ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ‘ମୋ’ ଦୁଃଖ କେହି ବୁଝୁ ନାହାନ୍ତି। ସରପଞ୍ଚ ପରେ ସରପଞ୍ଚ ବଦଳୁଛନ୍ତି, ହେଲେ ମୋ ଭାଗ୍ୟ ବଦଳୁନି । ଭଙ୍ଗା ନୁଆଁଣିଆ ଚାଳ ଘରେ ବର୍ଷ ବର୍ଷ ଧରି ରହୁଛି। ସରକାରଙ୍କ ମାଳ ମାଳ ଯୋଜନା ମୋ’ କାମରେ ଆସୁନି।’ କ୍ଷୋଭର ସହ ଏପରି କହିଛନ୍ତି ଜଗତସିଂହପୁର ସଦର ବ୍ଲକ୍ ଅନ୍ତର୍ଗତ କାଦୁଅପଡା ପଞ୍ଚାୟତ କୁସିଙ୍ଗା ଗ୍ରାମର ସୁଶାନ୍ତ କୁମାର ରାୟ ।
ସୁଶାନ୍ତଙ୍କ ପରିବାର କହିଲେ ପତ୍ନୀ ଓ ତାଙ୍କ ୩ ସନ୍ତାନ। ଦିନ ମଜୁରିଆ ଭାବେ କାମ କରୁଥିବା ସୁଶାନ୍ତଙ୍କ ରୋଜଗାରରେ ୫ ପ୍ରାଣୀ କୁଟୁମ୍ବ ଚଳେ। ଅଧା ସମୟ ଉପାସରେ ବି ରହିବାକୁ ପଡ଼େ। ଏପରି ସ୍ଥିତିରେ ସୁଶାନ୍ତଙ୍କ ପରିବାର ମୁଣ୍ଡ ଗୁଞ୍ଜିଥିବା ଘରର ଅବସ୍ଥା ନ କହିଲେ ଭଲ ।
ଝାଟିମାଟି କାନ୍ଥ ଉପରେ ନୁଆଁଣିଆ ଚାଳଛପର ଘର । ଆଉ ତା’ ଉପରେ ଜରି ପାଲ। ବଖରାଏ ଘର ଭିତରେ ରୋଷେଇ, ଖାଇବା ଓ ଶୋଇବା ହୁଏ। ସେଠାରେ ଠାକୁର ମଧ୍ୟ ରହିଛନ୍ତି। ୩ ସନ୍ତାନଙ୍କ ସହିତ ସ୍ୱାମୀସ୍ତ୍ରୀ ବଡ ଦୟନୀୟ ଅବସ୍ଥାରେ ଏହି ଦରଭଙ୍ଗା ଚାଳିଆରେ ମୁଣ୍ଡ ଗୁଞ୍ଜି କୌଣସି ମତେ ରହିଛନ୍ତି। ବର୍ଷା ପବନ ହେଲେ ସୁଶାନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କୁ ପାଖପଡ଼ିଶାଙ୍କ ଘରେ ଆଶ୍ରୟ ନେବାକୁ ପଡେ ।
ସରକାରୀ ଯୋଜନାରୁ ଘର ଖଣ୍ଡିଏ ପାଇଁ କାଦୁଅପଡ଼ା ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାର ସହାୟତା ମିଳି ପାରୁ ନ ଥିବା ଅଭିଯୋଗ କରିଛନ୍ତି ସୁଶାନ୍ତ ଓ ତାଙ୍କ ପତ୍ନୀ। ନିର୍ବାଚନ ସମୟରେ ନେତାମାନେ ଆସି ଘର ଦେବାର ପ୍ରତିଶୃତି ଦେଉଛନ୍ତି । ହେଲେ ନିର୍ବାଚନ ପରେ ଆଉ ସେମାନଙ୍କୁ ଚିହ୍ନୁନଥିବା କ୍ଷୋଭର ସହିତ କହିଛନ୍ତି ଉଭୟ ସ୍ୱାମୀ-ସ୍ତ୍ରୀ।
ସୁଶାନ୍ତ କହିଛନ୍ତି, ପୂର୍ବତନ ସରପଞ୍ଚ ଆସି ଘର ଦେଖି ତୁମେ ପାଇବାକୁ ଯୋଗ୍ୟ ବୋଲି କହିଥିଲେ। ହେଲେ ଯେଉଁ ଲିଷ୍ଟ ଆସିଲା, ସେଥିରେ ଆମର ନାଁ ନାହିଁ। ବହୁତ ଦୟନୀୟ ଅବସ୍ଥାରେ ଆମେ ଦିନ କାଟୁଛୁ । ବର୍ଷା ହେଲେ ପିଲାଛୁଆ ଧରି କେଉଁଠି ମୁଣ୍ଡ ଗୁଞ୍ଜିବୁ, କ’ଣ ଖାଇବୁ ବୋଲି ପ୍ରଶ୍ନ କରିଛନ୍ତି ସୁଶାନ୍ତ ।
୫ ବର୍ଷରେ ଥରେ ଭୋଟ ସମୟରେ ସରପଞ୍ଚ ଆସି ଘର କରିଦେବୁ ବୋଲି କହୁଛନ୍ତି। ହେଲେ ଭୋଟ ସରିଗଲେ ଆଉ ଚିହ୍ନି ପାରୁ ନାହାନ୍ତି ବୋଲି କହିଛନ୍ତି ସୁଶାନ୍ତଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ।
ସୁଶାନ୍ତଙ୍କ ପ୍ରତି ହେଉଥିବା ପ୍ରଶାସନିକ ଅବହେଳାକୁ ନିନ୍ଦା କରିବା ସହିତ ସରକାରଙ୍କ ଯୋଜନା କାହାପାଇଁ ବୋଲି ପ୍ରଶ୍ନ କରିଛନ୍ତି ପଡ଼ିଶା ଓ ପଞ୍ଚାୟତ ବାସିନ୍ଦା। ତୁରନ୍ତ ତାଙ୍କ ଭଳି ଜଣେ ଗରିବ ଓ ବାସହୀନ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଆବାସ ଯୋଜନାରେ ସାମିଲ କରି ବାସଗୃହ ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି।
କାଦୁଅପଡ଼ା ପଞ୍ଚାୟତ ସରପଞ୍ଚ କହିଛନ୍ତି, କୁସିଙ୍ଗା ଗ୍ରାମର ସୁଶାନ୍ତ ରାୟ ସରକାରୀ ଯୋଜନାରେ ଘର ପାଇବାକୁ ଯୋଗ୍ୟ। ହେଲେ ସେ ସରପଞ୍ଚ ଭାବେ ନିର୍ବାଚିତ ହେବା ପୂର୍ବରୁ ପ୍ରସ୍ତୁତ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ତାଙ୍କ ନାମ ନାହିଁ। ଆଗାମୀ ଦିନରେ ସୁଶାନ୍ତ କିପରି ଏହି ଯୋଜନାରେ ସାମିଲ ହେବେ ସେଥିପାଇଁ ସେ ଉଦ୍ୟମ କରୁଥିବା କହିଛନ୍ତି। କେଉଁ ପରିସ୍ଥିତିରେ ସୁଶାନ୍ତ ରାୟଙ୍କ ନାମ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଛି ସେ ସଂପର୍କରେ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ଜଗତସିଂହପୁର ସଦର ବ୍ଲକ୍ ବିଡିଓ।
The post ‘ବର୍ଷ ବର୍ଷ ଧରି ଭଙ୍ଗା ଘରେ ରହୁଛି, ସରକାରଙ୍କ ମାଳ ମାଳ ଯୋଜନା ମୋ କାମରେ ଆସୁନି’ appeared first on Odisha Reporter.
from Odisha Reporter https://ift.tt/dM4Bh69
No comments:
Post a Comment