ହ୍ୟାଟ୍ରିକ ବିଜୟ ସହ ୨ ନଂକୁ ଉଠିଲା ଲକ୍ଷ୍ନୌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 7, 2022

ହ୍ୟାଟ୍ରିକ ବିଜୟ ସହ ୨ ନଂକୁ ଉଠିଲା ଲକ୍ଷ୍ନୌ

ମୁମ୍ବାଇ: ଚଳିତ ଆଇପିଏଲରେ ଡେବ୍ୟୁ କରିଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସର ବିଜୟ ଧାରା ଅବ୍ୟାହତ ରହିଛି। ଦଳ ଏବେ ହ୍ୟାଟ୍ରିକ ବିଜୟ ସହ ଆଇପିଏଲ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି। ପରାଜୟରୁ ସିଜିନ ଆରମ୍ଭ କରିଥିବା କେଏଲ ରାହୁଲଙ୍କ ଲକ୍ଷ୍ନୌ ଜବରଦସ୍ତ କମବ୍ୟାକ କରି କ୍ରମାଗତ ୩ଟି ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି।

ପଏଣ୍ଟ ଟେବୁଲରେ ପୂର୍ବଭଳି କୋଲକାତା ୧ନଂ ସ୍ଥାନରେ ଥିବା ବେଳେ ୩ନଂରେ ରାଜସ୍ଥାନ ରୟାଲ୍ସ ରହିଛି। ଗୁଜରାଟ ଟାଇଟନ୍ସ ନିଜର ୨ଟି ଯାକ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି।

ଗୁରୁବାର ରାତିରେ ଖେଳା ଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଲକ୍ଷ୍ନୌର ବ୍ୟାଟର ଓ ବୋଲରମାନେ କମାଲ କରିଛନ୍ତି। ବିଶେଷ କରି କ୍ୱିଣ୍ଟନ ଡି’କକଙ୍କ ବ୍ୟାଟରୁ ବଡ଼ ସ୍କୋର ଦେଖିବାକୁ ମିଳିଛି। ସେ ୫୨ ବଲ୍‌ରେ ୮୦ ରନ୍‌ କରିବାରୁ ଦଳ ଋଷଭ ପନ୍ତଙ୍କ ଦିଲ୍ଲୀକୁ ୬ ୱିକେଟରେ ହରାଇ ଦେଇଛି।

ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୩ ୱିକେଟ ହରାଇ ୧୪୯ ରନ୍‌ କରିଥିଲା। ଏହାର ଜବାବରେ ଲକ୍ଷ୍ନୌ ୪ ୱିକେଟ ହରାଇ ୨ ବଲ ପୂର୍ବରୁ ଧାର୍ଯ୍ୟ ଟାର୍ଗେଟ ହାସଲ କରି ନେଇଛି। ୮୦ ରନର ଇନିଂସ ଖେଳିଥିବା ଡି’କକ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଲକ୍ଷ୍ନୌ ଅଧିନାୟକ କେଏଲ ରାହୁଲ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଦିଲ୍ଲୀ ପାଇଁ ପୃଥ୍ୱୀ ଶ’ଙ୍କ ସହ ପ୍ରଥମଥର ପାଇଁ ଡାଭିଡ ୱାର୍ଣ୍ଣର ଇନିଂସ ଆରମ୍ଭ କରିଥିଲେ। ୱାର୍ଣ୍ଣର ଗତ ସଂସ୍କରଣ ଭଳି ଏଥର ମଧ୍ୟ ଆଇପିଏଲରେ ରନ୍ କରିବାକୁ ସଂଘର୍ଷ କରିଥିଲେ।

ହେଲେ ପୃଥ୍ୱୀ ଶ’ ବଡ଼ବଡ଼ ଶଟ୍ ଖେଳିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ପ୍ରଥମ ୱିକେଟ ପାଇଁ ଶ’ ଓ ୱାର୍ଣ୍ଣର ୬୭ ରନ୍‌ ଯୋଡ଼ିଥିଲେ। ହେଲେ ଏହା ମଧ୍ୟରୁ ପୃଥ୍ୱୀ ଏକାକୀ ୬୧ ରନ୍‌ ହାସଲ କରିଥିଲେ। ୱାର୍ଣ୍ଣର କେବଳ ଦେଖେଣାହାରି ସାଜି କ୍ରିଜ୍‌ର ଗୋଟିଏ ପାର୍ଶ୍ୱରେ ଛିଡ଼ା ହୋଇଥିଲେ।

ଦଳୀୟ ସ୍କୋର ୬୭ ଥିବା ବେଳେ କ୍ରିଷ୍ଣାପ୍ପା ଗୌତମ ୬୧ ରନ୍‌ କରିଥିବା ଶ’ଙ୍କୁ ଆଉଟ କରି ଦିଲ୍ଲୀକୁ ପ୍ରଥମ ଝଟକା ଦେଇଥିଲେ। ଏହାପରେ ରବି ବିଷ୍ଣୋଇ ୧୨ ବଲରେ ମାତ୍ର ୪ ରନ୍‌ କରିଥିବା ୱାର୍ଣ୍ଣରଙ୍କ ୱିକେଟ ନେଇଥିଲେ। ରୋଭମନ ପଲ(୩) ମଧ୍ୟ ସମସ୍ତଙ୍କୁ ନିରାଶ କରିଥିଲେ।

୪ର୍ଥ ୱିକେଟ ପାଇଁ ପନ୍ତ ଓ ସର୍ଫରାଜ ଖାନ କିଛି ଆଖି ଦୃଶିଆ ଶଟ୍‌ ଖେଳିବାରୁ ଦଳ ୨୦ ଓଭରରେ ୩ ୱିକେଟ ହରାଇ ୧୪୯ରେ ପହଞ୍ଚିଥିଲା। ସର୍ଫରାଜ ୨୮ ବଲରେ ୩୬ ଓ ପନ୍ତ ୩୬ ବଲରେ ୩୯ ରନ୍ କରି ଇନିଂସର ଶେଷ ବଲ ଯାଏ ଅପରାଜିତ ରହିଥିଲା।

୧୫୦ ରନର ଟାର୍ଗେଟ ପାଇଥିବା ଲକ୍ଷ୍ନୌ ପାଇଁ କେଏଲ ରାହୁଲ ଓ କ୍ୱିଣ୍ଟନ ଡି’କକ ଜବରଦସ୍ତ ଆରମ୍ଭ କରିଥିଲେ। ଉଭୟ ୯.୪ ଓଭର ସୁଦ୍ଧା ପ୍ରଥମ ୱିକେଟ ପାଇଁ ୭୩ ରନ୍‌ ସଂଗ୍ରହ କରିଥିଲେ। ଏହି ସମୟରେ କୁଲଦୀପ ଯାଦବଙ୍କୁ ବଡ଼ ଶଟ ମାରିବାକୁ ଯାଇ ରାହୁଲ(୨୪) ଆଉଟ ହୋଇଯାଇଥିଲେ।

ତେବେ ଡି’କକ ବଡ଼ବଡ଼ ଶଟ ଖେଳି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ବିଶେଷ କରି ସେ ଚଳିତ ଆଇପିଏଲର ପ୍ରଥମ ମ୍ୟାଚ ଖେଳୁଥିବା ଅନରିଚ ନୋର୍ଖିୟାଙ୍କ ବଲକୁ କଡ଼ା ପ୍ରହାର କରିଥିଲେ। ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ଇଭିନ ଲୁଇସ(୫) ବେଶୀ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ। ତାଙ୍କ ୱିକେଟ ଲଳିତ ଯାଦବଙ୍କ ଖାତାକୁ ଯାଇଥିଲା।

ଦୀପକ ହୁଡ୍ଡା(୧୧) ଆଉଟ ହେବା ବେଳକୁ ଦଳକୁ ଜିତିବା ପାଇଁ ମାତ୍ର ୫ ରନ୍‌ର ଆବଶ୍ୟକ ଥିଲା। ଏହାପୂର୍ବରୁ କୁଲଦୀପ ଯାଦବ ୮୦ ରନ୍‌ କରିଥିବା ଡି’କକଙ୍କ ୱିକେଟ ନେଇଥିଲେ। ଡି’କକ ଏହି ଇନିଂସରେ ୨ଟି ଛକା ଓ ୯ଟି ଚୌକା ମାରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ କୃନାଲ ପାଣ୍ଡ୍ୟା ୧୯ ଓ ଯୁବ ତାରକା ଆୟୁଷ ବାଦୋନି ଅପରାଜିତ ୧୦ ରନ୍‌ର ଇନିଂସ୍‌ ଖେଳି ଦଳକୁ ୨ ବଲ ପୂର୍ବରୁ ଜିତାଇଥିଲେ। ଲକ୍ଷ୍ନୌକୁ ଜିତିବା ପାଇଁ ୧ ରନ୍‌ ଦରକାର ଥିବା ବେଳେ ଶାର୍ଦ୍ଦୁଲ ଠାକୁରଙ୍କୁ ଆୟୁଷ ଛକା ମାରି ମ୍ୟାଚ୍‌ ଶେଷ କରିଥିଲେ।

ଦିଲ୍ଲୀ ପକ୍ଷରୁ କୁଲଦୀପ ୨ଟି ୱିକେଟ ନେଇଥିବା ବେଳେ ଲଳିତ ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

The post ହ୍ୟାଟ୍ରିକ ବିଜୟ ସହ ୨ ନଂକୁ ଉଠିଲା ଲକ୍ଷ୍ନୌ appeared first on Odisha Reporter.



from Odisha Reporter https://ift.tt/yIPruG2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages