ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଗତକାଲି ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ କିଛି ସ୍ଥାନରେ ହିଂସାକାଣ୍ଡ ଘଟିଥିବା ସୂଚନା ମିଳିଛି। ନିଜ ନେତା ବାଛିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ସକାଳୁ ବୁଥ୍ ଆଗରେ ଲାଗିଥିଲା ଲମ୍ବା ଲାଇନ୍। ନିର୍ବାଚନକୁ ସୁରୁଖୁରରେ ପରିଚାଳନା ନିମନ୍ତେ ପୁଲିସ୍ର କଡ଼ା ପହରା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଘଟି ବହୁ ଲୋକ ଆହତ ହୋଇଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୧୦ ଜଣ ଆହତ ହୋଇଛନ୍ତି । ଆଳି ବଡ଼ଆଙ୍କୋ ଗାଁରେ ଘଟିଛି ସଂଘର୍ଷ । ଗାଁରେ ଗୋଟିଏ ଗୋଷ୍ଠୀର ଲୋକେ ବସି କଥାବାର୍ତ୍ତା ହେଉଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକେ ମାରଣାସ୍ତ୍ର ସାହାଯ୍ୟରେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଉଭୟ ପକ୍ଷରୁ ଆଳି ଥାନାରେ ହୋଇଛି ଏତଲା । ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ମୁତୟନ କରାଯାଇଛି ।
ସେହିପରି ମୟୂରଭଂଜ ଉଦଳା ରାଣୀବନ୍ଧ ବିଦ୍ୟାଳୟରେ ଭୋଟ୍ ବେଳେ ଦୁଇ ଗୋଷ୍ଠୀର ଲୋକେ ମୁହାଁମୁହିଁ ହୋଇଥିଲେ । ୧୪ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁଶାନ୍ତି ପରିଡ଼ାଙ୍କ ପୁଅ ଗୋଟିଏ ଗୋଷ୍ଠୀର ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ସଂପୃକ୍ତ ଗୋଷ୍ଠୀର ଲୋକେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଘରେ ପଶି ତାଙ୍କ ପୁଅକୁ ଆକ୍ରମଣ କରିବା ସହ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁକାନ୍ତିଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଉଭୟ ପକ୍ଷ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ଏହାବାଦ ବାଲେଶ୍ୱର ଶିଖରପୁର ପଞ୍ଚାୟତ ୫ ନମ୍ବର ଓ୍ୱାର୍ଡରେ ଜନୈକ ମହିଳାଙ୍କ ଭୋଟ୍ ଅନ୍ୟ କେହି ଦେବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ସ୍ଥାନୀୟ ପୁଲିସ୍ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା ।
ବ୍ରହ୍ମପୁର ଚଷାନିମଖଣ୍ଡିରେ ବୁଥ୍ ରାଗିଂ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଭୋଟ୍ ଚାଲିଥିବା ବେଳେ ଗାଁର କିଛି ପ୍ରଭାବଶାଳୀ ଲୋକେ ୫ ନମ୍ବର ବୁଥ୍କୁ ଦଖଲ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ପରେ ପୁଲିସ୍ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।
The post ନିର୍ବାଚନୀ ହିଂସାକାଣ୍ଡ; କେଉଁଠି ଗୋଷ୍ଠି ସଂଘର୍ଷ ତ କେଉଁଠି ଚାପା ଉତ୍ତେଜନା appeared first on Odisha Reporter.
from Odisha Reporter https://ift.tt/4HrNzuK
No comments:
Post a Comment