ନୂଆଦିଲ୍ଲୀ: ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସକୁ ରାଜ୍ୟସଭା ନିର୍ବାଚନରେ ବଡ଼ ବିଜୟ ମିଳିଛି। ସ୍ୱାଧୀନ ଓ କିଛି ଆଞ୍ଚଳିକ ଦଳର ସମର୍ଥନରେ କଂଗ୍ରେସ ୪ଟି ରାଜ୍ୟସଭା ଆସନରୁ ୩ଟିରେ ବାଜିମାତ କରିଛି। ସେହିପରି ବିରୋଧୀ ବିଜେପି ଖାତାକୁ ଗୋଟିଏ ଆସନ ଯାଇଛି। ଏଠାରେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ତଥା ମିଡିଆ ଟାଇକୁନ ସୁଭାଷ ଚନ୍ଦ୍ରା କଂଗ୍ରେସର ଖେଳ ବିଗାଡ଼ିବାକୁ ଆସିଥିଲେ।
କିନ୍ତୁ ବିଜେପିର ଶତ ଚେଷ୍ଟା ସତ୍ତ୍ୱେ ଶ୍ରୀ ଚନ୍ଦ୍ରା ପରାସ୍ତ ହୋଇଛନ୍ତି। ସେ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ଜିତିବେ ବୋଲି ଦମ୍ଭୋକ୍ତି କରୁଥିଲେ। ହେଲେ ତାଙ୍କ ଦମ୍ଭୋକ୍ତି ଏବେ ଫସର ଫାଟିଛି।
କର୍ଣ୍ଣାଟକାର ୪ଟି ରାଜ୍ୟସଭା ଆସନରୁ ବିଜେପି ୩ଟିରେ ଜିତିଛି। ସେହିପରି କଂଗ୍ରେସ ଗୋଟିଏରେ ବାଜିମାତ କରିଛି। ଏଠାରେ ଦେବ ଗୌଡ଼ାଙ୍କ ଜେଡିଏସ୍ ଗୋଟିଏ ଆସନ ଉପରେ ଆଖି ପକାଇଥିଲା। ହେଲେ କଂଗ୍ରେସ ସହ ଦଳ ବୁଝାମଣା ନ କରିବାରୁ ରାଜ୍ୟରେ ଖାତା ଖୋଲିବାକୁ ସକ୍ଷମ ହୋଇନି। କର୍ଣ୍ଣାଟକାରୁ ବିଜେପିର ନିର୍ମଳା ସୀତାରମଣ, ଜାଗେଶ ଓ ଲେହର ସିଂହ ସିରୋୟା ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଜୟରାମ ରମେଶ ପୁଣିଥରେ ରାଜ୍ୟସଭାକୁ ଯିବାକୁ ସୁଯୋଗ ପାଇଛନ୍ତି।
ସୀତାରମଣ ଓ ଜୟରାମ ରମେଶ ୪୬ଟି ଲେଖାଏ ଭୋଟ ପାଇଥିବା ବେଳେ ଜାଗେଶ ୪୪ଟି ଓ ସିରୋୟା ୩୩ଟି ଭୋଟ ପାଇଛନ୍ତି। ଏଠାରେ କଂଗ୍ରେସର ମନସୁର ଖାନଙ୍କୁ ହାରିବାକୁ ପଡ଼ିଛି। କର୍ଣ୍ଣାଟକାରେ ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ୪୫ଟି ଭୋଟର ଆବଶ୍ୟକ ଥିଲା। ବିଧାନସଭାରେ ଆସନ ସଂଖ୍ୟା ଦୃଷ୍ଟିରୁ ବିଜେପି ୪ଟି ଆସନରୁ ୨ଟି ଓ କଂଗ୍ରେସ ଗୋଟିଏ ଜିତିବ ବୋଲି ସମସ୍ତେ ଜାଣିଥିଲେ। କିନ୍ତୁ ଅଧିକାଂଶ ବିଧାୟକଙ୍କ ଭୋଟ ଦ୍ୱିତୀୟ ପସନ୍ଦ ଭୋଟିଂ ଭାବେ ଗଣତି କରାଯାଇଥିଲା। ଏହି ସମୟରେ ଅନ୍ୟ ଦଳର ବିଧାୟକମାନେ କ୍ରସ ଭୋଟିଂ କରିଥିଲେ। ଏହି କାରଣରୁ ବିଜେପିର ୩ୟ ପ୍ରାର୍ଥୀ ରାଜ୍ୟସଭା ନିର୍ବାଚନ ଜିତିବାକୁ ସକ୍ଷମ ହୋଇଛନ୍ତି। ବିଜେପି ମଧ୍ୟ ବୋନସ ଭାବେ କର୍ଣ୍ଣାଟକାରେ ୩ୟ ଆସନ ଜିତିଥିବା ସ୍ୱୀକାର କରିଛି।
ରାଜସ୍ଥାନରେ କଂଗ୍ରେସର ସମସ୍ତ ୩ ପ୍ରାର୍ଥୀ ରଣଦୀପ ସୂର୍ଯ୍ୟେୱାଲା, ପ୍ରମୋଦ ତିୱାରୀ ଓ ମୁକୁଲ ୱାସନିକ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ରାଜସ୍ଥାନର ୪ ରାଜ୍ୟସଭା ଆସନ ପାଇଁ କଂଗ୍ରେସ ୩ଟି ସିଟ୍ରେ ପ୍ରାର୍ଥୀ ଦେଇଥିଲା। ଏହି ୩ଟି ଆସନ ଜିତିବା ପାଇଁ ଦଳକୁ ମୋଟ ୧୨୩ ଭୋଟର ଆବଶ୍ୟକ ଥିଲା। ଫଳାଫଳ ପରେ ଦଳକୁ ୧୨୬ଟି ଭୋଟ ମିଳିଥିବା ଜଣାପଡ଼ିଛି।
ସୂର୍ଯ୍ୟେୱାଲା ୪୩, ୱାସନିକ୍ ୪୨ ଓ ତିୱାରୀ ୪୧ଟି ଭୋଟ ପାଇଛନ୍ତି। ସେହିପରି ବିଜେପିର ଘନଶ୍ୟାମ ତିୱାରୀଙ୍କୁ ୪୩ଟି ଭୋଟ ମିଳିଛି। ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ମାତ୍ର ୩୦ଟି ଭୋଟ ପାଇଛନ୍ତି। ରାଜ୍ୟସଭା ନିର୍ବାଚନ ବେଳେ ବିଜେପିର ଜଣେ ବିଧାୟକ କଂଗ୍ରେସ ସପକ୍ଷରେ କ୍ରସ ଭୋଟିଂ କରିଥିଲେ। ଏଥିପାଇଁ ତାଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି।
The post ରାଜସ୍ଥାନରେ କଂଗ୍ରେସ ଓ କର୍ଣ୍ଣାଟକାରେ ବିଜେପିର ବଡ଼ ବିଜୟ, ହାରିଲେ ସୁଭାଷ ଚନ୍ଦ୍ରା appeared first on Odisha Reporter.
from Odisha Reporter https://ift.tt/0KpS2Xs
No comments:
Post a Comment