ବାରିପଦା(ମାଣିକ ଲାଲ ପାଣି): ଆଜିଠାରୁ ୪ ମାସ ଯାଏ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଆଜିଠୁ ଅଭୟାରଣ୍ୟକୁ ବନ୍ଦ ରଖାଯିବ । ଏନେଇ ସୂଚନା ଦେଇଛନ୍ତି ଉତ୍ତର ଶିମିଳିପାଳର ଏସିଏଫ୍ ପ୍ରଦୀପ କୁମାର ଦେ ।
ବର୍ଷା ଆସିଲେ ଶିମିଳିପାଳ ଅଭୟାରଣ୍ୟ ଭିତର ମାଟିରାସ୍ତା ଓ ପୋଲ ବିପଦପୂର୍ଣ୍ଣ ହୋଇଯାଏ । ଏଣୁ ପ୍ରତିବର୍ଷ ମୌସୁମୀ ଆଗମନ ପୂର୍ବରୁ ଶିମିଳିପାଳକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥାଏ । ବର୍ଷା କମିବା ପରେ ଆଭ୍ୟନ୍ତରୀଣ ରାସ୍ତା ଓ ପୋଲର ମରାମତି କରାଯାଇଥାଏ । ଏହାପରେ ଶୀତ ଆଗମନ ହେଲେ ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଥାଏ ଶିମିଳିପାଳ ଗେଟ୍।
୨, ୭୫୦ ବର୍ଗ କିଲୋମିଟରରେ ପରିବ୍ୟାପ୍ତ ଶିମିଳିପାଳ ଅଭୟାରଣ୍ୟରେ ଥିବା ବରେହିପାଣି, ଯରୋନ୍ଦା ଆଦି ଜଳପ୍ରପାତ ଦେଖିବାକୁ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ତା ସହିତ ନଅଣା, ଗୁଡୁଗୁଡିଆର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମଧ୍ୟ ବେଶ୍ ଉପଭୋଗ କରିଥାଆନ୍ତି ଲୋକେ । କିଛି ବର୍ଷ ହେବ ଶିମିଳିପାଳରେ ରାତ୍ରୀଯାପନ ବ୍ୟବସ୍ଥା କରାଯାଇଥିବାରୁ ପର୍ଯ୍ୟଟକ ଏଥିପ୍ରତି ବେଶ୍ ଆକୃଷ୍ଟ ହେଉଛନ୍ତି। ଏଥିନିମନ୍ତେ ଗୁଡୁଗୁଡିଆ, ଜାମୁଆଣି, ରାମତୀର୍ଥ ଓ କୁମାରିରେ କ୍ୟାମ୍ପ ସହିତ କଟେଜ ବ୍ୟବସ୍ଥା ରହିଛି ।
ଗତବର୍ଷ ନଭେମ୍ବର ୧ରେ ଶିମିଳିପାଳ ଗେଟ୍ ପର୍ଯ୍ୟଟକଙ୍କ ପାଇଁ ଖୋଲିଥିବା ବେଳେ ଆଜିଠୁ ତାହାକୁ ବନ୍ଦ କରି ଦିଆଯାଇଛି। ଏହି ସମୟ ମଧ୍ୟରେ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହୋଇଥିବା ବେଳେ ପାଖାପାଖି ଅଢେଇ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିବା ବନବିଭାଗ କହିଛି ।
The post ଆଜିଠୁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା, ୪ ମାସ ବନ୍ଦ ରହିବ ଗେଟ୍ appeared first on Odisha Reporter.
from Odisha Reporter https://ift.tt/yLQ6Ffr
No comments:
Post a Comment