ବାସୁଦେବପୁର(କିରଟୀ ଦାସ): ସରପଞ୍ଚ ସାଜିଲେ ଗଣିତ ଶିକ୍ଷକ । ପିଲାଙ୍କ ଭଲମନ୍ଦ ବୁଝିବାକୁ ବିଦ୍ୟାଳୟ ପରିଦର୍ଶନରେ ଯାଇଥିବା ସରପଞ୍ଚ ଗଣିତ ଶିକ୍ଷକ ନ ଥିବା ଜାଣି ନିଜେ ଧରିଲେ ଚକ । କଳାପଟାରେ କଷିଲେ ଅଙ୍କ ଆଉ ପିଲାଙ୍କୁ ବୁଝାଇଲେ ଜ୍ୟାମିତିର ଜଟିଳ ସୂତ୍ର । ଆଜିକାଲି ସରପଞ୍ଚ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ଶୁଣିବାକୁ ମିଳୁଥିବା ବେଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଞ୍ଚାୟତରେ କିନ୍ତୁ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଏହି ପଞ୍ଚାୟତର ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ମଲିକ ଶିକ୍ଷକ ସାଜି ଜଟିଳ ଜ୍ୟାମିତିର ସୂତ୍ରକୁ ବେଶ୍ ସରଳ ଭାବରେ ବୁଝାଇପାରୁଛନ୍ତି। ଫଳରେ ଚାରିଆଡ଼ୁ ତାଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ ।
ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ମଲିକ ପଞ୍ଚାୟତରେ ବୁଲୁଥିବା ବେଳେ ଜଗବନ୍ଧୁ ସରକାରୀ ବିଦ୍ୟାପୀଠକୁ ପରିଦର୍ଶନ କରିବାକୁ ଯାଇଥିଲେ । ବିଦ୍ୟାଳୟରେ ପିଲାଙ୍କ ସହ କଥା ହେବା ସହ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ପରେ ବିଦ୍ୟାଳୟରେ ଗଣିତ ଶିକ୍ଷକଙ୍କ ଅଭାବ ରହିଛି ବୋଲି ଜାଣିବାକୁ ପାଇଥିଲେ । ନବମ, ଦଶମ ପିଲ ଭଲ ଭାବେ ଗଣିତ ଜ୍ଞାନ ହାସଲ ନ କଲେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ହେବ ଭାବି ଖୋଦ ସରପଞ୍ଚ ଶିକ୍ଷକ ପାଲଟିଗଲେ। ଆଉ ତା’ ପରେ ପିଲାଙ୍କୁ ଜ୍ୟାମିତିର ଜଟିଳ ସୂତ୍ର ସରଳ ଭାଷାରେ ବୁଝାଇଲେ ।
କେବଳ ଏହି ବିଦ୍ୟାଳୟ ନୁହଁ, ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟକୁ ନିୟମିତ ପରିଦର୍ଶନରେ ଯାଇଥାନ୍ତି ସରପଞ୍ଚ ଗୋବିନ୍ଦ । ସେଠାରେ ପିଲାଙ୍କ ତଥା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସୁବିଧାଅସୁବିଧା ବି ବୁଝିଥାନ୍ତି। ବିଜ୍ଞାନରେ ସ୍ନାତକ କରିଥିବା ଗୋବିନ୍ଦ ବରଣ୍ଡୁଆ ପଞ୍ଚାୟତରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି l
ଏନେଇ ସରପଞ୍ଚ ଗୋବିନ୍ଦ କହିଛନ୍ତି, ମୁଁ ସ୍କୁଲର ଭଲମନ୍ଦ ବୁଝିବାକୁ ଆସି ଗଣିତ ଶିକ୍ଷକ ଅଭାବ ଥିବା ଜାଣିବାକୁ ପାଇଲି। ତେଣୁ ପିଲାଙ୍କୁ ଜ୍ୟାମିତ ଓ ବୀଜଗଣିତ ପଢ଼ାଇଲି। ମୁଁ ଏହି ସ୍କୁଲରେ ପଢ଼ିକି ଯାଇଥିବା ବେଳେ ଏବେ ଏହି ପିଲାଙ୍କୁ ପଢ଼ାଇ ବେଶ୍ ଖୁସି ଲାଗୁଛି। ଶିକ୍ଷାର ଯେ ମହତ୍ତ୍ୱ ଜାଣିଛି, ସେ ପିଲାଙ୍କୁ ପଢ଼ାଇପାରିବ । ଏହାଦ୍ୱାରା କେବେ କାହାର ଅମଙ୍ଗଳ ହେବ ନାହିଁ । ପିଲାଙ୍କୁ ପଢ଼ାଇ ବେଶ୍ ଖୁସି ଓ ଶାନ୍ତି ଲାଗୁଛି।
ଆମ ଗଣିତ ଶିକ୍ଷକଙ୍କ ବଦଳି ହୋଇଯିବାରୁ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ସରପଞ୍ଚ ସାର୍ ଆମ କଥା ବୁଝିବାକୁ ଆସିଥିବା ବେଳେ ସେ ଆମ ସମସ୍ୟା ଜାଣିଲେ। ଜଟିଳ ଗଣିତକୁ ସେ ବେଶ୍ ସରଳ ଭାବେ ବୁଝାଇପାରୁ ଥିବାରୁ ଆମେ ବେଶ୍ ଖୁସି ଅଛୁ ବୋଲି କହିଛନ୍ତି ଛାତ୍ରଛାତ୍ରୀ।
The post ସରପଞ୍ଚ ସାଜିଲେ ଗଣିତ ଶିକ୍ଷକ, ବୁଝାଇଲେ ଜ୍ୟାମିତିର ଜଟିଳ ସୂତ୍ର appeared first on Odisha Reporter.
from Odisha Reporter https://ift.tt/Sh4zaP6
No comments:
Post a Comment