ମସ୍କୋ: ରୁଷ ଉପରେ ପାଶ୍ଚାତ ଦେଶଙ୍କ କଟକଣା ଯୁଦ୍ଧ ସହ ସମାନ । ୟୁକ୍ରେନର ବାୟୁ ସୀମା ଉପରେ ନୋ ଫ୍ଲାଇଂ ଜୋନ ଲାଗୁ କଲେ ତାହା ଯୁଦ୍ଧରେ ଅନ୍ୟ ଦେଶଗୁଡ଼ିକର ସିଧାସଳଖ ସମ୍ପୃକ୍ତି ସହ ସମାନ ହେବ । ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ବିରୋଧ କରୁଥିବା ପାଶ୍ଚାତ ଦେଶ ପକ୍ଷରୁ ଗୋଟିଏ ପରେ ଗୋଟିଏ କଟକଣା ଲାଗୁ କରାଯାଉଥିବା ବେଳେ ସେମାନଙ୍କୁ ଏପରି ଟାର୍ଗେଟ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନି। ମସ୍କୋ ନିକଟରେ ଥିବା ଏକ ଏରୋଫ୍ଲଟ ଟ୍ରେନିଂ ସେଣ୍ଟରରେ ମହିଳା ବିମାନ କର୍ମଚାରୀଙ୍କୁ ସମ୍ବୋଧିତ କରି ଏପରି କହିଛନ୍ତି ପୁଟିନ ।
ରୁଷର ଯୁଦ୍ଧଖୋର ମନୋବୃତ୍ତି ଯୋଗୁ ମାଟିରେ ମିଶିଲାଣି ୟୁକ୍ରେନ। ପାଶ୍ଚାତ ଦେଶଗୁଡ଼ିକ ରୁଷର ଏପରି ପଦକ୍ଷେପକୁ ତୀବ୍ର ବିରୋଧ କରୁଥିଲେ ବି ୟୁକ୍ରେନ ସପକ୍ଷରେ ଯୁଦ୍ଧରେ ସିଧାସଳଖ ମିଶି ନାହାନ୍ତି। ହେଲେ ବିଭିନ୍ନ ଦେଶ ରୁଷକୁ ଘେରିବାକୁ ଚେଷ୍ଟା କରି ବିଭିନ୍ନ କଟକଣା ଲାଗୁ କରୁଥିବା ବେଳେ ଏହାକୁ ସହଜେ ଗ୍ରହଣ କରିବା କିମ୍ବା ପଛକୁ ହଟିବା ମୁଡରେ ନାହାନ୍ତି ପୁଟିନ । ଏପରି ପାଶ୍ଚାତ ଦେଶଗୁଡ଼ିକୁ ଚେତାଇ ଦେବାକୁ ଯାଇ ସେମାନଙ୍କ ଏପରି କଟକଣା ଯୁଦ୍ଧ ସହ ସମାନ ବୋଲି କହିଛନ୍ତି ।
ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ୧୧ ଦିନରେ ପହଞ୍ଚିଲାଣି। ହେଲେ ଥମୁ ନାହିଁ ଯୁଦ୍ଧ । ୟୁକ୍ରେନର ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ଅଗ୍ରସର ହେଉଛି ରୁଷ। ଏପରି ସମୟରେ ପାଶ୍ଚାତ ଦେଶଗୁଡ଼ିକ ତରଫରୁ ବିଦେଶରେ ଥିବା ପୁଟିନଙ୍କ ସମ୍ପତ୍ତିକୁ ଫ୍ରିଜ କରାଯିବା ସହ ବହୁ ସଂଖ୍ୟାର ରଷିଆନ ବ୍ୟାଙ୍କକୁ ସ୍ୱିଫ୍ଟ ଆନ୍ତର୍ଜାତୀୟ ପେମେଣ୍ଟ ସିଷ୍ଟମରୁ ବାଦ ଦିଆଯାଇଛି। ନାଟୋ, IMF, EU ତଥା ବିଭିନ୍ନ ଦେଶ ଓ ବହୁରାଷ୍ଟ୍ରୀୟ କମ୍ପାନୀ ତରଫରୁ ମଧ୍ୟ ରୁଷ ଉପରେ ଲାଗିଛି କଟକଣା। ବହୁ ବହୁଦେଶୀୟ କମ୍ପାନୀ ରୁଷରେ ନିଜ ଅପରେସନ ଓ ସର୍ଭିସକୁ ବନ୍ଦ କରି ଦେଇଛନ୍ତି। ଏପରି ପ୍ରତିବନ୍ଧକ ଯୋଗୁ ରୁଷିଆର କରେନ୍ସି ରୁବେଲ ମୂଲ୍ୟରେ ହଠାତ୍ ଖୁବ୍ ହ୍ରାସ ଘଟିଛି । ଏପରିକି ରୁଷର ସେଣ୍ଟ୍ରାଲ ବ୍ୟାଙ୍କକୁ ସୁଧ ହାର ଦ୍ୱିଗୁଣ କରିବାକୁ ପଡ଼ିଛି। ଏହାସତ୍ତ୍ୱେ ଏବେ ରୁଷରେ ଜରୁରୀକାଳୀନ ସ୍ଥିତି ଉପୁଜି ନାହିଁ କିମ୍ବା ମିଲିଟାରୀ ଶାସନ ଲାଗୁ କରିବା ବେଳ ଆସିନି ବୋଲି କହିଛନ୍ତି ପୁଟିନ।
ରୁଷର ଘମାଘୋଟ ଆକ୍ରମଣ ଯୋଗୁ ୟୁକ୍ରେନ ମାଟିରେ ମିଶିବାକୁ ବସିଥିବା ବେଳେ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି ଏହାର ନାଗରିକ । ହେଲେ ୟୁକ୍ରେନ ଉପରେ ହେଉଥିବା ଆକ୍ରମଣକୁ ଯଥାର୍ଥ ବୋଲି ଦୋହରାଇଛନ୍ତି ପୁଟିନି। ଏପରିକି ୟୁକ୍ରେନରେ ଥିବା ରୁଷ ଭାଷାଭାଷୀ ସମ୍ପ୍ରଦାୟଙ୍କ ସୁରକ୍ଷା ପାଇଁ ୟୁକ୍ରେନ ଯୁଦ୍ଧକୁ ଯଥାର୍ଥ ବୋଲି କହିଛନ୍ତି।
ଏଥିସହ ସେ କହିଛନ୍ତି, ରୁଷର ମିଲିଟାରୀ ବଳ ୟୁକ୍ରେନ ସହ ଲଢ଼େଇ ବେଳେ ଆଶାଠାରୁ ବହୁ କମ୍ ବଳ ପ୍ରୟୋଗ କରୁଛନ୍ତି। ଆମ ଦେଶର ସାମରିକ କ୍ଷମତା ସବୁ ପରିସ୍ଥିତିର ସାମନା କରିବାକୁ ସକ୍ଷମ, ଏଥିରେ କୌଣସି ସନ୍ଦେହ ନାହିଁ। ସବୁକିଛି ପ୍ଲାନ୍ ମୁତାବକ ହିଁ ହେଉଛି। ଦେଶର କେବଳ କଠିନ ଟ୍ରେନିଂପ୍ରାପ୍ତ ସୈନ୍ୟଙ୍କୁ ହିଁ ଏହି ଯୁଦ୍ଧରେ ନିୟୋଜିତ କରାଯାଇଛି।
The post ଚେତାଇ ଦେଲେ ପୁଟିନ- ପଶ୍ଚିମ ଦେଶଙ୍କ କଟକଣା ଯୁଦ୍ଧ ସହ ସମାନ appeared first on Odisha Reporter.
from Odisha Reporter https://ift.tt/9tyaGuj
No comments:
Post a Comment