ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଢେଙ୍କାନାଳର ନବ ନିର୍ବାଚିତ ପୌରାଧ୍ୟକ୍ଷ ଜୟନ୍ତୀ ପାତ୍ରଙ୍କ ଘର ବାହାରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଏନେଇ ଢେଙ୍କାନାଳ ଟାଉନ ଥାନାରେ ବିଳମ୍ବିତ ରାତିରେ ଅଭିଯୋଗ କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ସିସିଟିଭ୍ ଫୁଟେଜ୍ରୁ ଜଣାପଡ଼ିଛି ଯେ ଦୁର୍ବୃତ୍ତ ଜୟନ୍ତୀ ପାତ୍ରଙ୍କ ଘରର ଫାଟକକୁ ଲକ୍ଷ୍ୟ କରି ବୋମା ଫିଙ୍ଗି ଥିଲେ। ଏହି ବୋମାମାଡ଼ରେ ଘରର ପାଚେରି କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଜୟନ୍ତୀ ପାତ୍ର କହିଛନ୍ତି, ଘରେ ସମସ୍ତେ ଶୋଇଥିଲେ। ବିସ୍ଫୋରଣ ଶବ୍ଦ ଶୁଣି ସମସ୍ତେ ଉଠି ପଡ଼ିଥିଲେ। ସେତେବେଳେ ରାତି ପ୍ରାୟ ୧ଟା ୪୦ ହୋଇଥିଲା। ଆମେ ସମସ୍ତେ ଘରୁ ବାହାରି ଦେଖିଲୁ ଗେଟ୍ ପାଖ ଜାଗା ଧୂଆଁମୟ ହୋଇଯାଇଛି। ସିସିଟିଭିରେ ବି ଏହି ଦୃଶ୍ୟ କଏଦ ହୋଇଛି। କିନ୍ତୁ କିଏ ଫିଙ୍ଗିଛି ଆମେ ଜାଣିନୁ। ଆମର ବହୁତ ବିରୋଧୀ ଅଛନ୍ତି। ଏହା ବିଜେଡିର କାମ ବି ହୋଇଥାଇପାରେ ବୋଲି ସେ କହିଛନ୍ତି।
ଏହି ଘଟଣା ପରେ ପୌରାଧ୍ୟକ୍ଷ ତାଙ୍କ ପାଇଁ ପୁଲିସ୍ ସୁରକ୍ଷା ଦାବି କରିଛନ୍ତି। ସେ କହିଛନ୍ତି, ମୋ ଜୀବନ ପ୍ରତି ବିପଦ ଅଛି। ଏଣୁ ପୁଲିସ୍ ପ୍ରଶାସନ ମୋତେ ସୁରକ୍ଷା ଦେଉ। ଏଥିପାଇଁ ଆମ ଘର ବାହାରେ ପୁଲିସ୍ ମୁତୟନ କରାଯାଉ।
ଜୟନ୍ତୀ ପାତ୍ର ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ତାଙ୍କ ଘର ବାହାରେ ଏହା ହେଉଛି ଦ୍ୱିତୀୟ ଅଘଟଣ। ଏହା ପୂର୍ବରୁ ମାର୍ଚ୍ଚ ୩୦ ତାରିଖରେ କେହି ଦୁର୍ବୃତ୍ତ ଫାଙ୍କା ଗୁଳି ଚାଳନା କରିଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଯେଉଁମାନେ ଘର ବାହାରେ ଫାଙ୍କା ଗୁଳି ଚାଳନା କରିବା ସହିତ ତାଙ୍କୁ ଗାଳିଗୁଲଜ କରିଥିଲେ, ସେମାନେ ମଧ୍ୟ ବୋମା ଫିଙ୍ଗିଛନ୍ତି ବୋଲି ଜୟନ୍ତୀ କହିଛନ୍ତି।
ଢେଙ୍କାନାଳର ବିଜେଡି ବିଧାୟକ ସୁଧୀର କୁମାର ସାମଲଙ୍କ ନିର୍ଦ୍ଦେଶରେ ପୌରାଧ୍ୟକ୍ଷଙ୍କ ଘର ବାହାରେ ଫାଙ୍କା ଗୁଳି ଚାଳନା କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ତେବେ ବିଧାୟକ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ସୂଚନାଯୋଗ୍ୟ, ଢେଙ୍କାନାଳ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଜୟନ୍ତୀ ପାତ୍ର ବିଜେପିର।
The post ପୌରାଧ୍ୟକ୍ଷଙ୍କ ଘର ବାହାରେ ବୋମାମାଡ଼ appeared first on Odisha Reporter.
from Odisha Reporter https://ift.tt/L6hQ83T
No comments:
Post a Comment