ବାଲିଗୁଡ଼ା(ଅଜିତ ନାୟକ): ନିଜ ପ୍ରେମିକାକୁ ଦେଖା କରିବା ପାଇଁ ବୌଦ୍ଧରୁ କନ୍ଧମାଳକୁ ଦୌଡ଼ି ଆସିଥିଲା ପ୍ରେମିକ। ମନରେ ଥିଲା ଅନେକ ସ୍ୱପ୍ନ ଓ କହିବାକୁ ଥିଲା ଅନେକ କଥା। ହେଲେ ତାହା ପୂରଣ ହେଲା ନାହିଁ। ଶେଷରେ ନିଜର ଜୀବନ ଚାଲିଗଲା। ପ୍ରେମିକାର ପରିବାର ଲୋକେ ନୃଶଂସ ଭାବେ ହତ୍ୟା କରି ଅଖାରେ ପୁରାଇ ଜଙ୍ଗଲରେ ପୋଫାଡି ଦେଲେ। ମୃତ୍ୟୁର ୧୦ଦିନ ପରେ ଜଙ୍ଗଲୁ ପ୍ରେମିକର ମୃତଦେହ ଉଦ୍ଧାର କରାଗଲା। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଲଣ୍ଡାଗାଁ ପୁଟୁକିପାଲି ଗାଁରେ। ଉକ୍ତ ଯୁବକ ଜଣଙ୍କ ହେଲେ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଗାଁର ସୁକଦେବ ରଣା। ପୁଲିସ ଘଟଣାର ତଦନ୍ତ କରି ପ୍ରେମିକାର ବାପା ଦୁଃଶାସନ ମଲିକ ସମେତ ସଂପର୍କୀୟ ଦୁଇ ଭାଇ ଗିରିଷ ମଲିକ ଓ ନୀଳବନ୍ତ ମଲିକଙ୍କୁ ଗିରଫ କରିଥିଲା।
ସୂଚନା ଅନୁସାରେ, ସୁକଦେବ ଗତ ମାସ ୨୬ ତାରିଖରେ ବାଇକ୍ ଯୋଗେ ତାଙ୍କର ଜଣେ ସାଙ୍ଗକୁ ନେଇ ଲଣ୍ଡାଗାଁ ପୁଟୁକିପାଲି ଗାଁକୁ ପ୍ରେମିକାକୁ ଦେଖା କରିବାକୁ ଆସିଥିଲେ। ସାଙ୍ଗ ବାଇକ ନେଇ ଘରକୁ ଫେରିଥିବା ବେଳେ ସେ ଲଣ୍ଡାଗାଁରେ ରହିଯାଇଥିଲେ। ପ୍ରେମିକାର ପରିବାର ଲୋକେ ସୁକଦେବଙ୍କୁ ଗାଁରେ ଦେଖି ଦେଇଥିଲେ। ଭଭୟଙ୍କ ପ୍ରେମ ସମ୍ପର୍କକୁ ପରିବାର ଲୋକ ପସନ୍ଦ କରୁ ନଥିଲେ। ପ୍ରେମିକାର ବାପା ଦୁଃଶାସନ ସୁକଦେବଙ୍କୁ ତାଙ୍କ ଝିଅ ସହ କୌଣସି ସମ୍ପର୍କ ନ ରଖିବା ପାଇଁ ବାରଣ କରି ଆସୁଥିଲେ। ଏହାପରେ ବି ସୁକଦେବଙ୍କୁ ନିଜ ଗାଁରେ ଦେଖି ସେ ଉତକ୍ଷିପ୍ତ ହୋଇପଡ଼ିଥିଲେ। ପରେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।
ପରେ ଦୁଃଶାସନ କିଛି କଥା ହେବା ବାହାନାରେ ସୁକଦେବଙ୍କୁ ନିକଟସ୍ଥ ଜଙ୍ଗଲକୁ ଡାକି ନେଇ ଥିଲେ। ସେଠାରେ ଦୁଃଶାସନଙ୍କ ସମେତ ଗିରିଷ ଓ ନୀଳବନ୍ତ ସୁକଦେବଙ୍କୁ ପିଟି ପିଟି ହତ୍ୟା କରିଥିଲେ। ପରେ ଏକ ଅଖାରେ ମୃତଦେହକୁ ପୁରାଇ ଜଙ୍ଗଲରେ ଫୋପାଡ଼ି ଦେଇଥିଲେ।
ଅନ୍ୟପଟେ ସୁକଦେବ ନିଖୋଜ ଥିବା ନେଇ ପରିବାର ଲୋକେ ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ କରିଥିଲା। ତଦନ୍ତରୁ ଘଟଣା ସଂପର୍କରେ ଜଣାପଡ଼ିଥିଲା। ପରେ ପୁଲିସ ପ୍ରେମିକାର ବାପା ସମେତ ସଂପର୍କୀୟ ଦୁଇ ଭାଇଙ୍କୁ ଗିରଫ କରିଥିଲା।
ଗତକାଲି ପୁଲିସ ଅଭିଯୁକ୍ତମାନଙ୍କୁ ହତ୍ୟା ସ୍ଥଳକୁ ନେଇ ସିନ ରିକ୍ରିଏସନ କରିଥିଲା। ଅଭିଯୁକ୍ତମାନେ ପୁଲିସ ନିକଟରେ ସବୁ କଥା ଓଗାଳିଥିଲେ। ପୁଲିସ ସୁକଦେବଙ୍କ ଖପୁରୀ ଓ ହାଡ଼କୁ ଜବତ କରି ଥିଲା।
ହାଡ଼, ଖପୁରୀ ଆଦିକୁ ଅଧିକ ପରୀକ୍ଷା ଲାଗି ବ୍ରହ୍ମପୁର ଏମକେସିଜି ଏଫଏମଟିକୁ ପଠା ଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ହତ୍ୟାକାଣ୍ଡରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ରହିଛି, ସେ ନେଇ ବାଲିଗୁଡା ପୋଲିସ ଅଧିକ ତଦନ୍ତ ଚଳାଇଛି।
The post ପ୍ରେମିକାକୁ ଦେଖା କରିବାକୁ ଆସି ନିଖୋଜ ଥିଲେ, ମିଳିଲା ଖପୁରୀ,ହାଡ଼ appeared first on Odisha Reporter.
from Odisha Reporter https://ift.tt/ZrHkx8J
No comments:
Post a Comment