ଲଖିମପୁର ଖେରି: ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଛି ଦୁଇ ନାବାଳିକା ଦଳିତ ଭଉଣୀଙ୍କ ମୃତଦେହ। ଏହାକୁ ନେଇ ଉତ୍ତର ପ୍ରଦେଶର ଲଖିମୁପର ଖେରିରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ପୁଲିସ୍ ଲୋକଙ୍କୁ ବୁଝାସୁଝା କରିବା ସହ ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଘଟଣାରେ ଦାଖଲ ହୋଇଥିବା ଏଫଆଇଆର୍ରେ ଜଣେ ଅଭିଯୁକ୍ତଙ୍କ ନାଁ ରହିଥିବା ବେଳେ ୩ ଜଣ ଅଜଣା ଦୁର୍ବୃତ୍ତ ବୋଲି ଉଲ୍ଲେଖ କରାଯାଇଛି। ପୀଡ଼ିତାଙ୍କ ମା’ କହିଛନ୍ତି ଯେ ତାଙ୍କର ଦୁଇ ଝିଅଙ୍କୁ କିଛି ଲୋକ ବଳପୂର୍ବକ ମୋଟରସାଇକେଲରେ ଉଠାଇ ନେଇଥିଲେ। ସେ ଏହାକୁ ବିରୋଧ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଦୁର୍ବୃତ୍ତମାନେ ଦୁଇ ଝିଅଙ୍କୁ ଉଠାଇ ନେଇଥିବାରୁ ପରିବାର ଲୋକ ସେମାନଙ୍କୁ ଖୋଜିବାରେ ଲାଗିଥିଲେ। ଶେଷରେ ବୁଧବାର ଅପରାହ୍ନରେ ଦୁଇ ଝିଅଙ୍କ ମୃତଦେହ ଗୋଟିଏ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା।
ପୁଲିସ୍ ଅଭିଯୁକ୍ତମାନଙ୍କ ନାଁରେ ଦୁଷ୍କର୍ମ ଓ ହତ୍ୟା ସହ ଜଡ଼ିତ ଆଇପିସିର ବିଭିନ୍ନ ଦଫା ଓ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି। ଲକ୍ଷ୍ନୌ ରେଞ୍ଜର ଆଇଜିପି ଲକ୍ଷ୍ମୀ ସିଂହ କହିଛନ୍ତି, ଦୁଇ ନାବାଳିକା ନିଜ ନିଜର ଦୁପଟାରେ ଝୁଲି ରହିଥିଲେ। ସେମାନଙ୍କ ଶରୀରରେ କୌଣସି ପ୍ରକାରର କ୍ଷତ ଚିହ୍ନ ନାହିଁ। ପୁଲିସ୍ ଖବର ପାଇ ପୀଡ଼ିତାଙ୍କ ପରିବାର ଲୋକଙ୍କ ପାଖକୁ ଯାଇଥିଲା।
ହେଲେ ସେଠାରେ ଲୋକମାନେ ରାସ୍ତା ରୋକ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରାଜି ହୋଇ ନଥିଲେ। ବହୁ ବୁଝାସୁଝା ପରେ ସେମାନେ ରାସ୍ତାରୋକ ବନ୍ଦ କରିଥିଲେ ଓ ଶବ ବ୍ୟବଚ୍ଛେଦ ପାଇଁ ଅନୁମତି ଦେଇଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ପୁଲିସ୍ ଘଟଣାର ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଥିବା ସେ କହିଛନ୍ତି।
ଏହା ପୂର୍ବରୁ ୟୁପିର ବଦାଉଁରେ ୨୦୧୪ରେ ସମାନ ଘଟଣା ଘଟିଥିଲା। ଏଠାରେ ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତଦେହ ଗଛରୁ ମିଳିବା ପରେ ଉତ୍ତେଜନା ଦେଖାଯାଇଥିଲା। ଏବେ ଲଖିମପୁର ଖେରିରେ ସମାନ ଘଟଣା ଘଟିବାରୁ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଯାଇଛି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ କ୍ଷମତାସୀନ ଯୋଗୀ ସରକାରଙ୍କୁ ବିରୋଧୀ ସମାଜବାଦୀ ପାର୍ଟି ଓ କଂଗ୍ରେସ ତୀବ୍ର ସମାଲୋଚନା କରିଛନ୍ତି।
The post ଗଛରୁ ମିଳିଲା ଦୁଇ ଉଭଣୀଙ୍କ ଝୁଲନ୍ତା ମୃତଦେହ, ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ appeared first on Odisha Reporter.
from Odisha Reporter https://ift.tt/9dMpPAc
No comments:
Post a Comment