ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳର ବାଘପାଲି ଜଙ୍ଗଲରେ ଏକ କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ଗିରଫଦାରୀ ସଂଖ୍ୟା ୬ରେ ପହଞ୍ଚିଛି। ଏହାବାଦ ଏହି ଘଟଣାରେ ସମ୍ପୃକ୍ତ ଆହୁରି ୬ ଜଣ ଏବେବି ରାଜ୍ୟ ବାହାରକୁ ଫେରାର ହୋଇ ଯାଇଥିବାରୁ ସେମାନଙ୍କୁ ଗିରଫ କରାଯାଇପାରିନି। ଗିରଫ ଅଭିଯୁକ୍ତଙ୍କଠାରୁ ମୃତ ବାଘର ନଖ, ଦାନ୍ତ ଓ ପାଦ ଜବତ ହୋଇଛି। ହେଲେ ସବୁ ନଖ ଏ ଯାଏ ଜବତ ହୋଇ ନ ଥିବାରୁ ବନ ବିଭାଗ ପକ୍ଷରୁ ତନାଘନା ଜାରି ରହିଛି। ଏପରିକି ଏହା ପଛରେ ଏକ ବଡ଼ ରାକେଟ କାମ କରୁଥିବା ଜଣାଯାଇଛି।
ଗତ ୧୩ ତାରିଖରେ ବାଘପାଲି ଜଙ୍ଗଲରେ ଗୋଟିଏ କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନ ବିଭାଗ ପକ୍ଷରୁ ବାଘର ମୃତଦେହ ଜବତ ସହ ତଦନ୍ତ ଆରମ୍ଭ ହୋଇଥିଲା । ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରି ସାରିଛି ବନ ବିଭାଗ ।
ମିଳିଥିବା ସୂଚନା ଅନୁସାରେ, ବାରହା ମାରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଘଟିର ମୃତ୍ୟୁ ହୋଇଯାଇଥିଲା । ଏହାପରେ ଶିକାରୀମାନେ ବାଘର ନଖ କାଟି ଫେରାର ହୋଇ ଯାଇଥିଲେ। ଏହି ଘଟଣାର ତଦନ୍ତ କରି ବନ ବିଭାଗ ବାଘପାଲି ଦୟା ମଠର ମଠାଧିସ ଦୟାସାଗର ଥାଟ୍ଟିଙ୍କ ସମେତ କୋଟସମଲାଇ ଗାଁର ସୁରେନ୍ଦ୍ର ପଧାନ,ବିଜୟ ଗରୁ, ନାକଡେଇଁ ଗାଁର ରାମଚନ୍ଦ୍ର ପୁରୋହିତ,ବାଘପାଲି ଗାଁର ପୁରେନ୍ଦ୍ର ଥାଟ୍ଟି ଏବଂ ସୋନପୁର ପଟାଭାଡିର ସତ୍ୟନାରାୟଣ ମେହେରଙ୍କୁ ଗିରଫ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିବ ବନ ବିଭାଗ ।
ଗିରଫ ୬ ଜଣଙ୍କଠାରୁ ମୃତ ବାଘର ନଖ, ଦାନ୍ତ ଏବଂ ୪ଗୋଟି ପାଦ ମିଳିଥିବା ଜଣାପଡିଛି । ଏପର୍ଯ୍ୟନ୍ତ ମୃତ ବାଘର ସବୁ ନଖ ମିଳି ପାରି ନାହିଁ। ଏହି ଘଟଣାରେ ଜଡିତ ଅନ୍ୟ ୬ ଅଭିଯୁକ୍ତ ଏବେବି ରାଜ୍ୟ ବାହାରକୁ ଫେରାର ମାରିଥିବାରୁ ବନ ବିଭାଗ ସେମାନଙ୍କୁ ଗିରଫ କରିପାରିନଥିବା ଜଣାଯାଇଛି । ଏନେଇ ବନ ବିଭାଗ ପକ୍ଷରୁ କୌଣସି ମତାମତ ମିଳିନାହିଁ ।
The post କଲରାପତରିଆ ବାଘ ମୃତ୍ୟୁ ଘଟଣା; ବନ୍ଧା ହେଲେଣି ୬, ନଖ, ଦାନ୍ତ ଓ ପାଦ ଜବତ appeared first on Odisha Reporter.
from Odisha Reporter https://ift.tt/i68JPYk
No comments:
Post a Comment