ଦୁବାଇ: ଏସିଆ କପରୁ ବାଂଲାଦେଶକୁ ବିଦା କରିଛି ଶ୍ରୀଲଙ୍କା। ଗୁରୁବାର ଖେଳା ଯାଇଥିବା କର ବା ମର ମ୍ୟାଚ୍ରେ ଶ୍ରୀଲଙ୍କା ୨ ୱିକେଟରେ ବାଂଲାଦେଶକୁ ରୋମାଞ୍ଚକର ଢଙ୍ଗରେ ହରାଇ ଦେଇଛି। ଏହି ବିଜୟ ସହ ଗ୍ରୁପ ବିରୁ ଶ୍ରୀଲଙ୍କା ଦ୍ୱିତୀୟ ବିଜୟ ସହ ସୁପର ୪ରେ ପ୍ରବେଶ କରିଛି। ସେହିପରି କ୍ରମାଗତ ଦ୍ୱିତୀୟ ପରାଜୟ ସହ ଏସିଆ କପର ୧୫ତମ ସଂସ୍କରଣରୁ ବାଂଲାଦେଶ ବିଦାୟ ନେଇଛି।
ଗ୍ରୁପ ବି’ରୁ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ସୁପର ୪ କୁ ଯାଇଛନ୍ତି। ଉଭୟ ଟିମ୍ ଆସନ୍ତାକାଲି ରାଉଣ୍ଡ ରବିନ ଫର୍ମାଟରେ ଖେଳା ଯାଉଥିବା ଏସିଆ କପର ସୁପର ୪ର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ। ଗ୍ରୁପ୍ ପର୍ଯ୍ୟାୟରେ ଆଫଗାନିସ୍ତାନ ଏକତରଫା ଭାବେ ଶ୍ରୀଲଙ୍କାକୁ ୮ ୱିକେଟରେ ହରାଇଥିଲା।
ଅନ୍ୟପକ୍ଷରେ ଆଜି ଏସିଆ କପ୍ର ଶେଷ ଲିଗ୍ ମ୍ୟାଚ୍ରେ ହଂକଂ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଉଭୟ ଦଳ ଭାରତ ଠାରୁ ନିଜ ନିଜର ପ୍ରଥମ ମ୍ୟାଚ୍ ହାରିଛନ୍ତି। ତେଣୁ ଆଜି ଦୁଇ ଦେଶ ପାଇଁ କର ବା ମର ପରିସ୍ଥିତି। ଆଜି ଯେଉଁ ଦଳ ଜିତିବ, ସିଏ ରବିବାର ଭାରତ ବିପକ୍ଷରେ ନିଜର ପ୍ରଥମ ସୁପର ୪ ମ୍ୟାଚ୍ ଖେଳିବ। ପାକିସ୍ତାନ ତୁଳନାରେ ହଂକଂ ଅପେକ୍ଷାକୃତ ଦୁର୍ବଳ। ତେଣୁ ଗ୍ରୁପ ଏରୁ ଦ୍ୱିତୀୟ ଦଳ ଭାବେ ପାକିସ୍ତାନ ସୁପର ୪କୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତ ପୂର୍ବରୁ ୨ଟି ବିଜୟ ସହ ସୁପର ୪ରେ ନିଜର ସ୍ଥାନ ପକ୍କା କରି ନେଇଛି।
ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଗୁରୁବାର ହୋଇଥିବା ଲଢ଼େଇ ବେଶ ସଂଘର୍ଷପୂର୍ଣ୍ଣ ଥିଲା। ମ୍ୟାଚର ଅଧିକାଂଶ ସମୟ ବାଂଲାଦେଶ ସପକ୍ଷରେ ଯାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ କ୍ୟାଚ୍ ଛାଡ଼ିବା ଓ ନୋ ବଲ ପକାଇବା ବାଂଲା ଟାଇଗରକୁ ମହଙ୍ଗା ପଡ଼ିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୩ ରନ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୮ ୱିକେଟ ହରାଇ ୪ ବଲ ପୂର୍ବରୁ ମ୍ୟାଚ୍କୁ ଜିତି ନେଇଛି।
ଶ୍ରୀଲଙ୍କା ପକ୍ଷରୁ ଓପନର କୁଶଲ ମେଣ୍ଡିସ ୩୭ ବଲରେ ସର୍ବାଧିକ ୬୦ ରନର ଇନିଂସ ଖେଳିଥିଲେ। ସେହିପରି ଅଧିନାୟକ ଦସୁନ ଶଣକା ଗୁରୁତ୍ୱପୂର୍ଣ୍ଣ ୪୫ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଥୁନ ନିଶାଙ୍କା ୨୦, ଚାମିକା କରୁଣାରତ୍ନେ ୧୬ ଓ ଦାନୁସ୍କା ଗୁଣତଲକା ୧୧ ରନର ଇନିଂସ ଖେଳିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମେଣ୍ଡିସ ୨୭ ରନ କରିଥିବା ବେଳେ ଆଉଟ ହୋଇଯାଇଥିଲେ। ହେଲେ ଏହା ନୋ ବଲ ହେବାରୁ ତାଙ୍କୁ ଜୀବନ ଦାନ ମିଳିଥିଲା। ଏହାର ଫାଇଦା ମଧ୍ୟ ଉଠାଇ ସେ ବିସ୍ଫୋରକ ୬୦ ରନର ଇନିଂସ ଖେଳିଥିଲେ। ଏଥିସହ ଶ୍ରୀଲଙ୍କାର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କୁ ଏହି ମ୍ୟାଚ୍ ବିଜୟୀ ଇନିଂସ ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।
ଶ୍ରୀଲଙ୍କାକୁ ଶେଷ ଓଭରରେ ଜିତିବା ପାଇଁ ୮ ରନ ଦରକାର ଥିବା ବେଳେ ପ୍ରଥମ ବଲରେ ମହୀଶ ତିକଶାନା ୧ ରନ ନେଇଥିଲେ। ଏହାପରେ ଅସିତ ଫର୍ଣ୍ଣାଡୋ ୪ ଚୌକା ମାରିଥିଲେ। ଶେଷ ୪ ବଲରେ ଶ୍ରୀଲଙ୍କାକୁ ୩ ରନ ଦରକାର ଥିଲା। ହେଲେ ମାହେଦି ହାସନଙ୍କ ୩ୟ ବଲଟି ନୋ ହୋଇଥିଲା। ଏଥିସହ ଫର୍ଣ୍ଣାଡୋ ଏହି ନୋ ବଲରେ ୨ ରନ ଆଦାୟ କରି ନେଇଥିଲେ। ଫଳରେ ଶ୍ରୀଲଙ୍କା ୪ ବଲ ପୂର୍ବରୁ ବିଜୟ ହାସଲ କରି ସୁପର ୪ରେ ପ୍ରବେଶ କରିଥିଲା।
ବାଂଲାଦେଶ ପକ୍ଷରୁ ଡେବ୍ୟୁଟାଣ୍ଟ ଇବାଦତ ହୁସେନ ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ତସ୍କିନ ଅହମ୍ମଦ ୨ଟି, ମୁସ୍ତାଫିଜୁର ରହମାନ ଓ ମାହେଦି ହାସନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
The post ଏସିଆ କପରୁ ବାଂଲାଦେଶ ଆଉଟ, ଆଜି ହଂକଂ-ପାକ୍ ମୁକାବିଲା appeared first on Odisha Reporter.
from Odisha Reporter https://ift.tt/0jYDPc6
No comments:
Post a Comment