ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୁଣି ଥରେ ଅସୁରକ୍ଷିତ ହୋଇଉଠିଛି ରାଜଧାନୀ। ନିଜକୁ ଅସୁରକ୍ଷିତ ମଣୁଛନ୍ତି ସାଧାରଣ ଲୋକଙ୍କ ସମେତ ବ୍ୟବସାୟୀ । ରାତି ଅଧରେ ବ୍ୟବସାୟ ସାରି ଘରମୁହାଁ ହେଉଥିବା ବ୍ୟବସାୟୀଙ୍କୁ ଟାର୍ଗେଟ କରୁଛନ୍ତି ଲୁଟେରା। ଏପରିକି ସେମାନଙ୍କ ନିକଟରୁ ନଗଦ ଟଙ୍କା ନେବା ସହ ସାମାନ୍ୟ ପ୍ରତିରୋଧ କଲେ ବିଚ୍ ରାସ୍ତାରେ ଗୁଳି ଫୁଟାଇବାକୁ ପଛାଉ ନାହାନ୍ତି। ପୂର୍ବରୁ ଜାଆଁଳା, ଡେଲଟା ସମେତ ରାଜଧାନୀର ବିଭିନ୍ନ ସ୍ଥାନରେ ସମାନ ଧରଣର କାଣ୍ଡ ଘଟିଥିବା ବେଳେ ଗତ ରାତିରେ ଭୁବନେଶ୍ୱର ସାମନ୍ତରାପୁର ମେନ୍ ରୋଡ୍ ଉପରେ ଏହି ଘଟଣାର ପୁନରାବୃତ୍ତି ହୋଇଛି। ଦୁର୍ବୃତ୍ତଙ୍କ ଗୁଳି ମାଡ଼ର ଶିକାର ହୋଇଛନ୍ତି ସୁନା ଦୋକାନୀ ପ୍ରଶାନ୍ତ ସାହୁ ଓ କାରିଗର ରାଜେନ୍ଦ୍ର ସାହୁ । ଗୁରୁତର ଅବସ୍ଥାରେ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ରାତିରେ ପ୍ରଶାନ୍ତ ଓ ରାଜେନ୍ଦ୍ର ନିଜ ଜୁଏଲାରୀ ଦୋକାନ ବନ୍ଦ କରି ବାଇକ୍ରେ ଫେରୁଥିଲେ। ଗୋଟିଏ ବାଇକ୍ରେ ତିନିଜଣ ଦୁର୍ବୃତ୍ତ ସେମାନଙ୍କ ପିଛା କରି ଭୁବନେଶ୍ୱର ସାମନ୍ତରାପୁର ମେନ୍ ରୋଡ୍ ଉପରେ ସେମାନଙ୍କୁ ଅଟକାଇଥିଲେ। ମୁଣ୍ଡ ଉପରେ ବନ୍ଧୁକ ରଖି ଭୟଭୀତ କରି ସେମାନଙ୍କ ନିକଟରେ ଥିବା ବ୍ୟାଗ୍ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ମାତ୍ର ପ୍ରଶାନ୍ତ ଏବଂ ରାଜେନ୍ଦ୍ର ଏହାର ପ୍ରତିରୋଧ କରିବାକୁ ଉଭୟ ପକ୍ଷଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଊଲା। ଏହାପରେ ଦୁର୍ବୁତ୍ତମାନେ ଗୁଳି ଚାଳନା କରିଥିଲେ। ଗୋଟିଏ ଗୁଳି ରାଜେନ୍ଦ୍ରଙ୍କ ଜଙ୍ଘରେ ବାଜିଥିବା ବେଳେ ଆଉ ଗୋଟିଏ ଗୁଳି ପ୍ରଶାନ୍ତଙ୍କ ଆଣ୍ଠୁରେ ବାଜିଛି । ରାଜେନ୍ଦ୍ର ଧରିଥିବା ଏକ ଚାବି ବ୍ୟାଗକୁ ଲୁଟେରା ସୁନାଗହଣା ଭାବି ଝାମ୍ପି ନେଇଛନ୍ତି।
ଖବର ଜଣାପଡ଼ିବା ପରେ ସ୍ପେଶାଲ ସ୍କ୍ୱାଡ୍ ଏସିପି ଓ ଲିଙ୍ଗରାଜ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛନ୍ତି। ସ୍ପଟ୍ରୁ ଖୋକା ଜବତ କରାଯାଇଛି । ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ଧଉଳି-ଦେଇ ପିପିଲି ଆଡ଼େ ଖସି ଯାଇଥିବା ଅନୁମାନ କରାଯାଉଛି । ପୁଲିସ୍ ରାତି ଅଧରେ ବିଭିନ୍ନ ସ୍ଥାନରେ ଚେକିଂକୁ କଡ଼ାକଡ଼ି କରିଥିବା ବେଳେ ଏବେ ଯାଏ ଦୁର୍ବୃତ୍ତଙ୍କ କୌଣସି ପତ୍ତା ମିଳିପାରିନାହିଁ ।
The post ଦୁର୍ବୃତ୍ତଙ୍କ ଗନ୍ ପଏଣ୍ଟରେ ବ୍ୟବସାୟୀ, ରାତି ଅଧରେ ଫୁଟିଲା ଗୁଳି appeared first on Odisha Reporter.
from Odisha Reporter https://ift.tt/SHsjktX
No comments:
Post a Comment