ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିବଗଂତ ILS ନିର୍ଦ୍ଦେଶକ ଡ. ଅଜୟ ପରିଡ଼ାଙ୍କ ମରଶରୀର ଗୌହାଟୀରୁ ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ଡ. ପରିଡ଼ାଙ୍କ ମୃତଦେହ ପହଞ୍ଚିବା ପରେ ବିମାନବନ୍ଦରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଜନ୍ମମାଟି ଯାଜପୁର ଜିଲ୍ଲା ଭଗବାନପୁରରେ ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।
ଡା. ପରିଡ଼ାଙ୍କ ମୃତଦେହ ଆଜି ସକାଳେ ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଛି। ଏହି ସମୟରେ ତାଙ୍କ ପରିବାର ଲୋକେ ବିମାନବନ୍ଦରରେ ଉପସ୍ଥିତ ଥିଲେ। ସେଠାରୁ ମୃତଦେହକୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ନିଆଯାଇଛି। ଏହାପରେ ସେଠାରୁ ILS କାର୍ଯ୍ୟାଳୟକୁ ନିଆଯିବ । ସେଠାରେ କର୍ମଚାରୀମାନେ ତାଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଜଣାଇବେ । ଏହାପରେ ଡା. ପରିଡ଼ାଙ୍କ ମୃତଦେହକୁ ତାଙ୍କ ପୈତୃକ ଗାଁ ଭଗବାନପୁରକୁ ନିଆଯିବ ।
ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ ସମ୍ପନ୍ନ ହେବ । ଏହି ସମୟରେ ଯାଜପୁର ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଓ ପୁଲିସ୍ ଅଧିକାରୀ ସେଠାରେ ଉପସ୍ଥିତ ରହିବେ। ଡା. ପରିଡ଼ାଙ୍କ ଅକାଳ ବିୟୋଗକୁ ତାଙ୍କ ପରିବାର ଲୋକେ ସହଜେ ବିଶ୍ୱାସ କରିପାରୁ ନ ଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି।
ଆସାମ ଗୌହାଟୀକୁ ଏକ କନଫରେନ୍ସରେ ଯୋଗ ଦେବାକୁ ଡା. ପରିଡ଼ା ଯାଇଥିବା ବେଳେ ସେଠାରେ ତାଙ୍କର ହୃଦଘାତ ହୋଇଥିଲା । ତୁରନ୍ତ ତାଙ୍କୁ ହସ୍ପିଟାଲ୍ରେ ଆଡମିଟ୍ କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
କରୋନା ବିରୋଧୀ ଲଢ଼େଇ ବେଳେ ଅଜୟ ପରିଡ଼ାଙ୍କ ଦକ୍ଷତା ସମଗ୍ର ଦେଶ ଦେଖିଥିଲା । ଜିନମ୍ ସିକ୍ୟୁଏନ୍ସିଂ ଜରିଆରେ ଭାରିଏଣ୍ଟ ଚିହ୍ନଟ ଓ ଏହାର ମୁକାବିଲା ରଣନୀତି ପ୍ରସ୍ତୁତି କ୍ଷେତ୍ରରେ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ବିଶେଷ ଭାବେ ଡେଲଟା ଏବଂ ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ ବେଳେ ଡ. ପରିଡ଼ାଙ୍କ ପରୀକ୍ଷଣ ମୁକାବିଲା ଲାଭପ୍ରଦ ହୋଇଥିଲା ।
ଯାଜପୁରରେ ଜନ୍ମିତ ଅଜୟ ପରିଡ଼ା ୧୯୮୨ ମସିହାରେ ରେଭେନ୍ସା କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ MSC ବାଣୀବିହାରରୁ ସାରିଥିଲେ। ଏହାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପିଏଚଡି ପରେ ଦେଶର ବିଭିନ୍ନ ସୁନାମଧ୍ୟନ ଅନୁଷ୍ଠାନରେ କାର୍ଯ୍ୟ କରିଥିଲେ । ଜାନୁଆରୀ ୨୦୧୭ରୁ ସେ ILS ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ । କାର୍ଯ୍ୟକାଳ ସରିବା ପରେ ପୁଣି ଥରେ ତାଙ୍କ କାର୍ଯ୍ୟକାଳକୁ ୨୦୨୪ ଯାଏଁ ବଢ଼ାଯାଇଥିଲା।
ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୦୧୪ରେ ଡାକ୍ତର ପରିଡ଼ାଙ୍କୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଏମଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍ ନିର୍ଦ୍ଦେଶକ ସହ ଅନେକ ଉଚ୍ଚ ପଦବୀରେ ସେ ସୁଚାରୁ ରୂପେ ଦାୟିତ୍ୱ ତୁଲାଇଥିଲେ।
The post ଭୁବନେଶ୍ୱରରେ ପହଞ୍ଚିଲା ILS ନିର୍ଦ୍ଦେଶକଙ୍କ ମୃତଦେହ, ଆଜି ହେବ ଶେଷକୃତ୍ୟ appeared first on Odisha Reporter.
from Odisha Reporter https://ift.tt/WvoRNKc
No comments:
Post a Comment