ମୁମ୍ବାଇ: ଛୁଟି କାଟିବା ପାଇଁ ପରିବାର ଲୋକଙ୍କ ସହ ଜଣେ ବିଧାୟକ ଦୁବାଇ ଯାଇଥିଲେ। ହେଲେ ଛୁଟି କାଟିବା ବେଳେ ଘଟିଛି ଅଘଟଣ। ଦୁବାଇରେ ହାର୍ଟଆଟାକର ସମ୍ମୁଖୀନ ହେବାରୁ ବିଧାୟକ ଜଣଙ୍କ ସବୁଦିନ ପାଇଁ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ଏପରି ଏକ ଦୁଃଖଦ ଘଟଣା ମୁମ୍ବାଇରୁ ଆସିଛି। ମୁମ୍ବାଇର ଶିବସେନା ବିଧାୟକ ରମେଶ ଲାଟକେ ହୃଦଘାତରେ ପ୍ରାଣ ହରାଇଥିବା ତାଙ୍କ ନିକଟତମ ସୂତ୍ରରୁ ଖବର ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ ହୋଇଥିଲା।
ଶିବସେନାର ଜଣେ ନେତା କହିଛନ୍ତି, ରମେଶ ନିଜ ପରିବାର ଲୋକଙ୍କ ସହ ଛୁଟି କାଟିବାକୁ ଦୁବାଇ ଯାଇଥିଲେ। ସେଠାରେ ହୃଦଘାତ ଯୋଗୁ ବୁଧବାର ତାଙ୍କର ଦେହାନ୍ତ ହୋଇଛି। ଏ ସମ୍ପର୍କରେ ଆମେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କୁ ଅବଗତ କରାଇଛୁ। ତାଙ୍କ ମର ଶରୀର ସେଠାରୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ଆମର ଆଶା ଆଜି ହିଁ ତାଙ୍କ ମରଶରୀର ଭାରତରେ ପହଞ୍ଚିବ ବୋଲି ନେତା ଜଣଙ୍କ କହିଛନ୍ତି।
ରମେଶ ମୁମ୍ବାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନ୍ଧେରୀ ପୂର୍ବ ଆସନରୁ ଦୁଇଥର ଶିବସେନା ଟିକେଟରୁ ବିଧାୟକ ହୋଇଥିଲେ। ଶିବସେନା ଓ ସ୍ଥାନୀୟ ଅଞ୍ଚଳରେ ତାଙ୍କ ବେଶ ଦବଦବା ରହିଥିଲା।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଶିବସେନା ଦୁଇ ସହଯୋଗୀ ଏନସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିଛି।
The post ଛୁଟି କାଟିବାକୁ ଯାଇଥିବା ବେଳେ ଦୁବାଇରେ ଚାଲିଗଲା ବିଧାୟକଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/9q0UO8M
No comments:
Post a Comment