ଚାନ୍ଦବାଲି(ବାସୁଦେବ ଦାସ): ‘ଆମେ ଗରୀବ ଖଟିଖିଆ ଲୋକ । ଦିନ ସାରା ଖଟିଲେ ଆମ ଚୁଲି ଜଳୁଛି। କମ୍ପାନୀ ଆମକୁ ମାସ ମାସ ଖଟାଉଛି, ହେଲେ ଟଙ୍କାଟିଏ ବି ଦେଉନି । ତେଣୁ ଆମ ଟଙ୍କା ଆମକୁ ତୁରନ୍ତ ଦିଅ, ନଚେତ ତୁମ ଗାଡ଼ି ଛାଡ଼ିବୁନି ।’ ଗତକାଲି ଭଦ୍ରକ ଚାନ୍ଦବାଲି ବ୍ଲକ ମାଣିକପୁର ଅଞ୍ଚଳରେ ଗେଲ୍ ଇଣ୍ଡିଆ ଗାଡି ଅଟକାଇ ସ୍ଥାନୀୟ ଲୋକେ ଏପରି ବିକ୍ଷୋଭ କରିଥିଲେ। ଏଥିସହ ଗାଡ଼ିରେ ଆସିଥିବା ଇଞ୍ଜିନିୟରଙ୍କୁ ପାଖାପାଖି ୨ ଘଣ୍ଟା କାଳ ଅଟକ ରଖିଥିଲେ। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ମାଣିକପୁର ଅଞ୍ଚଳରେ ପ୍ରାୟ ଦେଢ ବର୍ଷ ହେବ ଗେଲ୍ ଇଣ୍ଡିଆ ପ୍ରୋଜେକ୍ଟ କାମ ଚାଲିଛି। ଏହି କାମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଯୁବକ ନିୟୋଜିତ ହୋଇଛନ୍ତି । ମାତ୍ର ସେମାନଙ୍କ ମଧ୍ୟରୁ ୨୦ରୁ ଊର୍ଦ୍ଧ୍ୱ ଜଣ ପ୍ରାୟ ୪ ମାସ ହେବ ଦରମା ପାଇ ନାହାନ୍ତି। ଆଜି ମିଳିବ, କାଲି ମିଳିବ କହି କମ୍ପାନୀ କର୍ତ୍ତୃପକ୍ଷ ଧରାଛୁଆଁ ଦେଉ ନାହାନ୍ତି।
ଗତକାଲି କମ୍ପାନୀ ଇଞ୍ଜିନିୟର ସାଇଟ୍ ବୁଲିବାକୁ ଆସିଥିବା ବେଳେ ଉତ୍ତ୍ୟକ୍ତ କର୍ମଚାରୀ ତାଙ୍କ ଗାଡ଼ିକୁ ଘେରି ଯିବା ସହ ତାଙ୍କୁ ଅଟକ ରଖିଥିଲେ। ବକେୟା ଟଙ୍କା ନ ମିଳିଲେ ଛାଡ଼ିବେନି ବୋଲି କହିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଖବର ପାଇ ପୁଲିସ୍ ପହଞ୍ଚି ଶ୍ରମିକଙ୍କ ନିକଟରୁ କମ୍ପାନୀ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାଶୁଝା କରିଛି। ଆସନ୍ତା ୭ ଦିନ ମଧ୍ୟରେ ଦରମା ପାଇ ନ ଥିବା କର୍ମଚାରୀଙ୍କ ସହ ଆଲୋଚନା କରାଯାଇ ସେମାନଙ୍କ ସମସ୍ୟା ସମାଧାନ କରାଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ଅଟକ ଇଞ୍ଜିନିୟରଙ୍କୁ ଛାଡ଼ିଛନ୍ତି ଉତ୍ତ୍ୟକ୍ତ ଲୋକେ ।
The post ତାତିଲେ କର୍ମଚାରୀ, କହିଲେ- ଆମ ଟଙ୍କା ଦିଅ, ତୁମ ଇଞ୍ଜିନିୟରଙ୍କୁ ନିଅ appeared first on Odisha Reporter.
from Odisha Reporter https://ift.tt/Z10nLef
No comments:
Post a Comment