ସୋର(ନିରଞ୍ଜନ ବେହେରା): ନାବାଳକକୁ ଅପହରଣ କରି ୫ ଲକ୍ଷରେ ବିକ୍ରି କରିବାକୁ ଫାଇନାଲ ହୋଇ ସାରିଥିଲା ଡିଲ୍। ଏଥିନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇ ନାବାଳକ ଅପହରଣ ବି ହୋଇ ସାରିଥିଲା। ହେଲେ ଫେସବୁକ୍ରେ ଫଟୋ ଭାଇରାଲ ହେବାରୁ ନିଜ ଯୋଜନାରେ ସଫଳ ହୋଇପାରିଲେନି ଅପହରଣକାରୀ। ଶେଷରେ ନାବାଳକଜଣକ ଉଦ୍ଧାର ହୋଇଥିବା ବେଳେ ତାଙ୍କୁ ଅପହରଣ କରିଥିବା ଅଭିଯୋଗରେ ପୁଲିସ୍ ଗୋଟିଏ ପରିବାରର ବାପାମା’, ପୁଅଙ୍କୁ ଅଟକ ରଖିଛି। ଏହି ଘଟଣାରେ ସମ୍ପୃକ୍ତ ଆଉ ଜଣେ ଫେରାର ହୋଇ ଯାଇଥିବା ଜଣାଯାଇଛି।
ଏହି ଘଟଣା ଗତକାଲି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଛତ୍ରପୁର ଗାଁରେ ଘଟିଥିଲା । ଅଟକ ୩ ଜଣ ହେଉଛନ୍ତି ଛତ୍ରପୁର ଗାଁର ଦୀନବନ୍ଧୁ ଦାସ, ପୁଅ ତାପସ ଦାସ ଓ ପତ୍ନୀ ରୁକ୍ମଣୀ ଦାସ l
ନାବାଳକଜଣକଙ୍କ ଗାଁ ସ୍କୁଲରେ ପଢ଼ୁଥିବା ବେଳେ ତାଙ୍କ ଘର ପାଖରେ ଅବସ୍ଥିତ ହେଉଛି ଦୀନବନ୍ଧୁଙ୍କ ଘର । ନାବାଳକଙ୍କୁ ଘରେ ସାବତ ମା’ ମାରଧର କରୁଥିବାରୁ ଏହାର ସୁଯୋଗ ନେଇ ମିଠା ମିଠା କଥା କହି ତାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ରୁକ୍ମଣୀ । ଏଥିନିମନ୍ତେ ଯୋଜନା ବି ପ୍ରସ୍ତୁତ କରି ସାରିଥିଲେ।
କିଛି ଦିନ ହେବ ରୁକ୍ମଣୀ ନାବାଳକଙ୍କ ସହ ଭଲ କଥା ହେଉଥିବା ବେଳେ ଘରେ ସାବତ ମା’ ବାଡ଼ାବାଡ଼ି କରୁଥିବାରୁ ଅନ୍ୟତ୍ର ଭଲ ଜାଗାରେ ଛାଡ଼ିଦେବେ ବୋଲି କହିଥିଲେ। ଗତକାଲି ଅପରାହ୍ନରେ ନାବାଳକଜଣକ ଖେଳୁ ଖେଳୁ ଦୀନବନ୍ଧୁଙ୍କ ଘରକୁ ଚାଲି ଯାଇଥିଲେ। ଏହି ସମୟରେ ସେମାନେ ପିଲାଟିକୁ କାବୁ କରି ରଶିରେ ହାତଗୋଡ଼ ବାନ୍ଧି ଦେଇଥିବା ବେଳେ ମୁହଁରେ ପଟି ମାରିଦେଇଥିଲେ। ସନ୍ଧ୍ୟା ହେବା ପରେ ଉଭୟ ଦୀନବନ୍ଧୁ ଓ ତାଙ୍କ ପୁଅ ତାପସ ପିଲାଟିକୁ ଏକ ବାଇକ୍ରେ ନିକଟବର୍ତ୍ତୀ ଭଦ୍ରକ ଜିଲ୍ଲାର ରମ୍ଭିଳାରେ ଏକ ନିଛାଟିଆ ଘରେ ରଖିଲେ। ଉକ୍ତ ଘର ମାଲିକ ମଧ୍ୟ ଏଥିରେ ସମ୍ପୃକ୍ତ ଥିଲେ। ସେଠାରେ ସେମାନେ ଫୋନରେ ପିଲାଟିକୁ ୫ ଲକ୍ଷରେ ବିକ୍ରି କରିବାକୁ କାହା ସହିତ କଥା ହୋଇଥିବା ପିଲାଟି ଶୁଣିଥିଲା।
ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଅ ଘରକୁ ନ ଫେରିବାରୁ ପରିବାର ଲୋକେ ଗାଁ ସାରା ଖୋଜାଖୋଜି ଆରମ୍ଭ କରିଥିଲେ। ଏଥିସହ ଫେସବୁକ୍ରେ ମଧ୍ୟ ପିଲାଟିର ଫଟୋ ଭାଇରାଲ ହେବାରେ ଲାଗିଲା। ଏପରି ସ୍ଥିତିରେ ପିଲାଟିକୁ କେଉଁଆଡ଼େ ନେବା ବିପଦପୂର୍ଣ୍ଣ ବୋଲି ତାକୁ ଲୁଚାଇ ରଖାଯାଇଥିବା ଘର ମାଲିକ ଭାବିଥିଲେ। ଏହାପରେ ସେ ପିଲାଟିକୁ ବାଇକ୍ରେ ଆଣି ତାଙ୍କ ଗାଁ ମୁଣ୍ଡରେ ଛାଡ଼ି ଦେଇଥିଲେ।
ପରିବାର ଲୋକେ ଓ ଗ୍ରାମବାସୀ ପିଲାଠୁ ସବୁ କଥା ଶୁଣି ଦୀନବନ୍ଧୁ , ତାପସ ଦାସ ଓ ରୁକ୍ମଣୀଙ୍କୁ ଘରୁ ଉଠାଇ ଆଣିଥିଲେ। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଥିବା ବେଳେ ଖବର ପାଇ ଆଜି ସକାଳେ ପୁଲିସ୍ ପହଞ୍ଚି ଅଟକ ୩ ଜଣଙ୍କୁ ଥାନାକୁ ନେଇଛି। ହେଲେ ପିଲାଟିକୁ ଯାହା ଘରେ ଲୁଚା ଯାଇଥିଲା ସେ ଫେରାର ହୋଇଯାଇଥିବା ଜଣାଯାଇଛି।
The post ୫ ଲକ୍ଷରେ ପିଲା ବିକିବାକୁ ଫାଇନାଲ୍ ହୋଇଥିଲା ଡିଲ୍, ହେଲେ… appeared first on Odisha Reporter.
from Odisha Reporter https://ift.tt/yixm0Dh
No comments:
Post a Comment