ହାର୍ଦ୍ଦିକ ପାଣ୍ଡ୍ୟା ସ୍ପେଶାଲ, ଶୀର୍ଷରେ ଗୁଜରାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 14, 2022

ହାର୍ଦ୍ଦିକ ପାଣ୍ଡ୍ୟା ସ୍ପେଶାଲ, ଶୀର୍ଷରେ ଗୁଜରାଟ

ମୁମ୍ବାଇ ଚଳିତ ଆଇପିଏଲରେ ଡେବ୍ୟୁ କରିଥିବା ଗୁଜରାଟ ଟାଇଟନ୍ସ ଦମଦାର ପ୍ରଦର୍ଶନ ଜାରି ରଖିଛି। ଦଳ ଏବେ ତାରକା ଖଚିତ ରାଜସ୍ଥାନକୁ ପଛରେ ପକାଇ ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ଗୁରୁବାର ରାତିରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌କୁ ଗୁଜରାଟ ୩୭ ରନ୍‌ରେ ଜିତି ନେଇଛି। ଏହି ବିଜୟ ପରେ ଦଳ ଶୀର୍ଷ ସ୍ଥାନ ଦଖଲ କରିବାକୁ ସକ୍ଷମ ହୋଇଛି।

ଉକ୍ତ ମ୍ୟାଚ୍‌ରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଯାଦୁ ଦେଖିବାକୁ ମିଳିଛି। ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ସେ କମାଲ କରି ଦଳକୁ ଚଳିତ ସିଜିନରେ ୪ର୍ଥ ବିଜୟ ଭେଟି ଦେଇଛନ୍ତି। ଗୁଜରାଟ ଏଯାଏ ୫ଟି ମ୍ୟାଚ୍‌ ଖେଳିଥିବା ବେଳେ ୪ଟିରେ ଜିତିଛି ଓ ଗୋଟିଏରେ ହାରିଛି। ସେହିପରି ପୂର୍ବରୁ ଶୀର୍ଷରେ ଥିବା ସଞ୍ଜୁ ସାମାସନଙ୍କ ରାଜସ୍ଥାନ ଏବେ ୩ୟ ସ୍ଥାନକୁ ଖସି ଯାଇଛି। ଦ୍ୱିତୀୟରେ କୋଲକାତା ଓ ୪ର୍ଥରେ ପଞ୍ଜାବ କିଙ୍ଗସ ରହିଛି।

ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ଅଧିନାୟକ ଟସ୍‌ ଜିତି ଗୁଜରାଟକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ତେବେ ଗୁଜରାଟ ୧୨ ରନ୍‌ରେ ମାଥ୍ୟୁ ୱେଡ(୧୨)ଙ୍କୁ ହରାଇଥିଲା। ବିଜୟ ଶଙ୍କର କେବଳ ୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଏହାପରେ ହାର୍ଦ୍ଦିକ ଓ ଶୁବମନ ଗିଲଙ୍କ ଯୋଡ଼ି କିଛି ସମୟ ପାଇଁ ସ୍ଥିତି ସମ୍ଭାଳିଥିଲେ। ହେଲେ ଗିଲ୍ ୧୩ ରନ୍ କରି ଆଉଟ ହେବା ପରେ ହାର୍ଦ୍ଦିକଙ୍କ ଉପରେ ଚାପ ବଢ଼ିଥିଲା।

ଏତିକି ବେଳେ ୪ର୍ଥ ୱିକେଟ ପାଇଁ ତାଙ୍କୁ ଯୁବ ତାରକା ଅଭିନବ ମନୋହର ଭରପୂର ସହଯୋଗ କରିଥିଲେ। ହାର୍ଦ୍ଦିକ ଗୋଟିଏ ପଟେ ଧୈର୍ଯ୍ୟର ସହ ବ୍ୟାଟିଂ କରୁଥିବା ବେଳେ ଅଭିନବ ବଡ଼ବଡ଼ ଶଟ୍‌ ଖେଳି ଚାଲିଥିଲେ। ଉଭୟ ୪ର୍ଥ ୱିକେଟ ପାଇଁ ୮୬ ରନ ଯୋଡ଼ି ଗୁଜରାଟ ସ୍କୋରକୁ ୧୩୯ରେ ପହଞ୍ଚାଇଥିଲେ। ପାଣ୍ଡ୍ୟା ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଦଳୀୟ ସ୍କୋର ୧୩୯ ଥିବା ବେଳେ ୟୁଜବେନ୍ଦର ଚହଲ ୪୩ ରନ୍‌ କରିଥିବା ଅଭିନବଙ୍କୁ ଆଉଟ କରି ଗୁଜରାଟର ରନ୍‌ ସଂଗ୍ରହହାରରେ ବ୍ରେକ ଲଗାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଡାଭିଲ ମିଲରଙ୍କ ଯୋଡ଼ି ଏହା କରାଇ ଦେଇ ନଥିଲେ।

ଉଭୟ କାଉଣ୍ଟର ଆଟାକ କରି ଗୁଜରାଟର ସ୍କୋରକୁ ୧୯୦ ପାର କରାଇଥିଲେ। ହାର୍ଦ୍ଦିକ ଶେଷ ଯାଏ ୫୨ ବଲରେ ୮୭ ଓ ମିଲର ୧୪ ବଲରେ ବିସ୍ଫୋରକ ୩୧ ରନ୍‌ କରି କ୍ରିଜରେ ରହିଥିଲେ। ଏଥିସହ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୧୯୨ ରନ୍‌ କରିଥିଲା। ହାର୍ଦ୍ଦିକ ୮ଟି ଚୌକା ଓ ୪ଟି ଛକା ମାରିଥିବା ବେଳେ ମିଲର ୫ ଚୌକା ଓ ଗୋଟିଏ ଛକା ମାରିଛନ୍ତି।

୧୯୩ ରନ୍‌ର ଟାର୍ଗେଟ ପାଇଥିବା ରାଜସ୍ଥାନ ପାଇଁ ଜୋଶ ବଟଲର ବିସ୍ଫୋରକ ଆରମ୍ଭ କରିଥିଲେ। ସେ ୨ ଓଭର ଭିତରେ ଦଳୀୟ ସ୍କୋରକୁ ୨୮ରେ ପହଞ୍ଚାଇ ଦେଇଥିଲେ। କିନ୍ତୁ ଅନ୍ୟତମ ଓପନର ଦେବଦତ୍ତ ପାଡିକ୍କଲ ପ୍ରଥମ ବଲରେ ଆଉଟ ହୋଇ ସବୁ ଯୋଜନାରେ ପାଣି ପକାଇ ଦେଇଥିଲେ। ପ୍ରମୋସନ ପାଇ ରବି ଅଶ୍ୱିନ ୩ନଂରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ କିଛି ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ ହେଁ କେବଳ ୮ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଇତି ମଧ୍ୟରେ ବଟଲର କିନ୍ତୁ ମାତ୍ର ୨୩ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିନେଇଥିଲେ।

ଗୁଜରାଟ ପାଇଁ ୫ମ ଓଭର ବୋଲିଂ କରିବାକୁ ଆସିଥିବା ଲକି ଫର୍ଗୁସନ ସବୁଠାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ସେ ଓଭର ପ୍ରଥମ ବଲରେ ଅଶ୍ୱିନ ଓ ଶେଷ ବଲରେ ବଟଲର(୫୦)ଙ୍କୁ ଆଉଟ କରି ରାଜସ୍ଥାନକୁ ଡବଲ ଝଟକା ଦେଇଥିଲେ। ଅଧିନାୟକ ସଞ୍ଜୁ ସାମସନ(୧୧)ଙ୍କୁ ରାଜସ୍ଥାନ ରନ ଆଉଟ ରୂପେ ହରାଇଥିଲା।

ହାର୍ଦ୍ଦିକଙ୍କ ପାଖକୁ ଗୋଟିଏ ଶଟ ମାରି ସଞ୍ଜୁ ୧ ରନ୍‌ ନେବାକୁ ଚେଷ୍ଟା କରିଥିଲେ। ହେଲେ ସିଧାସଳଖ ଥ୍ରୋରେ ହାର୍ଦ୍ଦିକ ତାଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଏହାପରେ ରସେଇ ଭାନ ଡେର ଡୁସେନ(୬), ଶିମରନ ହେଟମେୟର(୨୯), ରିୟାନ ପରାଗ(୧୮) ଓ ଜିମ୍ମି ନୀଶମ(୧୭) କ୍ରମାଗତ ଭାବେ ବଡ଼ଶଟ ଖେଳିବା ଲୋଭରେ ଆଉଟ ହୋଇଯାଇଥିଲେ।

ଚହଲ(୫)ଙ୍କୁ ଆଉଟ କରି ୟାଶ ଦୟାଲ ରାଜସ୍ଥାନକୁ ୯ମ ଝଟକା ଦେଇଥିଲେ। ଏଥିସହ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୫୫ ରନ୍‌ରେ ଅଟକି ଥିଲା।

ଗୁଜରାଟ ପକ୍ଷରୁ ଡେବ୍ୟୁଟାଣ୍ଟ ୟଶ ଦୟାଲ ଓ ଅଭିଜ୍ଞ ଲକି ଫର୍ଗୁସନ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ମହମ୍ମଦ ଶାମି ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

ବ୍ୟାଟିଂରେ ଅପରାଜିତ ୮୭ ଓ ବୋଲିଂରେ ଗୋଟିଏ ୱିକେଟ ପାଇଥିବା ହାର୍ଦ୍ଦିକଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

The post ହାର୍ଦ୍ଦିକ ପାଣ୍ଡ୍ୟା ସ୍ପେଶାଲ, ଶୀର୍ଷରେ ଗୁଜରାଟ appeared first on Odisha Reporter.



from Odisha Reporter https://ift.tt/3TPWEkZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages