ନବରଙ୍ଗପୁର(ନବଘନ ବିଶୋୟୀ): କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଓ ମହିଳାଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା । ଶେଷରେ ବଦଳିଲେ ନବରଙ୍ଗପୁର ASP ଜୟକୃଷ୍ଣ ବେହେରା । କଟକ କମ୍ୟୁନିକେସନ ASP ଭାବେ ବଦଳି ଆଦେଶନାମା ଜାରି କଲେ ରାଜ୍ୟ ଓଡିଶା ପୁଲିସ ଡିଜି ।
ସୂଚନା ଅନୁଯାୟୀ, ବରଗଡ଼ର ଜଣେ ଯୁବତୀଙ୍କର ପାପଡ଼ାହାଣ୍ଡି ବ୍ଲକର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା ବେଳେ ସେ ନିଜ ଘରୁ ଏଠାକୁ ପଳାଇଥିଲେ। ଏନେଇ ଯୁବତୀଙ୍କ ମା’ବାପା ଝିଅ ନିଖୋଜ ନେଇ ବରଗଡ଼ ଥାନାରେ ମାମଲା ରୁଜୁ କରିଥିଲେ। ବରଗଡ଼ ପୁଲିସ୍ ଏ ନେଇ ନବରଙ୍ଗପୁର ପୁଲିସ୍ ସହ ଯୋଗାଯୋଗ କରିଥିଲା।
ଏହାପରେ ଘଟଣାର ତଦନ୍ତ କରି ନବରଙ୍ଗପୁର ASP ଜୟକୃଷ୍ଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଗତ ୧୪ ତାରିଖରେ ପାପଡ଼ାହାଣ୍ଡିସ୍ଥିତ ଯୁବକଙ୍କ ଘରେ ପଶିଥିଲେ। ଏହାପରେ ଉଭୟ ଯୁବକ ଓ ଯୁବତୀଙ୍କ ଜୋରଜବରଦସ୍ତ ଥାନାକୁ ନେବାକୁ ଚେଷ୍ଟା କରିଥିଲେ। ଯୁବତୀଜଣକ ସାବାଳିକା ହୋଇଥିବାରୁ ଯିବାରୁ ଅମଙ୍ଗ ହୋଇଥିଲେ। ମାତ୍ର ପୁଲିସ୍ ଅଧିକାରୀ ତାଙ୍କୁ ଜବରଦସ୍ତି ଭାବେ ଥାନା ଗାଡ଼ିରେ ବସାଇ ନେଇଥିଲେ। ଏହାକୁ ଯୁବକଙ୍କ ପରିବାରର ମହିଳାମାନେ ବାରଣ କରିବାରୁ ସେମାନଙ୍କୁ ଅସଦାଚରଣ କରିଥିଲେ ASP ଜୟକୃଷ୍ଣ ବେହେରା ।
ଏହି ସମୟରେ ସେଠାରେ ଗଣମାଧ୍ୟମ ପ୍ରତିନିଧୀ ପହଞ୍ଚି ଯୁବତୀଜଣକ ସାବାଳିକା ହୋଇଥିବାରୁ ତାଙ୍କୁ କାହିଁକି ନେଉଛନ୍ତି ବୋଲି ପଚାରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ASP ଏକ ପ୍ଲାଷ୍ଟିକ ପାଇପ୍ରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ପ୍ରବଳ ପିଟିଥିଲେ।
ଗଣତନ୍ତ୍ରର ଚୁତର୍ଥ ସ୍ତମ୍ଭ ଉପରେ ଆକ୍ରମଣକୁ ନେଇ ତାତିଥିଲେ ଗଣମାଧ୍ୟମର ପ୍ରତିନିଧୀ । ଏପରିକି ଏଏସ୍ପି ଜୟକୃଷ୍ଣ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପାପଡାହାଣ୍ଡି ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ପରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଘଟଣାସ୍ଥଳକୁ ଆସି ଧାରଣାରତ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ୧୦ ଦିନରେ କାର୍ଯ୍ୟନୁଷ୍ଠାନ ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଓହରିଥିଲେ ସାମ୍ବାଦିକ।
ଜିଲ୍ଲା ସାମ୍ବାଦିକ ୟୁନିୟନ ତରଫରୁ ସପ୍ତାହକ ମଧ୍ୟରେ ଏଏସ୍ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତି ବ୍ଲକର ବିଡିଓଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କୁ ଦାବିପତ୍ର ପ୍ରେରଣ କରାଯାଇଥିଲା। ଆଜି ଏଏସ୍ପିଙ୍କ ବଦଳି ନେଇ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ସୂଚନାଯୋଗ୍ୟ, ନିଜ ଦବଙ୍ଗଗିରି ପାଇଁ ବେଶ୍ କିଛି ଦିନ ହେଲା ଚର୍ଚ୍ଚାରେ ରହି ଆସୁଥିଲେ ନବରଙ୍ଗପୁର ASP ଜୟକୃଷ୍ଣ ବେହେରା । । ପ୍ରାୟ ୧୫ ଦିନ ତଳେ ଉମରକୋଟରେ ଶ୍ମଶାନ ବିବାଦକୁ ନେଇ ବୟସ୍କଙ୍କ ଉପରେ ଲାଠି ଚାର୍ଜ କରିଥିଲେ। ଏହାକୁ ନେଇ ଲୋକେ ଉତ୍କ୍ଷିପ୍ତ ହୋଇ ପଡ଼ିଥିଲେ। ଏବେ ସାମ୍ବାଦିକଙ୍କୁ ଆକ୍ରମଣ ତାଙ୍କୁ ମହଙ୍ଗା ପଡ଼ିଛି।
The post ସାମ୍ବାଦିକଙ୍କ ଉପରେ ଦେଖାଉଥିଲେ ଦବଙ୍ଗଗିରି, ବଦଳିଲେ ନବରଙ୍ଗପୁର ଏଏସ୍ପି appeared first on Odisha Reporter.
from Odisha Reporter https://ift.tt/nDkb5OX
No comments:
Post a Comment