ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଘୋଷଯାତ୍ରା ଅବସରରେ ଆସିଛି ଏକ ଦୁଃଖଦ ଖବର। ଆଉ ନାହାନ୍ତି ଜଣାଶୁଣା ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ କୁମାର ପଣ୍ଡା। ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା।
ଦୈନିକ ଖବର କାଗଜ ‘ସମୟ’ ସହିତ ଦୀର୍ଘ ବର୍ଷ ହେଲା ଜଡ଼ିତ ଥିଲେ ଫଟୋ ସାମ୍ବାଦିକ ଅଶୋକ କୁମାର ପଣ୍ଡା। ଆଜି ସେ ପୁରୀ ଯାଉଥିଲେ ଘୋଷଯାତ୍ରା ଅବସରରେ ଫଟୋ ଉଠାଇବା ପାଇଁ। ଭୋର ପ୍ରାୟ ୫ଟା ବେଳେ ସେ ବାଇକ୍ ଯୋଗେ ପୁରୀ ଅଭିମୁଖେ ଯାଉଥିବା ବେଳେ ସାତଶଙ୍ଖ ନିକଟରେ କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା
ଗୁରୁତର ଅବସ୍ଥାରେ ଅଶୋକ ପଣ୍ଡାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅଶୋକ ପଣ୍ଡା ‘ସମୟ’ ବ୍ୟତୀତ ବହୁ ପ୍ରତିଷ୍ଠିତ ଖବରକାଗଜରେ ଫଟୋ ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ। ସେ ଇଷ୍ଟର୍ନ ପ୍ରେସ୍ ଏଜେନ୍ସୀରୁ ଫଟୋ ସାମ୍ବାଦିକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଏଠାରେ ସେ ୧୯୮୪ରୁ ୧୯୯୫ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୧୯୯୬ରେ ସେ ଦୈନିକ ଖବର କାଗଜ ‘ସମୟ’ରେ ଯୋଗ ଦେଇଥିଲେ। ୧୯୯୭ରୁ ୨୦୦୦ ପର୍ଯ୍ୟନ୍ତ ସେ ଦି ଏସିଆନ୍ ଏଜ୍ ଓ ୨୦୦୦ରୁ ୨୦୧୧ ପର୍ଯ୍ୟନ୍ତ ଦି ଟାଇମ୍ସ ଅଫ୍ ଇଣ୍ଡିଆକୁ ମଧ୍ୟ ଫଟୋ ଦେଉଥିଲେ। ଏହା ସହିତ ସେ ନ୍ୟୁଜ୍ଟାଇମ୍ସ, ଇନାଡୁ ଓ ସନ୍ମାର୍ଗକୁ ଫଟୋ ଦେଉଥିଲେ। ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଥିଲେ।
The post ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/Orx8YdT
No comments:
Post a Comment