ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ସୀମାରେ ବିପୁଳ ସଂଖ୍ୟାରେ ଯୁଦ୍ଧାସ୍ତ୍ର ଖଞ୍ଜି ୟୁକ୍ରେନକୁ ଭୟଭୀତ କରୁଥିବା ରୁଷ ଏବେ ଆଉ ଏକ ବଡ଼ ପଦକ୍ଷେପ ନେଇଛି। ୟୁକ୍ରେନରେ ଥିବା ଦୁଇଟି ବିଦ୍ରୋହୀ ଅଞ୍ଚଳ ବା କ୍ଷେତ୍ରକୁ ରୁଷ ପକ୍ଷରୁ ସ୍ୱାଧୀନ ଘୋଷଣା କରାଯାଇଛି। ଏହାର ଅର୍ଥ ଏହି ଦୁଇ ଅଞ୍ଚଳକୁ ରୁଷ ସ୍ୱତନ୍ତ୍ର ଦେଶ ଭାବେ ମାନ୍ୟତା ପ୍ରଦାନ କରିଛି।
ୟୁକ୍ରେନ ଅଧୀନରେ ଥିବା ଅଞ୍ଚଳକୁ ରୁଷ ଏପରି ମାନ୍ୟତା ପ୍ରଦାନ କରିବା ନୂଆ ବିବାଦ ସୃଷ୍ଟି କରିଛି। ଖାଲି ସେତିକି ନୁହେଁ, ମାନ୍ୟତା ପ୍ରଦାନ କରିବା ପରେ ୟୁକ୍ରେନର ଏହି ଦୁଇ ଅଞ୍ଚଳକୁ ରୁଷ ସରକାର ଯୁଦ୍ଧ ତୋପ ଓ ଯବାନ ମଧ୍ୟ ପହଞ୍ଚାଇଛନ୍ତି। ଏହାକୁ ନେଇ ୟୁକ୍ରେନ ଓ ଏହାକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ଭିତରେ ଯୁଦ୍ଧ ଆଶଙ୍କା ଆହୁରି ଘନୀଭୂତ ହୋଇଛି।
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶକୁ ସମ୍ବୋଧନ କରି ୟୁକ୍ରେନର ପୂର୍ବ ଭାଗରେ ଥିବା ଦୁଇଟି ଅଞ୍ଚଳକୁ ସ୍ୱାଧୀନତା ପ୍ରଦାନ କରିଛନ୍ତି। ପୁଟିନ କହିଛନ୍ତି, “ମୋର ବିଶ୍ୱାସ ଯେ ଡୋନେଟସ୍କ ପିପୁଲ୍ସ ରିପବ୍ଲିକ ଓ ଲୁଗାନସ୍କ ପିପୁଲ୍ସ ରିପବ୍ଲିକକୁ ସ୍ୱାଧୀନତା ଓ ସାର୍ବଭୌମତ୍ୱ ସ୍ୱୀକୃତି ଦେବା ପାଇଁ ଦୀର୍ଘ ଦିନ ହେଲା ବିଚାର ଚାଲିଥିଲା। ଏବେ ଏହି ଦୁଇ କ୍ଷେତ୍ରକୁ ସ୍ୱତନ୍ତ୍ର ସ୍ଥାନର ମାନ୍ୟତା ଦେବାର ଆବଶ୍ୟକ ରହିଛି।”
ଏହାପରେ ପୁଟିନ ସର୍ବସମ୍ମୁଖରେ ୟୁକ୍ରେନର ବିଦ୍ରୋହୀ ନେତାଙ୍କ ସହ ପାରସ୍ପରିକ ସହାୟତା ଚୁକ୍ତିନାମାରେ ଦସ୍ତଖତ କରିଛନ୍ତି। ଦୀର୍ଘ ସମୟ ଧରି ଦେଶକୁ ସମ୍ବୋଧନ କରିବା ପରେ ପୁଟିନ ଦେଶର ଉଚ୍ଚ ସଦନକୁ ଏହି ନିଷ୍ପତ୍ତି ଉପରେ ମୋହର ମାରିବାକୁ କହିଛନ୍ତି।
ମଙ୍ଗଳବାର ରୁଷର ଉଭୟ ନିମ୍ନ ଓ ଉଚ୍ଚ ସଦନ ଏହି ପ୍ରସ୍ତାବ ଉପରେ ଭୋଟ ଦେଇ ବିଧିବଦ୍ଧ ମାନ୍ୟତା ପ୍ରଦାନ କରିବେ।
ପୁଟିନ ନିଜ ଭାଷଣରେ ୟୁକ୍ରେନକୁ ମଧ୍ୟ କିଛି ପରାମର୍ଶ ଦେଇଛନ୍ତି। ରୁଷ ସପକ୍ଷବାଦୀଙ୍କ ବିରୋଧରେ ୟୁକ୍ରେନ ଗ୍ରହଣ କରୁଥିବା ସାମାରିକ କାର୍ଯ୍ୟାନୁଷ୍ଠାନକୁ ତୁରନ୍ତ ବନ୍ଦ କରୁ। ନହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ପୁଟିନ ଖୋଲାଖୋଲି କିଭକୁ ଚେତାବନୀ ଦେଇଛନ୍ତି।
ପୁଟିନ କହିଛନ୍ତି, “ଯଦି ୟୁକ୍ରେନ ନାଟୋ ମିଳିତ ମଞ୍ଚରେ ସାମିଲ ହୁଏ, ତା’ହେଲେ ଏହା ରୁଷର ସୁରକ୍ଷା ପ୍ରତି ସିଧାସଳଖ ବିପଦ ସୃଷ୍ଟି କରିବ। ପୂର୍ବ ୟୁକ୍ରେନରେ କିଭ୍ ପକ୍ଷରୁ ରୁଷ ସପକ୍ଷବାଦୀଙ୍କ ଉପରେ ହମଲା କରାଯାଉଛି। ଏହା ତୁରନ୍ତ ବନ୍ଦ ହେବା ଦରକାର। ନହେଲେ ରକ୍ତପାତ ପାଇଁ ୟୁକ୍ରେନ ସରକାର ଦାୟୀ ରହିବେ।”
ୟୁକ୍ରେନ ଓ ଏହାର ସମର୍ଥନ କରୁଥିବା ଦେଶଗୁଡ଼ିକ ବିଦ୍ରୋହୀ କ୍ଷେତ୍ରକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ମନା କରିଥିଲେ। ହେଲେ ପୁଟିନ ଏହାକୁ ବେଖାତାରି କରି ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ସ୍ୱତନ୍ତ୍ର ମାନ୍ୟତା ଦେଇଛନ୍ତି। ପୁଟିନ ଆହୁରି କହିଛନ୍ତି, “ମର୍ଡନ ୟୁକ୍ରେନ ସଂପୂର୍ଣ୍ଣ ଭାବେ ରୁଷ ଦ୍ୱାରା ତିଆରି କରାଯାଇଥିଲା। ଏବେ ୟୁକ୍ରେନ ପୂର୍ବ ପ୍ରାନ୍ତରେ ନରସଂହାର କରୁଛି।”
ପୁଟିନଙ୍କ ଏପରି ନିଷ୍ପତ୍ତି ପରେ ସାରା ବିଶ୍ୱରେ ଯୁଦ୍ଧର ଆଶଙ୍କା ଆହୁରି ଘନେଇବାରେ ଲାଗିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଜାତିସଂଘ ସୁରକ୍ଷା ପରିଷଦର ବୈଠକ ଆଜି ବସିବାର ରହିଛି। ଏହି ସମୟରେ ସବୁ ଦେଶ ସମ୍ଭାବ୍ୟ ଯୁଦ୍ଧକୁ ନେଇ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବେ।
The post ତେଜିଲା ଯୁଦ୍ଧ ଆଶଙ୍କା: ୟୁକ୍ରେନର ଦୁଇଟି କ୍ଷେତ୍ରକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଲା ରୁଷ appeared first on Odisha Reporter.
from Odisha Reporter https://ift.tt/XqxSybG
No comments:
Post a Comment