ପାରାଦୀପ(ରମାକାନ୍ତ ଦାସ): ‘ଲୋକଙ୍କ ଟାହିଟାପରା ଅସହ୍ୟ ହେଲା। ମୋ’ ଝିଅ ମୁଣ୍ଡ ଟେକି ବାଟ ଚାଲି ପାରିଲାନି। ତେଣୁ ଜୀବନ ହାରିବାକୁ ନିଷ୍ପତ୍ତି ନେଇ ରେଳ ଲାଇନ୍କୁ ଗଲା। ହେଲେ ସୌଭାଗ୍ୟବଶତଃ ମୋ’ ଝିଅ ବଞ୍ଚି ଯାଇଛି। ୨ ଜଣ ସହୃଦୟ ଯୁବକ ମୋ’ ଝିଅକୁ ଉଦ୍ଧାର କରି ଜଣେ ବୃଦ୍ଧାଙ୍କ ଘରେ ଛାଡ଼ିଛନ୍ତି।’ ଗଣଦୁଷ୍କର୍ମର ଶିକାର ହେବା ପରେ ୨ ଦିନ ହେବ ନିଖୋଜ ଥିବା ପାରାଦୀପ ଅଞ୍ଚଳର ଆଶାକର୍ମୀଙ୍କ ବାପା ଆଜି ଝିଅକୁ ଠାବ କରିଥିବା ନେଇ ଏପରି ସୂଚନା ଦେଇଛନ୍ତି ତାଙ୍କ ବାପାମା’। ପାରାଦୀପଠୁ ୨୦ କିମି ଦୂର ଗଡ଼କୁଜଙ୍ଗରେ ଆଶା କର୍ମୀଜଣଙ୍କୁ ଠାବ କରାଯାଇଥିବା ତାଙ୍କ ବାପା ସୂଚନା ଦେଇଛନ୍ତି।
ପୀଡ଼ିତା ଆଶାକର୍ମୀଙ୍କ ବାପା ଦେଇଥିବା ସୂଚନା ଅନୁଯାୟୀ, ‘ଆଜି ସକାଳୁ ଏକ ଅଜଣା ନମ୍ବରରୁ ଫୋନ୍ କରି ଝିଅ କଥା ହୋଇଛି । ସେ ଗଡ଼କୁଜଙ୍ଗରେ ଜଣେ ବୃଦ୍ଧାଙ୍କ ଘରେ ଆଶ୍ରୟ ନେଇଥିବା ଜଣାଇଛି।’ ଖବର ପାଇ ଝିଅକୁ ଆଣିବାକୁ ଗଡ଼କୁଜଙ୍ଗ ଯାଉଥିବା କହିଛନ୍ତି ତାଙ୍କ ବାପା ।
ତାଙ୍କ ବାପା ଦେଇଥିବା ସୂଚନା ଅନୁଯାୟୀ , ଶନିବାର ନିଜ କାମରେ ଝିଅ ଘରୁ ବାହାରି ଯାଇଥିଲା। ମାତ୍ର ବାଟରେ ଲୋକଙ୍କ ଟାହିଟାପରା ଶୁଣି ମାନସିକ ଭାବେ ଭାଙ୍ଗି ପଡ଼ିଥିଲା। ଏପରିକି ଆତ୍ମହତ୍ୟା କରିବାକୁ ସ୍ଥିର କରି ଚଟୁଆ ପାଖ ରେଳ ଲାଇନ୍କୁ ଯାଇଥିଲା। ସେଠାରେ ବସି କାନ୍ଦୁଥିବା ବେଳେ ଢିଙ୍କିଆ ଅଞ୍ଚଳର ୨ ଯୁବକ ଝିଅ ସହ କଥା ହୋଇଥିଲେ। ଏହାପରେ ସେମାନେ ଝିଅକୁ ସେଠାରୁ ନେଇ ଗଡ଼କୁଜଙ୍ଗରେ ଜଣେ ବୃଦ୍ଧାଙ୍କ ଘରେ ଛାଡ଼ିଥିଲେ। ସେଠାରେ ସେ ଥିବା ବେଳେ ଆଜି ସକାଳେ ପରିବାର ସହ ଯୋଗାଯୋଗ କରିଛି।
ସୂଚନାଯୋଗ୍ୟ, ଗତମାସ ୨୬ ତାରିଖରେ ଜଣେ ଆଶାକର୍ମୀଙ୍କୁ ଏକୁଟିଆ ପାଇ ୪ ଜଣ ଯୁବକ ଏକ କାର୍ରେ ତାଙ୍କୁ ଅପହରଣ କରି ନେଇଥିଲେ। ସେମାନେ ସମ୍ପୃକ୍ତ ଆଶା କର୍ମୀଙ୍କୁ ନେହରୁବଙ୍ଗଳା ଅଞ୍ଚଳରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପାରାଦୀପ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ୨ଟି ପର୍ଯ୍ୟାୟରେ କୋର୍ଟଚାଲାଣ କରିଥିଲା।
ଏହାପରେ ଗତ ଶନିବାରଠୁ ଆଶାକର୍ମୀଜଣଙ୍କ ନିଖୋଜ ଥିବା ବେଳେ ଏନେଇ ତାଙ୍କ ବାପା ଜଟାମୁହାଣ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଥିବା ବେଳେ ଆଜି ସକାଳୁ ଝିଅର ସନ୍ଧାନ ମିଳିଥିବା କହିଛନ୍ତି ପୀଡ଼ିତାଙ୍କ ବାପା।
The post ଗଣଦୁଷ୍କର୍ମର ଶିକାର ଆଶାକର୍ମୀଙ୍କ ସନ୍ଧାନ ମିଳିଲା, ବାପା କହିଲେ- ଜୀବନ ହାରିବାକୁ ଯାଇଥିଲା ଝିଅ, ହେଲେ… appeared first on Odisha Reporter.
from Odisha Reporter https://ift.tt/fiwtcH0
No comments:
Post a Comment