ୱାଶିଂଟନ: ପଶ୍ଚିମ ଦେଶ ଓ ନାଟୋର ପରାମର୍ଶକୁ ବେଖାତିର କରି ଗୁରୁବାର ଠାରୁ ୟୁକ୍ରେନ ଉପରେ ଘନଘନ ଆକ୍ରମଣ ଆରମ୍ଭ କରିଦେଇଛି ରୁଷ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧ ଡାକରା ପରେ ରୁଷ ସେନା ୟୁକ୍ରେନର ବିଭିନ୍ନ ସ୍ଥାନରେ ପଶି ହମଲା କରୁଛନ୍ତି।
ଏସବୁ ଭିତରେ ଆମେରିକା ବନ୍ଧୁ ୟୁକ୍ରେନର ସହଯୋଗ କରିବ ବୋଲି ଆଶା କରାଯାଉଥିଲା। ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘୋଷଣା କିଭ୍କୁ ନିରାଶ କରିଛି। ରୁଷ ଆକ୍ରମଣରେ ୟୁକ୍ରେନ ଛିନଛତ୍ର ହେବାକୁ ବସିଥିବା ବେଳେ ଆମେରିକା କୌଣସି ପ୍ରକାରର ସୈନ୍ୟ ସେଠାକୁ ପଠାଇବ ନାହିଁ ବୋଲି ବାଇଡେନ କହିଛନ୍ତି।
ତେବେ ରୁଷ ଉପରେ ଚାପ ସୃଷ୍ଟି କରିବା ପାଇଁ ଆମେରିକା ବଡ଼ ଧରଣର କଟକଣା ଲଗାଇଛି। ଏପରି କି ଆମେରିକା ଓ ପଶ୍ଚିମ ଦେଶର ବିଭିନ୍ନ ସ୍ଥାନରେ ଥିବା ରୁଷର ସମ୍ପତ୍ତିଗୁଡ଼ିକୁ ଅଚଳ କରି ଦିଆଯିବ ବୋଲି ବାଇଡେନ ସୂଚନା ଦେଇଛନ୍ତି।
ଦେଶକୁ ସମ୍ବୋଧନ କରି ବାଇଡେନ କହିଛନ୍ତି, ରୁଷ ପୂର୍ବଭଳି ୟୁନିଏନ ସୋଭିଏତ ପ୍ରତିଷ୍ଠା କରିବାକୁ ଚାହୁଁଛି। ସବୁ ପରାମର୍ଶକୁ ବେଖାତିର କରି ରୁଷ ଆକ୍ରମଣ ପନ୍ଥାକୁ ବାଛିଛି। ଏବେ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ନାଟୋ ରାଷ୍ଟ୍ରଙ୍କ ସୁରକ୍ଷା ପାଇଁ ୟୁରୋପରେ ଆମେରିକା ସୈନ୍ୟ ମୁତୟନ ହେବେ। କିନ୍ତୁ ୟୁକ୍ରେନ ଯାଇ ସେମାନେ ରୁଷ ସହ ଲଢ଼ିବେ ନାହିଁ।
ରୁଷ ବିରୋଧରେ ଅତ୍ୟନ୍ତ କଠୋର କଟକଣା ଲାଗୁ କରିଛୁ ଓ ଆଗକୁ ଆହୁରି କଟକଣା ଲାଗିବ। ନାଟୋର ୩୦ ସଦସ୍ୟ ରାଷ୍ଟ୍ର ମିଳିତ ଭାବେ ରୁଷ ଓ ୟୁକ୍ରେନ ଯୁଦ୍ଧ ଉପରେ ନିଷ୍ପତ୍ତି ନେବେ ବୋଲି ବାଇଡେନ କହିଛନ୍ତି।
ବାଇଡେନ ଆହୁରି କହିଛନ୍ତି, ପୁଟିନ ଜଣେ ଆକ୍ରମଣକାରୀ। ସେ ଯୁଦ୍ଧ ବାଛିଛନ୍ତି। ତେଣୁ ପୁଟିନଙ୍କ ସହ ଆଲୋଚନା କରିବାର କୌଣସି ଯୋଜନା ନାହିଁ। ପଶ୍ଚିମ ଦେଶଗୁଡ଼ିକ ଆର୍ଥିକ କଟକଣା ରୁଷ ଉପରେ ନିଶ୍ଚିତ ଚାପ ପକାଇବ। ରୁଷର ତୈଳ ରପ୍ତାନୀ ଉପରେ କଟକଣା ଲଗାଯିବ।
ସେହିପରି ରୁଷର ୪ଟି ବଡ଼ ବ୍ୟାଙ୍କ ଉପରେ ବି ପ୍ରତିବନ୍ଧକ ଲାଗିବ। ରୁଷ କରୁଥିବା ହାଇଟେକ ସାମଗ୍ରୀର ଆମଦାନୀକୁ ଏକ ପ୍ରକାରର ଏକ ଘରକିଆ କରିଦିଆଯିବ। ଅର୍ଥାତ ବିଶ୍ୱର କୌଣସି ରାଷ୍ଟ୍ରରୁ ରୁଷ ଆମଦାନୀ କରିପାରିବ ନାହିଁ। ଏପରି ନିଷ୍ପତ୍ତି ରୁଷର ଅର୍ଥନୀତି ଉପରେ ବର୍ତ୍ତମାନ ଓ ଭବିଷ୍ୟତରେ ସାଂଘାତିକ ପ୍ରଭାବ ପକାଇବ।
ୟୁକ୍ରେନ ବିରୋଧରେ ରୁଷ କରୁଥିବା ଆକ୍ରମଣକୁ ଯେଉଁ ଦେଶ ସମର୍ଥନ କରିବ, ସେମାନଙ୍କ ଉପରେ ମଧ୍ୟ କଟକଣା ଲାଗୁ କରାଯିବ। ରୁଷକୁ ଏକ ଘରକିଆ କରାଯିବ। ଆମେରିକାରେ ଥିବା ରୁଷର ସବୁ ସମ୍ପତ୍ତିକୁ ଅଚଳ କରାଯିବ ବୋଲି ବାଇଡେନ କହିଛନ୍ତି।
ଆମେରିକା ଉପରେ ମଧ୍ୟ ଯୁଦ୍ଧର ପ୍ରଭାବ ପଡ଼ିବ ବୋଲି ବାଇଡେନ ଆଶଙ୍କା କରିଛନ୍ତି। ସେ କହିଛନ୍ତି, ଏହି ଯୁଦ୍ଧ କେବଳ ରୁଷ ଓ ୟୁକ୍ରେନ ମଧ୍ୟରେ ସୀମିତ ରହିନାହିଁ। ଏହାର ପ୍ରଭାବ ଆମେରିକା ଉପରେ ମଧ୍ୟ ପଡ଼ିପାରେ। ରୁଷ ସାଇବର ଆଟାକ କରିବାର ଆଶଙ୍କା ରହିଛି। ଏଥିପାଇଁ ଆମେ ସତର୍କ ରହିଛୁ। ଆମେରିକା ସବୁବେଳେ ସ୍ୱାଧୀନତା ଓ ଗଣତନ୍ତ୍ରକୁ ସମ୍ମାନ ଦେଇ ଆସିଛି ବୋଲି ସେ କହିଛନ୍ତି।
ଜଣେ ସାମ୍ବାଦିକ ପୂରା ଯୁଦ୍ଧ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ଆମେରିକା ସମର୍ଥନ କରୁଛି କି ନାହିଁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ବାଇଡେନ କହିଛନ୍ତି ଯେ ଆମେ ଭାରତ ସହ ଏ ବାବଦରେ କଥାବାର୍ତ୍ତା ହୋଇନାହୁଁ। ଆଲୋଚନା ପରେ ସ୍ଥିତି ସ୍ପଷ୍ଟ ହେବ।
The post ୟୁକ୍ରେନକୁ ସୈନ୍ୟ ପଠାଇବନି, କିନ୍ତୁ ରୁଷର ସବୁ ସମ୍ପତ୍ତି ଅଚଳ କରିବ ଆମେରିକା appeared first on Odisha Reporter.
from Odisha Reporter https://ift.tt/dkLb8mK
No comments:
Post a Comment