ଗୁଣୁପୁର(ଇନ୍ଦ୍ରଜିତ ପଣ୍ଡା): ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ଏହା ପୂର୍ବରୁ ଥାନାରେ ରାତି କାଟିଲେ ସମିତି ସଭ୍ୟ । ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ବୁତିଙ୍ଗ ପଞ୍ଚାୟତର ନବନିର୍ବାଚିତ ସମିତି ସଭ୍ୟ ଆପାରାଓ ପାତିକା ଥାନାରେ ରାତି କାଟିଥିବା ବେଳେ ଥାନା ବାହାରେ ଦେଖିବାକୁ ମିଳିଛି ଅସମ୍ଭବ ଭିଡ଼ି।
ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଥିବାରୁ ଆପାରାଓଙ୍କୁ ନିଜ ପଟକୁ ନେଇ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଚାଲିଛି ଟଣାଓଟରା। ଏପରିକି ସମୁଦାୟ ୧୧ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠୀ ପାଖରେ ୮ ଜଣ ଅଛନ୍ତି । ସେମାନଙ୍କ ମଧ୍ୟରେ ଆପ୍ପାରାଓ ଜଣେ ବୋଲି କୁହାଯାଉଛି । ତେଣୁ ଅପରଗୋଷ୍ଠୀ ତାଙ୍କୁ ହାତେଇବାକୁ ଚେଷ୍ଟା ଚଳାଇଥିବା ଶୁଣିବାକୁ ମିଳୁଛି।
ଏହାକୁ ନେଇ ଏବେ ରାଜନୀତି ସରଗରମ ଥିବା ବେଳେ ଆପାରାଓ ନିଖୋଜ ହୋଇଥିବା ନେଇ ଗତକାଲି ତାଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ଖୋଜାଖୋଜି ଆରମ୍ଭ କରି ତାଙ୍କୁ ଠାବ କରିଥିଲା। ହେଲେ ଆପାରାଓ ଘରକୁ ଯିବାକୁ ଚାହୁଁ ନ ଥିବା ଜଣାଇବା ପରେ ଗତକାଲି ରାତିରେ ସେ ପୁଲିସ୍ ସୁରକ୍ଷା ମଧ୍ୟରେ ଥାନାରେ ରାତି କାଟିଛନ୍ତି।
ଆପ୍ପାରାଓ ଥାନାରେ ଥିବା ଖବର ପ୍ରଚାରିତ ହେବା ପରେ ଥାନା ବାହାରେ ଲୋକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା । ହେଲେ ରାତି ସାରା ସେ ଥାନାରେ ଥିବା ବେଳେ ଆଜି ପୁଲିସ୍ ସୁରକ୍ଷା ମଧ୍ୟରେ ସିଧାସଳଖ ବ୍ଲକକୁ ଯାଇ ଭୋଟ ଦେବେ ବୋଲି ଜଣାଯାଇଛି।
The post ଥାନାରେ ରାତି କାଟିଲେ ସମିତି ସଭ୍ୟ, ବାହାରେ ଅସମ୍ଭବ ଭିଡ଼ appeared first on Odisha Reporter.
from Odisha Reporter https://ift.tt/OvPdUM9
No comments:
Post a Comment