ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ଆଜି ସକାଳେ ବାତ୍ୟାର ରୂପ ନେଇଛି। ଏହି ବାତ୍ୟାର ନାଁ ‘ଅସାନି’ ରଖାଯାଇଛି। ଶ୍ରୀଲଙ୍କା ତରଫରୁ ଏହାର ନାମକରଣ କରାଯାଇଛି। ଏହାର ଅର୍ଥ ହେଉଛି ‘କ୍ରୋଧ’। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ବାତ୍ୟା ‘ଅସାନି’ ଏବେ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଏହା ପୁରୀଠାରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ ୧୦୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ସେହିପରି ପୋର୍ଟ ବ୍ଲେୟାରଠାରୁ ଏହା ୩୭୦ କିମି ଓ ବିଶାଖାପାଟଣାଠାରୁ ୯୭୦ କିମି ଦୂରରେ ରହିଛି। ବାତ୍ୟା ‘ଅସାନି’ ୧୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଦିଗରେ ତା’ର ଗତି ବଜାୟ ରଖିବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବ ଏବଂ ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ)ରେ ପରିଣତ ହେବାର ସମ୍ଭାବନା ରହିଛି।
ସେ କହିଛନ୍ତି, ବାତ୍ୟା ‘ଅସାନି’ ଭୀଷଣ ବାତ୍ୟାରେ ପରିଣତ ହେବା ପରେ ଏହାର ଦିଗ ଉତ୍ତର-ପଶ୍ଚିମ ରହିବ। ୧୦ ତାରିଖ ସନ୍ଧ୍ୟା ବେଳକୁ ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପହଞ୍ଚିବ। ଏହା ପରେ ବାତ୍ୟା ‘ଅସାନି’ର ଦିଗ ପରିବର୍ତ୍ତନ ହେବ। ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ ଏବଂ ଓଡ଼ିଶା ଉପକୂଳରେ ସମାନ୍ତରାଳରେ ମୁହାଁବାର ସମ୍ଭାବନା ରହୁଛି।
ଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୧୦ ତାରିଖ ସନ୍ଧ୍ୟାରୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ଗଞ୍ଜାମ, ଗଜପତି ଓ ପୁରୀର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ (୭ରୁ ୧୧ ସେଣ୍ଟିମିଟର) ବର୍ଷା ହେବାର ସମ୍ଭାବନା ରହିଛି। ୧୧ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବ। ଏହି ଦିନ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ (୭ରୁ ୧୧ ସେଣ୍ଟିମିଟର) ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ଅତିପ୍ରବଳ ବର୍ଷା ଅର୍ଥାତ୍ ୧୧ରୁ ୨୦ ସେଣ୍ଟିମିଟରର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପରବର୍ତ୍ତୀ ସମୟରେ ଆକଳନ କରାଯିବ। ୧୨ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା ହୋଇପାରେ।
ବାତ୍ୟା ‘ଅସାନି’ ଯୋଗୁ ସମୁଦ୍ରରେ ଏବେ ପବନରେ ବେଗ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବା ସର୍ବାଧିକ ୯୦ କିମି ରହୁଛି। ତେଣୁ ସମୁଦ୍ର ଅଶାନ୍ତ ରହୁଛି। ୯ ତାରିଖରୁ କେନ୍ଦ୍ରୀୟ ବଙ୍ଗୋପସାଗରରୁ ଆରମ୍ଭ କରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ତା’ଛଡ଼ା ୧୦ ଓ ୧୧ ତାରିଖ ଯାଏଁ ଓଡ଼ିଶା ଉପକୂଳ ଓ ଉତ୍ତର ଆନ୍ଧ୍ର ଉପକୂଳରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ନଯିବାକୁ କୁହାଯାଇଛି। ସେହିପରି ୧୦ ତାରିଖରେ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି। ଏହା ସହିତ ରାଜ୍ୟରେ ଥିବା ସମସ୍ତ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।
The post ସୃଷ୍ଟି ହେଲା ବାତ୍ୟା ‘ଅସାନି’; ୧୦ ସନ୍ଧ୍ୟାରୁ ବର୍ଷା appeared first on Odisha Reporter.
from Odisha Reporter https://ift.tt/sT6DBHO
No comments:
Post a Comment