ମୁମ୍ବାଇ: ଦେଶରେ ଏବେ ସାମାନ୍ୟ ନିୟନ୍ତ୍ରଣ ପରିସ୍ଥିତିରେ ରହିଛି ମହାମାରୀ କରୋନା। ତଥାପି ଦେଶରୁ ସମୂଳେ ନଷ୍ଟ ହୋଇନାହିଁ। ଏବେବି ଅନେକ କରୋନା ଆକ୍ରନ୍ତା ମାମଲା ଚିହ୍ନଟ ହେଉଛନ୍ତି। ଭାରତକୁ ଛାଡି ଦେଲେ ଅନ୍ୟ ଦେଶମାନଙ୍କରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଆତଙ୍କ ଖେଳାଇଛି। ଏହାରି ଭିତରେ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି ପ୍ରଥମ ଓମିକ୍ରନ୍ର ନୂଆ ସବ୍ ଭାରିଏଣ୍ଟ ଆକ୍ରାନ୍ତ।
ମହାରାଷ୍ଟ୍ର ପୁଣେରୁ B.A-4 ର ୪ଟି ମାମଲା ଓ B.A-5 ର ୩ଟି ମାମଲା ଚିହ୍ନଟ ହୋଇଛି। ଏହି ୭ ଜଣଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି। ରାଜ୍ୟରେ ପ୍ରଥମଥର ଓମିକ୍ରନ୍ର ଏହି ନୂଆ ସବ୍ ଭାରିଏଣ୍ଟ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଜାରି ହୋଇଛି।
ସମସ୍ତ ଆକ୍ରାନ୍ତଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖା ଦେଇଥିଲା। ଏହି ସମସ୍ତେ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏମାନଙ୍କ ଉପରେ ନଜର ରଖାଯାଇଥିବା ସୂଚନା ଦିଆଯାଇଛି। ଓମିକ୍ରନ୍ରେ ଆକ୍ରାନ୍ତ ହୋଇଥିବା ମହାରାଷ୍ଟ୍ରର ଦୁଇ ଜଣ ବେଲଜିୟମ୍ ଓ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ। ସେହିପରି ଅନ୍ୟ ଦୁଇ ଜଣ କର୍ଣ୍ଣାଟକ ଏବଂ କେରଳରୁ ଫେରିଥିଲେ।
ଗତ ୨୦ ତାରିଖରେ ଭାରତର ପ୍ରଥମ B.A-4 ମାମଲା ହାଇଦ୍ରାବାଦରେ ଚିହ୍ନଟ ହୋଇଥିଲା। B.A-4 ସବ୍-ଭାରିଏଣ୍ଟ ଗତ ଜାନୁଆରି ୧୦ରେ ଦକ୍ଷିଣ ଆଫ୍ରିକାର ଲିମ୍ପୋପୋରେ ଚିହ୍ନଟ ହୋଇଥିଲା। ସେହିପରି B.A-5 ସବ୍-ଭାରିଏଣ୍ଟ ଫେବ୍ରୁଆରି ୨୫ରେ ଦକ୍ଷିଣ ଆଫ୍ରିକାର କ୍ୱାଜୁଲୁ ନାଟାଲଠାରେ ପ୍ରଥମ ଥର ଚିହ୍ନଟ ହୋଇଥିଲା। ଏହି ୨ଟି ସବ୍-ଭାରିଏଣ୍ଟ ଏବେ ବିଶ୍ୱର ଅନେକ ଦେଶରେ ପହଞ୍ଚି ସାରିଲାଣି। ଏପରିକି ନିକଟରେ କେତେକ ଦେଶରେ ବଢ଼ି ଚାଲିଥିବା ସଂକ୍ରମଣ ପଛରେ ଏହି ୨ଟି ସବ୍-ଭାରିଏଣ୍ଟ ରହିଛି ବୋଲି କୁହାଯାଉଛି । ଏହି ସବ୍-ଭାରିଏଣ୍ଟ କମ ମାରାତ୍ମକ ହେଲେ ବି ଅଧିକ ସଂକ୍ରାମକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି।
The post ମହାରାଷ୍ଟ୍ରରେ ଓମିକ୍ରନ୍ର ନୂଆ ସବ୍ ଭାରିଏଣ୍ଟ, ୭ ପଜିଟିଭ appeared first on Odisha Reporter.
from Odisha Reporter https://ift.tt/b2Zc5hn
No comments:
Post a Comment