ବେଙ୍ଗାଲୁରୁ: ବାଦବିବାଦ ଓ ଲୋକଙ୍କ ବିକ୍ଷୋଭ ପରେ ଗିରଫ ହୋଇଛନ୍ତି କର୍ଣ୍ଣାଟକା ଚିତ୍ରଦୁର୍ଗରେ ଥିବା ଗୋଟିଏ ଲିଙ୍ଗାୟତ ମଠର ପ୍ରଭାବଶାଳୀ ମହନ୍ତ ଶିବମୂର୍ତ୍ତି ମୁରୁଘା ଶାରାନରୁ। କର୍ଣ୍ଣାଟକା ପୁଲିସ ତାଙ୍କୁ ଗୁରୁବାର ରାତିରେ ଗିରଫ କରିଛି। ଏହାପରେ ସେ ୧୪ ଦିନିଆ ବିଚାର ବିଭାଗ ହାଜତକୁ ଯାଇଛନ୍ତି। ଆଜି ତାଙ୍କୁ ପୁଣି କୋର୍ଟରେ ହାଜର କରାଯିବ। ଏହି ସମୟରେ ପୁଲିସ୍ ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ ବୋଲି ଜଣାପଡ଼ିଛି।
ମଠ ଦ୍ୱାରା ପରିଚାଳିତ ସ୍କୁଲର ଗୋଟିଏ ହଷ୍ଟେଲରେ ୨ ଜଣ ନାବାଳିକାଙ୍କୁ ଶିବମୂର୍ତ୍ତି ଯୌନ ନିର୍ଯାତନା ଦେଇଥିବା ଗତ ସପ୍ତାହରେ ଅଭିଯୋଗ ହୋଇଥିଲା। ସେବେଠାରୁ ଲିଙ୍ଗାୟତ ମଠର ମହନ୍ତ ଶିବମୂର୍ତ୍ତିଙ୍କୁ ଗିରଫ କରିବା ପାଇଁ ଦାବି ତେଜିଥିଲା।
୬୪ ବର୍ଷୀୟ ଶିବମୂର୍ତ୍ତିଙ୍କ ନାଁରେ ପୁଲିସ ପୋକ୍ସୋ ଓ ଆଇପିସିର ୩୭୬ ଦଫାରେ ମାମଲା ରୁଜୁ କରିଥିଲା। ଅଭିଯୋଗ ମିଳିବା ପରେ ତାଙ୍କୁ ଜେରା କରାଯାଇଥିଲେ ହେଁ ଗିରଫ କରାଯାଇ ନଥିଲା। ଏହାକୁ ନେଇ ଚିତ୍ରଦୁର୍ଗରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବିବାଦକୁ ଦୃଷ୍ଟିରେ ରଖି ଗତକାଲି ରାତି ପ୍ରାୟ ୧୦.୨୦ରେ ପୁଲିସ୍ ଚିତ୍ରଦୁର୍ଗ ସ୍ଥିତ ମଠରେ ପହଞ୍ଚି ମହନ୍ତ ଶିବମୂର୍ତ୍ତିଙ୍କୁ ଗିରଫ କରିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯୌନ ନିର୍ଯାତନାର ଅଭିଯୋଗ ଆଣିଥିବା ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣେ ଅନୁସୂଚିତ ଜନଜାତି ସଂପ୍ରଦାୟର। ତେଣୁ ଗୁରୁବାର ଏହି ସଂପ୍ରଦାୟର ଲୋକମାନେ ମହନ୍ତଙ୍କ ଗିରଫଦାରୀ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ। ପୁଲିସ କହିଛି ଯେ ଗିରଫ ପରେ ଶିବମୂର୍ତ୍ତି ସ୍ୱାମୀଙ୍କୁ ମେଡିକାଲ ଟେଷ୍ଟ ପାଇଁ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ଏହାପରେ ଚିତ୍ରଦୁର୍ଗରେ ଥିବା ଜଣେ ବିଚାରପତିଙ୍କ ଆଗରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ଜଜ୍ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ପୁଲିସ୍ ତାଙ୍କୁ ମଠରୁ ଗିରଫ କରିଥିବା କହୁଥିବା ବେଳେ ତାଙ୍କ ସମର୍ଥକମାନେ ମହନ୍ତ ଆତ୍ମସମର୍ପଣ କରିଥିବା କହିଛନ୍ତି। ଏହାପୂର୍ବରୁ ପୁଲିସ୍ ମୁରୁଘା ମଠ ହଷ୍ଟେଲର ୱାଡେନ ରଶ୍ମିଙ୍କୁ ଗିରଫ କରିଥିଲା। ତାଙ୍କୁ କୋର୍ଟରେ ହାଜର କରାଯିବା ସହ ଧାରା ୧୬୪ ଅନୁଯାୟୀ ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ପୂରା ଘଟଣାରେ ରୁଜୁ ହୋଇଥିବା ଏଫଆଇଆରରେ ଶିବମୂର୍ତ୍ତି, ରଶ୍ମି ଓ ଆଉ ୩ ଜଣଙ୍କ ନାଁ ରହିଛି। ଦୁଇ ଜଣ ଗିରଫ ହୋଇଥିବା ବେଳେ ମଠର କନିଷ୍ଠ ମହନ୍ତ ବସବାଦିତ୍ୟ, ମଠର ସମ୍ପାଦକ ପରମସିବାୟା ଓ ଆଇନଜୀବୀ ଗଙ୍ଗାଧରାୟା ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ୍ ଉଦ୍ୟମ ଜାରି ରଖିଛି।
ମଠର ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଦୁଇ ନାବାଳିକା ଛାତ୍ରୀ ଶିବମୂର୍ତ୍ତିଙ୍କ ନାଁ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏନେଇ ସେମାନେ ‘ଓଦାନାଦି ସେବା ସଂସ୍ଥା’ ନାମକ ଏନ୍ଜିଓ ପାଖରେ ପହଞ୍ଚିଥିଲେ। ଏହି ଏନ୍ଜିଓ ପକ୍ଷରୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ଘଟଣା ସଂକ୍ରାନ୍ତରେ ଅବଗତ କରାଯିବା ସହ ପୁଲିସ୍ରେ ଅଭିଯୋଗ କରାଯାଇଥିଲା। ଏନେଇ ଶିବମୂର୍ତ୍ତିଙ୍କ ସମେତ ୫ ଜଣଙ୍କ ନାଁରେ ଏଫଆଇଆର କରାଯାଇଥିଲା।
ମୁରୁଘା ମଠଦ୍ୱାରା ପରିଚାଳିତ ହଷ୍ଟେଲରେ ରହୁଥିବା ୧୫ ଓ ୧୬ ବର୍ଷୀୟ ଏହି ଦୁଇ ନାବାଳିକା ସାଢ଼େ ୩ ବର୍ଷରୁ ଅଧିକ ସମୟ ହେବ ଯୌନ ନିର୍ଯାତନାର ଶିକାର ହୋଇଆସୁଥିଲେ। ଅନେକ ବର୍ଷ ହେଲାଣି ମଠରେ ଏଭଳି ଅପକର୍ମ ଚାଲିଛି। କିନ୍ତୁ ଭୟରେ ପିଲାମାନେ କିଛି କହି ପାରୁନାହାନ୍ତି। ଆମେ କୌଣସି ଚାପ ଅଥବା ଧମକ ଭୟରେ ଡରିବୁ ନାହିଁ। ପିଲାମାନଙ୍କର ଅଧିକାର ସୁରକ୍ଷିତ ରଖିବା ସମାଜର କର୍ତ୍ତବ୍ୟ। ଆମେ ଏଥିପ୍ରତି ପ୍ରତିବଦ୍ଧ ବୋଲି ଏନ୍ଜିଓ ସଂସ୍ଥା ‘ଓଦାନାଦି ସେବା ସମିତି’ର ମୁଖ୍ୟ କହିଥିଲେ।
The post ଦୁଷ୍କର୍ମ ଅଭିଯୁକ୍ତ ମହନ୍ତଙ୍କୁ ଗିରଫ କଲା ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/2wfBgDZ
No comments:
Post a Comment