ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନ ପୂର୍ବେ ଓଡ଼ିଶା ବିଜେପି ପ୍ରଭାରୀ ଦାୟିତ୍ୱ ପାଇଥିବା ସୁନୀଲ ବଂଶଲ ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆଜି ଅପରାହ୍ନ ଗୋଟାଏରେ ଭୁବନେଶ୍ୱରରେ ପହଞ୍ଚିବେ ବଂଶଲ । ସୁନୀଲ ବଂଶଲଙ୍କ ସ୍ୱାଗତ ସମ୍ବର୍ଦ୍ଧନା ନିମନ୍ତେ ଜୋରଦାର ପ୍ରସ୍ତୁତି ଚାଲିଛି। ଭୁବନେଶ୍ୱର ଏୟାରପୋର୍ଟରେ ବିଜେପିର ଶତାଧିକ କର୍ମୀ ଓ ନେତା ତାଙ୍କୁ ସ୍ୱାଗତ କରିବେ। ଏହାପରେ ଦଳର ସଭାପତି, ବରିଷ୍ଠ ନେତା ଓ ପଦାଧିକାରୀଙ୍କ ସହ ସୁନୀଲ ବଂଶଲ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।
ଆସନ୍ତାକାଲି ଦଳୀୟ ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସହ ସୁନୀଲ ବଂଶଲଙ୍କ ପୃଥକ ପୃଥକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ବିଜେପିର ସଂଗଠନ ଓ ୨୦୨୪ ନିର୍ବାଚନ ରଣନୀତି ଉପରେ ଆଲୋଚନା ହେବ । ଓଡିଶା ଦାୟିତ୍ୱ ନେବାପରେ ସୁନୀଲ ବଂଶଲଙ୍କ ଏହା ପ୍ରଥମ କାର୍ଯ୍ୟକ୍ରମ ।
ଏନେଇ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ସୁନୀଲ ବଂଶଲ ଆଜି ଓଡ଼ିଶାରେ ପହଞ୍ଚିବା ପରେ ଜିଲ୍ଲାର ସଭାପତି ଓ ପ୍ରଭାରୀଙ୍କ ସହ ଆଲୋଚନା କରିବେ। ଏହାପରେ ପୁଙ୍ଖାନୁପୁଙ୍ଖ ଭାବେ ସାଙ୍ଗଠାନିକ ସ୍ତରୀୟ ଆଲୋଚନା କରିବେ। ମୁଖ୍ୟତଃ ଆଗାମୀ ନିର୍ବାଚନ ଫୋକସରେ ରହିବ । ଆଗାମୀ ନିର୍ବାଚନ ନିମନ୍ତେ ପାର୍ଟିକୁ ଫୁଲ୍ ଦମରେ ପ୍ରସ୍ତୁତ କରିବାକୁ ଯୋଜନା ଓ ରଣନୀତି ପ୍ରସ୍ତୁତ କରି ତାହାକୁ କାର୍ଯ୍ୟକାରୀ କରିବା ପାଇଁ ସୁନୀଲ ବଂଶଲଙ୍କ ଗସ୍ତ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
ସୂଚନା ଥାଉକି, ସୁନୀଲ ବଂଶଲଙ୍କ ଗୁରୁତ୍ୱପୂର୍ଣ୍ଣ ରଣନୀତି ପାଇଁ ବିଜେପି ୨୦୧୪ ଉତ୍ତରପ୍ରଦେଶ ନିର୍ବାଚନକୁ ଜିତି ନେଇଥିଲା। ଯାହା ପରେ ସେ କେନ୍ଦ୍ର ବିଜେପି ରାଜନୀତିରେ ସକ୍ରିୟ ଭୂମିକା ନେଇଛନ୍ତି। ବିଜେପି ତାଙ୍କୁ ଗୁରୁପଦବୀ ସହ ଦାୟିତ୍ୱ ଦେଇଛି। ତାଙ୍କୁ ଦଳ ପକ୍ଷରୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ପ୍ରଭାରୀ ଦାୟିତ୍ୱ ଦେଇଛି। ଏହି ୩ ସ୍ଥାନରେ ବିଜେପି ସ୍ଥିତି ଅତ୍ୟନ୍ତ ଦୁର୍ବଳ ରହିଛି। ତେଣୁ ବଂଶଲଙ୍କ ଗୋଟି ଚାଳନା ଉପରେ ସମସ୍ତଙ୍କ ଦୃଷ୍ଟି ଆବଦ୍ଧ ହୋଇଛି।
The post ଆଜିଠୁ ଓଡ଼ିଶା ଗସ୍ତରେ ବିଜେପି ପ୍ରଭାରୀ, ଫୋକସ୍ରେ ରହିବ ନିର୍ବାଚନ ରଣନୀତି appeared first on Odisha Reporter.
from Odisha Reporter https://ift.tt/bYutZUA
No comments:
Post a Comment