ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଫସିଥିବା ଭାରତୀୟ ଶିକ୍ଷାର୍ଥୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ବିଶେଷ କରି ଖାରକିଭ୍ରେ ରହିଥିବା ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ନେଇ ନାନା ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସେଠାରେ ରହୁଥିବା ଭାରତୀୟଙ୍କୁ ସରକାର ତୁରନ୍ତ ଅନ୍ୟତ୍ର ଚାଲିଯିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ହେଲେ ଏସବୁ ଭିତରେ ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ଆସିଛି। ଖାରକିଭ୍ରେ ଫସିଥିବା ଭାରତୀୟ ଶିକ୍ଷାର୍ଥୀଙ୍କୁ ୟୁକ୍ରେନ ସେନା ବଳପୂର୍ବକ ପଣବନ୍ଦୀ କରି ରଖିଥିବା ଦାବି କରିଛି ରୁଷ। ଏ ସମ୍ପର୍କରେ ଭାରତ ସରକାରଙ୍କୁ ରୁଷ ପକ୍ଷରୁ ଅବଗତ ମଧ୍ୟ କରାଯାଇଛି।
ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଯେ ଖାରକିଭ୍ରେ ଅନେକ ଭାରତୀୟ ଶିକ୍ଷାର୍ଥୀଙ୍କୁ ୟୁକ୍ରେନ ଫୋର୍ସ ପଣବନ୍ଦୀ କରି ରଖିଛି। ଏ ସମ୍ପର୍କରେ ଆମ ପାଖରେ ସୂଚନା ରହିଛି। ଭାରତୀୟ ଶିକ୍ଷାର୍ଥୀମାନେ ଖାରକିଭ ଛାଡ଼ିବାକୁ ଚାହୁଁଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳିନି। ଖାରକିଭରେ ରହୁଥିବା ଭାରତୀୟ ଶିକ୍ଷାର୍ଥୀମାନେ ବେଲଗୋରୋଡ ଯିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ସେମାନଙ୍କୁ ବାହାରକୁ ଛଡ଼ା ଯାଉନି। ସେମାନଙ୍କୁ ପଣବନ୍ଦୀ କରି ରଖାଯାଇଛି।
ତେବେ ରୁଷିଆନ ଫୋର୍ସ ଭାରତୀୟ ଶିକ୍ଷାର୍ଥୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ସମସ୍ତ ପ୍ରକାରର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଖାରକିଭରୁ ସେମାନଙ୍କୁ ଉଦ୍ଧାର କରି ରୁଷକୁ ଅଣାଯିବ। ରୁଷ ସରକାର ନିଜସ୍ୱ ମିଲିଟାରୀ ପ୍ଲେନ କିମ୍ବା ଭାରତୀୟ ବିମାନରେ ସମସ୍ତଙ୍କୁ ସୁରକ୍ଷିତ ଭାରତ ପଠାଇବାର ବ୍ୟବସ୍ଥା କରିବେ ବୋଲି ସେ କହିଛନ୍ତି।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତକାଲି ବିଳମ୍ବିତ ରାତିରେ ଫୋନ ଯୋଗେ କଥା ହୋଇଛନ୍ତି। ଏହି କଥାବାର୍ତ୍ତାର କିଛି ସମୟ ପରେ ହିଁ ରୁଷ ପକ୍ଷରୁ ଏପରି ଦାବି କରାଯାଇଛି। ଉଭୟ ନେତା ଖାରକିଭରେ ଲାଗି ରହିଥିବା ହିଂସାତ୍ମକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏଠାରେ ହଜାରେରୁ ଅଧିକ ଭାରତୀୟ ଫସି ରହିଛନ୍ତି। ତେଣୁ ସେମାନଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଉପରେ ମୋଦି ଓ ପୁଟିନ ବିସ୍ତୃତ ଭାବେ ଆଲୋଚନା କରିଥିବା ଜଣାପଡ଼ିଛି।
ସରକାରୀ ସୂତ୍ର ଅନୁସାରେ, ଖାରକିଭ ଏବେ ଏକ ପ୍ରକାରର ରୁଷ ଅଧୀନରେ ରହିଛି। ଗତକାଲି ଘମାଘୋଟ ଲଢ଼େଇ ପରେ ଅଧିକାଂଶ ସ୍ଥାନକୁ ରୁଷ ଦଖଲ କରି ନେଇଛି। ଏହାପରେ ସେଠାରେ ଫସିଥିବା ଭାରତୀୟଙ୍କୁ ସ୍ୱଦେଶ ପଠାଇବା ପାଇଁ ବ୍ୟସ୍ଥା କରାଯାଉଛି। ପ୍ରାଥମିକ ଅବସ୍ଥାରେ ଭାରତୀୟ ଛାତ୍ରୀମାନଙ୍କୁ ଟ୍ରେନରେ ୟୁକ୍ରେନର ପଶ୍ଚିମ ପ୍ରାନ୍ତକୁ ଯିବା ପାଇଁ ଅନୁମତି ଦିଆଯାଉଛି।
ଖାରକିଭରୁ ସେମାନଙ୍କୁ ଉଦ୍ଧାର କରିବାରେ ରୁଷ ସେନା ମଧ୍ୟ ସହଯୋଗ କରୁଛନ୍ତି। ଛାତ୍ର ମାନଙ୍କୁ ମଧ୍ୟ ଖୁବଶୀଘ୍ର ଖାରକିଭରୁ ସୁରକ୍ଷିତ ସ୍ଥାନକୁ ପଠାଯିବାର ଥିଲା। ହେଲେ ଭାରତୀୟ ଶିକ୍ଷାର୍ଥୀଙ୍କୁ ୟୁକ୍ରେନ ସେନା ପଣବନ୍ଦୀ କରି ରଖିଥିବା କଥା ରୁଷ କହିବା ପରେ ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି।
The post ଖାରକିଭ୍ରେ ଅନେକ ଭାରତୀୟ ଶିକ୍ଷାର୍ଥୀଙ୍କୁ ପଣବନ୍ଦୀ କରିଛି ୟୁକ୍ରେନ ସେନା! appeared first on Odisha Reporter.
from Odisha Reporter https://ift.tt/f7XhmDi
No comments:
Post a Comment