ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣତଃ ଅକ୍ଟୋବର ମାସ ଆସିଲେ ଓଡ଼ିଶାବାସୀଙ୍କ ମନରେ ବାତ୍ୟା ଛନକା ପଶେ। ତେଣୁ ଚଳିତ ବର୍ଷ ବି ଦ୍ୱିତୀୟ ସପ୍ତାହରେ ଏକ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଛି। ଫଳରେ ରାଜ୍ୟବାସୀଙ୍କୁ ବାତ୍ୟା ଭୟ ଘାରିଲାଣି। ହେଲେ ଏବେ ବାତ୍ୟା ଆସୁଥିବା ଖବରକୁ ଖଣ୍ଡନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଜାରି କରାଯାଇ ନ ଥିବା ସ୍ପଷ୍ଟ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ ।
ଏନେଇ ସେ କହିଛନ୍ତି, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ନେଇ କୌଣସି ସୂଚନା ଦିଆଯାଇନି। କେବଳ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ଗତ ଗୁରୁବାରଠାରୁ ସୂଚନା ଦିଆଯାଇଛି। ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ସୃଷ୍ଟି ହେବ ବୋଲି ସୂଚନା ଦିଆଯାଇଥିବା ବେଳେ କେବେ ଓ କେଉଁଠି ସୃଷ୍ଟି ହେବ ସେ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନି। ଏହାବାଦ ଘୂର୍ଣ୍ଣିବଳୟର ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ବି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇ ନାହିଁ।
ସୂଚନାଯୋଗ୍ୟ, ଆସନ୍ତା ୨୨ରେ ସମ୍ଭାବ୍ୟ ବାତ୍ୟା ‘ସିତରଙ୍ଗ’ ଆସୁଥିବା ନେଇ ବିଭିନ୍ନ ମଡେଲ ଆଧାରରେ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ହେଲେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। କେବଳ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ସୂଚନା ଦିଆଯାଇଛି। ହେଲେ ତାହାର ପ୍ରଭାବ ଓ ରୂପରେଖ କିପରି ରହିବ ୧୪ ପରେ ହିଁ ତାହାକୁ ଆକଳନ କରାଯାଇପାରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଲଗାତର କିଛି ବର୍ଷ ହେବ ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ମାଡ଼ି ଆସୁଥିବାରୁ ରାଜ୍ୟ ସରକାର ଏଥିନିମନ୍ତେ ପୂର୍ବ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ପ୍ରତି ବର୍ଷ ପରି ଚଳିତ ବର୍ଷ ବି ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି।
ବାତ୍ୟା ଋତୁ ପାଇଁ ପ୍ରସ୍ତୁତ ହେବାକୁ ଏହି ବୈଠକରେ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ଏସଓପି ଅନୁସାରେ ଆବଶ୍ୟକୀୟ ପଦାର୍ଥ, ଯନ୍ତ୍ରପାତି, ଉପକରଣ ଓ ମାନବ ସମ୍ବଳ ପ୍ରସ୍ତୁତ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।
ଅପରପକ୍ଷେ, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨ ଦିନ ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ଏହାବାଦ କିଛି ସ୍ଥାନରେ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଆଦି ଜିଲ୍ଲା ରହିଛି।
ଏହାପରେ ୧୩ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର।
ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟକୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିବା ବେଳେ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକ ନାହିଁ ବୋଲି ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି।
ଏପରି ଗୁଜବ ଯୋଗୁ ସାଧାରଣ ଲୋକେ ଭୟଭୀତ ହୋଇପଡ଼ୁଥିବା ବେଳେ ଏପରି ଗୁଜବରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ସ୍ପଷ୍ଟ କରାଯାଇଛି ଯେ,ବାତ୍ୟା ସମ୍ଭନ୍ଧରେ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରିହୋଇନାହିଁ । କୌଣସି ପାଣିପାଗ ଘଟଣା ସମ୍ବନ୍ଧରେ ୭ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ତେଣୁ ଗୁଜବଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।
ବାତ୍ୟା ସମ୍ଭନ୍ଧରେ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରିହୋଇନାହିଁ,
ଆହୁରି ମଧ୍ୟ କୌଣସି ପାଣିପାଗ ଘଟଣା ସମ୍ଭନ୍ଧରେ ୭ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ
ପାଣିପାଗ ସହ ଜଡିତ ସଠିକ ସୂଚନା ଦେବା ପାଇଁ ଆମେ ୨୪ଘଣ୍ଟା କାର୍ଯ୍ୟରତ
ତେଣୁ ଆପଣମାନେ “#ଗୁଜବ” ଠାରୁ ଦୁରେଇରୁହନ୍ତୁ pic.twitter.com/WTxjUkNiYW— Meteorological Centre, Bhubaneswar (@mcbbsr) October 12, 2022
The post ଏବେ ନାହିଁ ବାତ୍ୟା, ୧୪ ପରେ ସ୍ପଷ୍ଟ ହେବ appeared first on Odisha Reporter.
from Odisha Reporter https://ift.tt/XkZ87z9
No comments:
Post a Comment