ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ସହରର ଭାବାନଗରରେ ଥିବା ଆପୋଲୋ କ୍ଲିନିକ୍ ବିକ୍ରି ନାଁରେ ୪କୋଟି ୬୪ଲକ୍ଷଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। କ୍ଲିନିକ୍ ଦେବା ନାଁରେ ଜଣେ ଡାକ୍ତରଙ୍କଠାରୁ ବିପୁଳ ପରିମାଣର ଟଙ୍କା ଲୁଟିଥିବା ଅଭିଯୋଗରେ ୩ ଜଣଙ୍କୁ ବାନ୍ଧିଛି ବୈଦ୍ୟନାଥପୁର ଥାନା ପୁଲିସ । ସେମାନଙ୍କ ମଧ୍ୟରେ ଏକ ଦମ୍ପତି ଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସଂଗ୍ରାମ କେଶରୀ ମହାନ୍ତି, ସି.ଏଚ୍. ବଦ୍ରି ପାତ୍ର ଓ ତାଙ୍କ ସ୍ତ୍ରୀ ନିଶି ପାତ୍ର । ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଯାଇଛି । କ୍ଲିନିକ୍ ମାଲିକାନାକୁ ନେଇ ଦୀର୍ଘ ୩ ବର୍ଷ ଧରି ଚାଲିଥିଲା ବିବାଦ ।
ସୂଚନା ଅନୁଯାୟୀ ବ୍ରହ୍ମପୁର ସହର ବ୍ରହ୍ମାନଗର ମୁଖ୍ୟ ରାସ୍ତାରେ ରହିଛି ଆପୋଲୋ କ୍ଲିନିକ୍ । ଏହାର ମାଲିକାନା ସ୍ପେସିମେନ୍ସ ଲିମିଟେଡ୍ ନାଁରେ ଥିବାବେଳେ ସତ୍ତ୍ୱାଧିକାର ସଂଗ୍ରାମ ଓ ରୁଷି ପ୍ରସାଦ ନାହାକଙ୍କ ନାଁରେ ଥିଲା । ପରେ ହସ୍ପିଟାଲ ନ ଚାଲିବାରୁ ତାକୁ ଓମ୍ ଆରୋଗ୍ୟ ହସ୍ପିଟାଲ ପ୍ରାଇଭେଟ୍ ଲିମିଟେଡର ମୁଖ୍ୟ ଡାକ୍ତର ରମେଶ ବାରତାଙ୍କୁ ବିକ୍ରି କରିବା ପାଇଁ ଏହାର ସତ୍ତ୍ୱାଧିକାରୀମାନେ ଠିକ୍ କରିଥିଲେ। ନିଶି ପ୍ରିୟଦର୍ଶିନୀ ନାମ୍ନୀ ମହିଳାଙ୍କୁ ଏହି କମ୍ପାନୀର ନିର୍ଦ୍ଦେଶକ ରଖିଲେ ହିଁଁ ସେମାନେ ଏହାକୁ ବିକ୍ରି କରିବେ ବୋଲି ସର୍ତ୍ତ ରଖିଥିଲେ।
ଡାକ୍ତର ବାରତା ଏହା ମାନି ନିଶି ପ୍ରିୟଦର୍ଶିନୀଙ୍କୁ ନିର୍ଦ୍ଦେଶକ ପଦରେ ରଖିଥିଲେ। ଏଥିସହ ସେ ଆପୋଲୋ କ୍ଲିନିକକୁ ୪ କୋଟି ୬୪ଲକ୍ଷ ଟଙ୍କା ଦେଇ କିଣିଥିଲେ ।
କିନ୍ତୁ ପରେ ଡାକ୍ତର ବାରତାଙ୍କ ଅଗଚୋରରେ ନିଶି ପ୍ରିୟଦର୍ଶିନୀ ତାହାର ନକଲି ଡକ୍ୟୁମେଣ୍ଟ କରି ସ୍ପେସିମେନ୍ସ ଲିମିଟେଡ଼କୁ ଲିଜ୍ ଆକାରରେ ଦେଇଥିଲେ। ଏହା ଜାଣି ପାରି ଡାକ୍ତର ବାରତା ଯେତେବେଳେ ଏ ସମ୍ପର୍କରେ ପଚାରିଲେ ଅଭିଯୁକ୍ତମାନେ ତାଙ୍କୁ ଧମକ ଦେଇଥିଲେ। ଏପରିକି ଡକ୍ୟୁମେଣ୍ଟ ଦେଖାଇ ଏହି କମ୍ପାନୀଟି ସେମାନଙ୍କର ବୋଲି କହିଥିଲେ ।
ଡା. ବାରତା ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ କରି ସତ୍ୟାସତ୍ୟ ଜାଣିବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି।
The post କ୍ଲିନିକ୍ ବିକ୍ରି ନାଁରେ ଡାକ୍ତରଙ୍କଠୁ ଲୁଟିଥିଲେ ୪ .୬୪ କୋଟି, ବନ୍ଧା ହେଲେ ୩ appeared first on Odisha Reporter.
from Odisha Reporter https://ift.tt/Gk2ULH0
No comments:
Post a Comment