ପୁରୀ(ଓଡ଼ିଶା ରିପୋର୍ଟର): ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ । ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି । ଏହି ଅବସରରେ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭୋଗ ଲାଗି ହେବାର ବିଧି ରହିଛି ।
ଗତକାଲି ଶେଷ ହୋଇଛି ଶ୍ରୀଜିଉଙ୍କ ଅଧରପଣା ନୀତି । ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ଲାଗି ହୋଇଛି ସୁସ୍ୱାଦୁ ଓ ସୁବାସିତ ପଣା । ୩ ରଥରେ ୩ଟି ଲେଖାଏଁ ମୋଟ ୯ଟି ତୁମ୍ବ ଭଳି ମାଟି ହାଣ୍ଡିରେ ଏହି ପଣା ଲାଗି ହୋଇଛି । ଏହି ତୁମ୍ବର ଉଚ୍ଚତା ମହାପ୍ରଭୁଙ୍କ ଅଧର ଉଚ୍ଚର ହୋଇଥିବାରୁ ଏହାକୁ ଅଧର ପଣା କୁହାଯାଏ । ସାଚି, ଛେନା, କଦଳୀ, କ୍ଷୀର, ସର, ଗୋଲମରିଚ , କର୍ପୁର, ଜାଇଫଳ, କଦଳୀ ଇତ୍ୟାଦି ଦ୍ରବ୍ୟରେ ପଣା ପ୍ରସ୍ତୁତ ହୋଇଥିଲା। ସିଂହଦ୍ୱାର ସମ୍ମୁଖ ଛାଉଣୀମଠର କୂଅରୁ ପାଣିଆ ଆପଟ ସେବକ ମାନେ ପଣା ପାଇଁ ପାଣି ଯୋଗାଇ ଦେଇଥିଲେ। ପରେ ପତ୍ରିବଡୁ, ସୁଆର ବଡ଼ୁ, ଗରାବଡୁ ସେବକ ତିନିରଥରେ ପଣା ପ୍ରସ୍ତୁତ କରିଥିଲେ। ମଧ୍ୟାହ୍ନ ଧୂପ ସମାପନ ପରେ ପୂଜାପଣ୍ଡାମାନେ ପଞ୍ଚ ଉପଚାରରେ ପଣା ପୂଜା କରିଥିଲେ। ଭୋଗ ପରେ ରଥ ଉପରେ ପଣାହାଣ୍ଡି ଭଙ୍ଗାଯାଇଥିଲା।
ବିଶ୍ୱାସ ରହିଛି ରଥଯାତ୍ରା ସମୟରେ ଶ୍ରୀଜୀଉମାନଙ୍କ ରଥ ସହିତ ବହୁ ଦେବାଦେବୀ, ଚଣ୍ଡି, ଚାମୁଣ୍ଡା ମଧ୍ୟ ଯାତ୍ରା କରିଥାନ୍ତି। ତେବେ ସେମାନଙ୍କ ସନ୍ତୁଷ୍ଟି ନିମନ୍ତେ ଏହି ପଣା ମହାପ୍ରଭୁଙ୍କୁ ସମର୍ପଣ ପରେ ରଥରେ ରହିଥିବା ସମସ୍ତ ଅଶରୀରିଙ୍କୁ ଅର୍ପଣ ନିମନ୍ତେ ଭଙ୍ଗାଯାଇଥାଏ।
ଆଜି ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲାଗି ହେବାର ବିଧି ରହିଛି । ତେଣୁ ଏହି ଦିନ ରସଗୋଲା ଦିବସର ବାର୍ତ୍ତା ଦେବା ସହ ପୁରୀ ବେଳାଭୂମୀରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ସୁନ୍ଦର ବାଲୁକାମୂର୍ତ୍ତି । ବାଲିରେ ଜଗନ୍ନାଥଙ୍କ ସୁନ୍ଦର ପ୍ରତିମୂର୍ତ୍ତି ନିକଟରେ ରସଗୋଲାର ବାଲୁକା କଳାକୃତି କରିଛନ୍ତି ସୁଦର୍ଶନ । ଏହି କଳାକୃତିକୁ କରିବା ପାଇଁ ଛଅ ଟନ୍ ବାଲି ବ୍ୟବହୃତ ହୋଇଛି ।
The post ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ; ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ହେବ ରସଗୋଲା ଭୋଗ appeared first on Odisha Reporter.
from Odisha Reporter https://ift.tt/DGvK3W0
No comments:
Post a Comment