ମୀରଟ: ସେନା ବାହିନୀରେ ସର୍ତ୍ତମୂଳକ ନିଯୁକ୍ତି ପାଇଁ ଆରମ୍ଭ ହୋଇଥିବା ଅଗ୍ନିବୀର ଯୋଜନା ନାଁରେ ଦୁର୍ନୀତି। ସେନାରେ ଅଗ୍ନିବୀର ଭାବେ ନିଯୁକ୍ତି ମିଳିବାର ଆଶା ଦେଖାଇ ଲକ୍ଷଲକ୍ଷ ଟଙ୍କା ହରିଲୁଟ କରଥିବା ୪ ଜଣଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୁଲିସ୍। ରାଜ୍ୟ ପୁଲିସ୍କୁ ମିଲିଟାରୀ ଇଣ୍ଟେଲିଜେନ୍ସ ଗିରଫଦାରୀରେ ସବୁ ପ୍ରକାରର ସହାୟତା କରିଛି।
ଗିରଫ ୪ ଜଣଙ୍କ ମଧ୍ୟରେ ଜଣେ କାର୍ଯ୍ୟରତ ଯବାନଙ୍କ ବାପା ରହିଛନ୍ତି। ସେ ହେଉଛନ୍ତି ୫୭ ବର୍ଷୀୟ ସିକନ୍ଦର ସିଂହ। ପେଶାରେ ସେ ଜଣେ ଓକିଲ। ସିକନ୍ଦର ପୂରା ରାକେଟର ମାଷ୍ଟରମାଇଣ୍ଡ ହୋଇଥିବା ବେଳେ ତାଙ୍କୁ ଆଉ ୩ ଜଣ ସହଯୋଗ କରୁଥିଲେ। ମୁଜାଫରନଗର ପୁଲିସ୍ ସିକନ୍ଦରଙ୍କ ସମେତ ସେନା ଆଶାୟୀଙ୍କୁ ପ୍ରଲୋଭିତ କରି ଲକ୍ଷାଧିକ ଟଙ୍କା ଲୁଟ କରିଥିବା ପ୍ରଶାନ୍ତ ଚୌଧୁରୀ, ଅନୁଜ ସିଂହ ଓ ହିଂମାଶୁ ଚୌଧୁରୀଙ୍କୁ ଗିରଫ କରିଛି।
ଏହି ଘଟଣାର ଦୁଇ ଦିନ ପୂର୍ବରୁ ଉତ୍ତର ପ୍ରଦେଶ ଏସ୍ଟିଏଫ ମୀରଟରୁ ଜଣେ ଯବାନଙ୍କୁ ଗିରଫ କରିଥିଲା। ସେ ଅଗ୍ନିବୀର ଆଶାୟୀଙ୍କୁ ମେଡିକାଲ ଟେଷ୍ଟରେ ପାସ୍ କରାଇ ଦେବାର ପ୍ରତିଶ୍ରୁତି ଦେଇ ୫ ଲକ୍ଷ ଟଙ୍କା ଲେଖାଏ ଦାବି କରିଥିଲେ। ଏହାର ଖୋଳତାଡ଼ ଚାଲିଥିବା ବେଳେ ଏବେ ୪ ଜଣିଆ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି।
ମୁଜାଫରନଗର ଏସଏସ୍ପି ବିନୀତ ଜୈସ୍ୱାଲ କହିଛନ୍ତି, ପୂରା ରାକେଟର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ସେପ୍ଟେମ୍ବର ୨୭ ତାରିଖ ରାତିରୁ ଅପରେସନ ଆରମ୍ଭ ହୋଇଥିଲା। ଏହାପରେ ମିଲିଟାରୀ ଇଣ୍ଟେଲିଜେନ୍ସ ଓ ବାରାଉତ ପୁଲିସ୍ର ମିଳିତ ଟିମ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ଗିରଫ ସିକନ୍ଦରଙ୍କ ଘର ବାଘପତରେ ହୋଇଥିବା ବେଳେ ଅନୁଜଙ୍କ ଘର ମୋରଦାବାଦ ଅଞ୍ଚଳରେ। ବାକି ଦୁଇ ଜଣ ସମ୍ଭଲ ଜିଲ୍ଲାର।
ସେମାନେ ନକଲି କାଗଜପତ୍ର ଦ୍ୱାରା ଅଗ୍ନିବୀର ଆର୍ମି ନିଯୁକ୍ତି ପ୍ରକ୍ରିୟାରେ ଆଶାୟୀଙ୍କ ଆଡମିଶନ କରାଉଥିଲେ। ଅଗ୍ନିବୀର ପାଇଁ ଧାର୍ଯ୍ୟ ବୟସସୀମା ଅତିକ୍ରମ କରି ସାରିଥିବା ଆଶୟୀଙ୍କୁ ନକଲି ଦସ୍ତାବିଜ୍ ଦିଆଯାଉଥିଲା। ଏଥିପାଇଁ ଜଣଙ୍କ ପିଛା ଅଭିଯୁକ୍ତମାନେ ୧.୫ ଲକ୍ଷରୁ ୨ ଲକ୍ଷ ଯାଏ ଟଙ୍କା ନେଉଥିଲେ।
ଅଗ୍ନିବୀର ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ପାଖରେ ଅଭିଯୁକ୍ତମାନେ ପହଞ୍ଚୁଥିଲେ। ଏହାପରେ ସେମାନଙ୍କୁ ନିଶ୍ଚିତ ନିଯୁକ୍ତିର ପ୍ରତିଶ୍ରୁତି ଦେଇ ଟଙ୍କା ହଡ଼ପ କରୁଥିଲେ। ସ୍କ୍ରିନିଂ ଡକ୍ୟୁମେଣ୍ଟ, ଫିଜିକାଲ, ମେଡିକାଲ ପରୀକ୍ଷା ଓ ରିଟିନ ଟେଷ୍ଟରେ ପାସ୍ କରାଇ ଦେବାକୁ ସେମାନେ ଆଶାୟୀଙ୍କୁ ଆଶା ଦେଉଥିଲେ। ଏହି ସବୁ ପ୍ରକ୍ରିୟା ପାଇଁ ଜଣେ ଆଶାୟୀଙ୍କ ଠାରୁ ୫ରୁ ୬ ଲକ୍ଷ ଟଙ୍କା ନିଆଯାଉଥିଲା ବୋଲି ସେ କହିଛନ୍ତି।
The post ଅଗ୍ନିବୀର ଦୁର୍ନୀତି: ଯବାନଙ୍କ ବାପା ଓ ଅନ୍ୟ ୩ ଜଣଙ୍କୁ ବାନ୍ଧିଲା ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/BkwNGpF
No comments:
Post a Comment