କଲମ୍ବୋ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପରିସ୍ଥିତି ଅଣାୟତ୍ତ। ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ଶନିବାର ଦିନ ରାଷ୍ଟ୍ରପତି ଭବନରେ ପଶି ଏହାକୁ କବଜା କରିନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ନିଆଁ ଲଗାଇଦେଇଛନ୍ତି। ଏହାରି ଭିତରେ ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି ଗୋଟାବାୟା ରାଜପକ୍ଷ। ଆସନ୍ତା ୧୩ ତାରିଖରେ ସେ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି। ଶ୍ରୀଲଙ୍କା ବାଚସ୍ପତି ଏ ସମ୍ପର୍କରେ ସୂଚନା ଦେଇଥିବା ଶ୍ରୀଲଙ୍କା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ଶ୍ରୀଲଙ୍କାର ଅାର୍ଥିକ ସଂକଟ ଚରମ ସୀମାରେ ପହଞ୍ଚିଥିବା ବେଳେ ଗତ ମାର୍ଚ୍ଚରୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫା ଦାବି କରିଆସୁଥିଲେ ବିରୋଧୀ। ମାସ ମାସ ଧରି ଆନ୍ଦୋଳନ ପରେ ବି ସେ ଗାଦି ନ ଛାଡ଼ିବାରୁ ସ୍ଥିତିକୁ ନିଜ ହାତକୁ ନେଇଯାଇଥିଲେ ଲୋକେ। ଫଳରେ ବାଧ୍ୟ ହୋଇ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଗତକାଲି ତାଙ୍କ ସରକାରୀ ବାସଭବନ ଛାଡ଼ି ପଳାଇଥିଲେ।
ଏହାପରେ ଗୋଟାବାୟାଙ୍କ ସରକାରୀ ବାସଭବନକୁ ହଜାର ହଜାର ଲୋକ ଧସେଇ ପଶିଥିଲେ। ପ୍ରେସିଡେନ୍ସିଆଲ୍ ପ୍ୟାଲେସ୍ ସୁଇମିଂ ପୁଲରେ ଗାଧୋଇଥିଲେ। ରୋଷେଇ ଘରେ ରାନ୍ଧିବା ସହ ବେଡ୍ରୁମ୍ରେ ଶୋଇ ସେଲ୍ଫି ମଧ୍ୟ ନେଇଥିଲେ ବିକ୍ଷୋଭକାରୀ।
ସେପଟେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ଓ୍ୱିକ୍ରମସିଂଘେ ଗତକାଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଦେଶରେ ଗଠନ ହେବ ସର୍ବଦଳୀୟ ସରକାର। ଶ୍ରୀଲଙ୍କାରେ ଜନଆନ୍ଦୋଳନ ଉଗ୍ର ରୂପ ଧାରଣ କରିବା ପରେ, ସର୍ବଦଳୀୟ ସରକାର ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ଲକ୍ଷାଧିକ ଆନ୍ଦୋଳନକାରୀ ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫା ଦାବିରେ ତାଙ୍କ ସରକାରୀ ବାସଭବନକୁ କବ୍ଜା କରି ନେଇଥିବା ବେଳେ, ଏଭଳି ସଂକଟର ସମାଧାନ ବାଟ ଖୋଜିବାକୁ ଜରୁରୀକାଳୀନ ସର୍ବଦଳୀୟ ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ ରାନିଲ ଓ୍ୱିକ୍ରମସିଂଘେ। ସେଠାରେ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା। ଗତ ମେ’ ୯ ତାରିଖରେ ଚତୁର୍ଥ ଥର ପାଇଁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇଥିଲେ ରାନିଲ।
The post ଶ୍ରୀଲଙ୍କାରେ ଅଣାୟତ୍ତ ସ୍ଥିତି, ଇସ୍ତଫା ଦେବାକୁ ରାଜି ହେଲେ ରାଷ୍ଟ୍ରପତି appeared first on Odisha Reporter.
from Odisha Reporter https://ift.tt/HCPzJuT
No comments:
Post a Comment