ନୂଆଦିଲ୍ଲୀ: ଘରର ଫ୍ରିଜ୍ ଭିତରୁ ମିଳିଛି ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ। ଦେଶର ରାଜଧାନୀ ଦିଲ୍ଲୀର ସୀଲମପୁର ଅଞ୍ଚଳରୁ ଶୁକ୍ରବାର ରାତିରେ ଏହି ଖବର ସାମ୍ନାକୁ ଆସିଛି। ବ୍ୟକ୍ତି ଜଣଙ୍କୁ କେହି ହତ୍ୟା କରିବା ପରେ ଏପରି ଫ୍ରିଜ୍ ଭିତରେ ରଖି ଦେଇ ଚାଲି ଯାଇଥିବା ପୁଲିସ୍ ସନ୍ଦେହ କରୁଛି। ଏଥିପାଇଁ ପୁଲିସ୍ ଗୋଟିଏ ଏଫଆଇଆର ରୁଜୁ କରି ହତ୍ୟାକାରୀଙ୍କୁ ଖୋଜିବାର ଆରମ୍ଭ କରିଛି। ପ୍ରାଥମିକ ଅବସ୍ଥାରେ ପୂରା ଘଟଣା ପଛରେ କୌଣସି ଘନିଷ୍ଠ ସମ୍ପର୍କୀୟଙ୍କ ହାତ ରହିଥିବା ପୁଲିସ୍ ଜାଣିବାକୁ ପାଇଛି।
ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଲେ ଜାକିର। ସେ ଏହି ଅଞ୍ଚଳରେ ଏକାକୀ ନିଜ ଘରେ ରହୁଥିଲେ। ବିବାଦ କାରଣରୁ ତାଙ୍କ ପତ୍ନୀ ଓ ପିଲାମାନେ ଉକ୍ତ ଅଞ୍ଚଳର ଆଉ ଗୋଟିଏ ଘରେ ରହୁଥିଲେ। ଜାକିର ଏକାକୀ ଘରେ ରହୁଥିବାରୁ କେହି ଏହାର ଫାଇଦା ନେଇ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି।
ପୁଲିସ୍ ଶୁକ୍ରବାର ରାତିରେ ଘଟଣା ସମ୍ପର୍କରେ ସୂଚନା ପାଇଥିଲା। ଜାକିରଙ୍କ ଜଣେ ସମ୍ପର୍କୀୟ ପିସିଆରକୁ ଫୋନ କରି ଘଟଣା ସମ୍ପର୍କରେ କହିଥିଲେ। ସମ୍ପର୍କୀୟ ଜଣଙ୍କ ପୁଲିସ୍କୁ କହିଛନ୍ତି ଯେ କିଛି ଦିନ ହେଲା ଜାକିର କାହା ସହ ଯୋଗାଯୋଗ କରୁ ନଥିଲେ। ନିଜକୁ ସବୁବେଳେ ଘର ଭିତରେ ବନ୍ଦ କରି ରଖୁଥିଲେ। ସେ କାହିଁକି ଏମିତି କରୁଛନ୍ତି ବୋଲି ସମ୍ପର୍କୀୟ ଜଣଙ୍କ ଶୁକ୍ରବାର ସନ୍ଧ୍ୟାରେ ବୁଝିବା ପାଇଁ ଜାକିରଙ୍କ ଘରକୁ ଆସିଥିଲେ।
ହେଲେ ସେ ଘରେ ପହଞ୍ଚିଲା ବେଳକୁ ଜାକିର ଫ୍ରିଜ ଭିତରେ ମରି ପଡ଼ିଥିବା ଜାଣିବାକୁ ପାଇଥିଲେ। ଫ୍ରିଜ୍ର ଦ୍ୱାର ସାମାନ୍ୟ ଖୋଲା ଥିବା ବେଳେ ଶରୀରର କିଛି ଅଂଶ ବାହାରକୁ ବାହାରି ରହିଥିଲା। ତେଣୁ ସମ୍ପର୍କୀୟ ଜଣଙ୍କ ଜାକିରଙ୍କୁ ଏପରି ଅବସ୍ଥାରେ ଦେଖି ତୁରନ୍ତ ପିସିଆରକୁ ଫୋନ କରିଥିଲେ।
ଖବର ପାଇ ପୁଲିସ ସହ ଫରେନ୍ସିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ସେମାନେ ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ଯୋଗାଡ଼ କରିବା କାମରେ ଲାଗିଛନ୍ତି। ପୁଲିସ୍ କହିଛି ଯେ ପ୍ରାଥମିକ ତଦନ୍ତ ବେଳେ ସନ୍ଦିଗ୍ଧଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।
The post ଫ୍ରିଜ ଭିତରୁ ମିଳିଲା ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ appeared first on Odisha Reporter.
from Odisha Reporter https://ift.tt/vsoUMl1
No comments:
Post a Comment