଲଟେସନ କେନ୍ଦ୍ରରେ ରହୁଥିବା ବ୍ୟକ୍ତି ବିନା ପରିଚୟପତ୍ର ଟିକା ନେଇପାରିବେ। ଏହି ବର୍ଗରେ ଥିବା ଲୋକମାନଙ୍କୁ ଟିକା ମଧ୍ୟ ଦିଆଯାଇଥିବା କେନ୍ଦ୍ର ସରକାର କହିଛନ୍ତି।
କେନ୍ଦ୍ର ସରକାରଙ୍କ ଓକିଲ ଅମନ ଶର୍ମା କହିଛନ୍ତି, “୨୦୨୨ ଫେବୃଆରୀ ୨ ସୁଦ୍ଧା ୧୧୫ କୋଟି ଲୋକ କୋୱିନ ଆପ୍ରେ ଟିକା ପାଇଁ ପଞ୍ଜୀକରଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୮୬.୫ କୋଟି ଲୋକ ଆଧାର କାର୍ଡ ଦେଖାଇଛନ୍ତି। ୮୭ ଲକ୍ଷ ଲୋକ ବିନା କୌଣସି ପରିଚୟପତ୍ର ଦେଖାଇ ପଞ୍ଜୀକରଣ କରିଛନ୍ତି ଓ ଟିକା ମଧ୍ୟ ନେଇଛନ୍ତି।”
ମହାରାଷ୍ଟ୍ରର ଗୋଟିଏ ଘରୋଇ ଟିକାକରଣ କେନ୍ଦ୍ର ଜଣେ ବ୍ୟକ୍ତିଙ୍କ ପାଖରେ ଆଧାର କାର୍ଡ ନଥିବାରୁ ତାଙ୍କୁ ଟିକା ଦେବାକୁ ମନା କରିଥିଲା। ହେଲେ ଏହି ବ୍ୟକ୍ତିଙ୍କ ପାଖରେ ବୈଧ ପାସପୋର୍ଟ ଥିଲା। ସେ ଏହାକୁ ଦେଖାଇ ଟିକା ନେବାକୁ ଚାହିଁଥିଲେ। କିନ୍ତୁ ଘରୋଇ ଟିକାକରଣ କେନ୍ଦ୍ର କିଛି ବି ଶୁଣି ନଥିଲା।
ଏହା ବିରୋଧରେ ବ୍ୟକ୍ତି ଜଣଙ୍କ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ବେଳେ କେନ୍ଦ୍ର ସରକାର ଉକ୍ତ ଘରୋଇ ଟିକାକରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାରାଷ୍ଟ୍ର ମୁଖ୍ୟ ସଚିବଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚିଠି ଲେଖିଥିବା ମଧ୍ୟ ସର୍ବୋଚ୍ଚ ଅଦାଲତଙ୍କୁ କହିଛନ୍ତି।
The post ସାଧୁ ଓ ସନ୍ଥଙ୍କ ପାଇଁ ପରିଚୟପତ୍ର ଦରକାର ନାହିଁ, ବିନା ଆଇଡିରେ ୮୭ ଲକ୍ଷ ଲୋକ ନେଇଛନ୍ତି ଟିକା appeared first on Odisha Reporter.
from Odisha Reporter https://ift.tt/j5RmdY2
No comments:
Post a Comment