ରୋପୱେ ଟ୍ରାଜେଡି: ଯାତ୍ରୀ ପାଇଥାନ୍ତେ ନୂଆ ଜୀବନ, ହେଲେ ଖସିଗଲା ହାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 12, 2022

ରୋପୱେ ଟ୍ରାଜେଡି: ଯାତ୍ରୀ ପାଇଥାନ୍ତେ ନୂଆ ଜୀବନ, ହେଲେ ଖସିଗଲା ହାତ

ରାଞ୍ଚି: ପାଖକୁ ଆସିଥିଲା ସହାୟତାର ହାତ ।  ହୁଏତ କିଛି କ୍ଷଣ ମଧ୍ୟରେ ମିଳିଥାନ୍ତା ନୂଆ ଜୀବନ। ହେଲେ ଛକି ରହିଥିଲା ଯମ ।  ପାଣି ଫୋଟକା ପରି ମିଳାଇଗଲା ବଞ୍ଚିବାର ଆଶା । ଖସିଗଲା ହାତ । ମାଡ଼ି ବସିଲା ମୃତ୍ୟୁ ।  ଝାଡଖଣ୍ଡ ଦେଓଘରରେ ରବିବାର ସନ୍ଧ୍ୟାରେ ହୋଇଥିବା ରୋପୱେ  ଦୁର୍ଘଟଣାରେ ଫସି ରହିଥିବା ଜଣେ ଯାତ୍ରୀ ବଞ୍ଚିବା ନିମନ୍ତେ କରିଥିବା ସମସ୍ତ ସଂଘର୍ଷର ହୋଇଛି ଦୁଃଖଦ ଅନ୍ତ । ଜୀବନ, ମରଣ ସଂଘର୍ଷର ଏହି ଛାତିଥରା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

।  ବାୟୁସେନା ହେଲିକପ୍ଟର ଯୋଗେ ମୃତ୍ୟୁ ମୁହଁରୁ ବାହାରି ଆସିବାକୁ ଯାତ୍ରୀଜଣକ କରିଥିଲେ ପ୍ରାଣ ମୂର୍ଚ୍ଛା ଉଦ୍ୟମ । ହେଲେ ଶେଷ ମୁହୂର୍ତ୍ତରେ ସବୁ ଫେଲ୍‌ ମାରିଲା। ଆଉ ମାତ୍ର କିଛି ସେକେଣ୍ଡରେ ରେସକ୍ୟୁ ଟିମ୍‌  ସୁରକ୍ଷିତ ଭାବେ ଉଦ୍ଧାର କରିଦେଇଥାନ୍ତେ । ହେଲେ ମଝି ଆକାଶରେ ସୁତା ଖିଅରେ ଝୁଲୁଥିଲା ଜୀବନ ।  ହାତ ଖସିଯିବାରୁ ତଳେ ପଡ଼ି ଚାଲିଗଲା ଜଣେ ଯାତ୍ରୀଙ୍କ ଜୀବନ।

ଝାଡଖଣ୍ଡ ଦେଓଘରରେ ରବିବାର ସନ୍ଧ୍ୟାରେ ହୋଇଥିବା ରୋପୱେ  ଦୁର୍ଘଟଣାକୁ ପ୍ରାୟ ୪୦ ଘଣ୍ଟା ବିତି ସାରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନି ରେସକ୍ୟୁ ଅପରେସନ । ଗତ ରବିବାର ସନ୍ଧ୍ୟା ବେଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ଆଜି  ବି ଟ୍ରଲିରେ ଫସି ରହିଛନ୍ତି ୧୦ ଯାତ୍ରୀ। ପ୍ରାୟ ୨ ରାତି ହେବ ମଝି ଆକାଶରେ ଟ୍ରଲିରେ ଅଟକି ରହିଥିବା ଯାତ୍ରୀ ଉଦ୍ଧାର ହେବାକୁ କରୁଛନ୍ତି କାକୁତିମିନତି।

ତ୍ରିକୁଟରେ ରୋପୱେ ସେବା ପରିଚାଳନା କରୁଥିବା ଦାମୋଦର ପ୍ରାଇଭେଟ ଲିମିଟେଡ ନାମକ ପ୍ରାଇଭେଟ କମ୍ପାନୀର ଜେନେରାଲ ମ୍ୟାନେଜର ମହେଶ ମେହେତାଙ୍କ କହିବାନୁଯାୟୀ, ରୋପୱେ ଦୁର୍ଘଟଣା ଯୋଗୁ ୮ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଘଟିବା ସମୟରେ ରୋପୱେରେ  ଫସିଥିବା ଯାତ୍ରୀଙ୍କ ମଧ୍ୟରୁ ୩୪ ଜଣଙ୍କୁ ଉଦ୍ଧାର କରାଯାଇଛି। ରେସକ୍ୟୁ ସମୟରେ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବି ଫସି ରହିଥିବା ୧୦ ଜଣଙ୍କ ମଧ୍ୟରେ ମହିଳା, ପୁରୁଷ, ଛୋଟ ଛୁଆ ଅଛନ୍ତି ।

ଗତକାଲି ରେସକ୍ୟୁ ଅପରେସନକୁ ଜୋରଦାର କରାଯାଇଥିବା ବେଳେ ରାତି ହୋଇଯିବାରୁ ତାହାକୁ ବନ୍ଦ କରାଯାଇଛି। ଏହାପରେ ଆଜି ସକାଳୁ ଏହି ଅପରେସନକୁ ପୁଣିଥରେ ଜୋରଦାର କରାଯାଇ  ୪ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି।  ରେସକ୍ୟୁ ଅପରେସନରେ  ବାୟୁସେନାର ଦୁଇଟି ଏମଆଇ-୧୭ ହେଲିକପ୍ଟର, ଆଇଟିବିପି ଏବଂ ଏନଡିଆରଏଫ୍  ଟିମ୍‌ ନିୟୋଜିତ ଅଛନ୍ତି। ରୋପ୍ୱେରେ ଝୁଲି ରହିଥିବା ତାର ଯୋଗୁଁ ସମସ୍ୟା ହେଉଥିଲେ ବି ରେସକ୍ୟୁ ଅପରେସନରେ ଲାଗି ପଡିଛନ୍ତି ବାୟୁସେନାର ଯବାନ । ଡ୍ରୋନ୍ ଜରିଆରେ ଫସିରହିଥିବା ପର୍ଯ୍ୟଟକଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି ।

ରବିବାର ଅପରାହ୍ନରେ ହଠାତ୍ ରୋପୱେରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ କ୍ୟାବିନ୍‌ଗୁଡିକର ଗତି ଉପରେ ଆଉ ନିୟନ୍ତ୍ରଣ ରହିଲାନି । ଚାହୁଁ ଚାହୁଁ ପରସ୍ପର ସହ ଧକ୍କା ହୋଇ ଖସି ପଡିଥିଲା କିଛି  ଟ୍ରଲି ।  ଏହି ସମୟରେ ରୋପୱେରେ ପ୍ରାୟ ୧୮ଟି ଟ୍ରଲି ଥିବା ବେଳେ ସେଥିରେ ଫସି ରହିଲେ ବହୁ ଯାତ୍ରୀ ।

କାହିଁକି ଓ କିପରି ଏତେବଡ଼ ଅଘଟଣ ଘଟିଗଲା ତାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ହେଲେ ଏହି ଘଟଣାକୁ ନେଇ ଝାଡ଼ଖଣ୍ଡ ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ବିରୋଧୀ ।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବୀର ଦାସ କହିଛନ୍ତି, ଦୀର୍ଘ ସମୟ ଧରି ରୋପୱେରେ ଯାତ୍ରୀମାନେ ଅଟକି ରହିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ସରକାରଙ୍କ ତରଫରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଆନ୍ତରିକତା ପ୍ରକାଶ ପାଇଲା ନାହିଁ । ଏ ଯାଏ କୌଣସି ମନ୍ତ୍ରୀ କିମ୍ବା ସରକାରଙ୍କ ପ୍ରତିନିଧୀ ଘଟଣାସ୍ଥଳ ପରିଦର୍ଶନ କରି ନାହାନ୍ତି।

ଦୁର୍ଘଟଣା ପରେ ତତ୍କାଳ ସେନାର ସହାୟତା ନିଆଯାଇଥିଲେ ଯାତ୍ରୀଙ୍କୁ ଏତେ କଷ୍ଟ ଭୋଗିବାକୁ ପଡ଼ି ନ ଥାନ୍ତା। ସେମାନଙ୍କ ଜୀବନ ସହ ଖେଳିଛନ୍ତି ସରକାର । ସରକାର ତତ୍କାଳ ସେନାକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ନ କରିବାରୁ ଯାତ୍ରୀଙ୍କୁ ୨ ରାତି ହେବ ରୋପୱେରେ  ଜୀବନ ମରଣ ମଝିରେ ଅଟକି ରହିବାକୁ ପଡ଼ିଲା।

The post ରୋପୱେ ଟ୍ରାଜେଡି: ଯାତ୍ରୀ ପାଇଥାନ୍ତେ ନୂଆ ଜୀବନ, ହେଲେ ଖସିଗଲା ହାତ appeared first on Odisha Reporter.



from Odisha Reporter https://ift.tt/ibSqODo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages