ଜଗତସିଂହପୁର( ଓଡ଼ିଶା ରିପୋର୍ଟର): ଆଖି ବୁଜିଲେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଗାନ୍ଧୀ ଭାବେ ପରିଚିତ ବୟୋଜ୍ୟେଷ୍ଠ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସ । ମୃତ୍ୟୁ ବେଳକୁ ତାଙ୍କୁ ୧୦୫ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ବିଶ୍ୱନାଥ ଦାସ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି।
ବାଲିକୁଦା ଗାନ୍ଧୀ ଭାବେ ପରିଚିତ ଶ୍ରୀ ଦାସ ଛାତ୍ର ଜୀବନରୁ ମହାତ୍ମା ଗାନ୍ଧୀଙ୍କ ଡ଼ାକରାରେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ । ଭାରତଛାଡ ଆନ୍ଦୋଳନରେ ପ୍ରମୁଖ ଭୂମିକା ନେଇଥିବା ବିଶ୍ୱନାଥ ସହଯୋଗୀମାନଙ୍କ ସହ ମିଶି କଟକରେ ବ୍ରିଟିଶ ବିରୋଧୀ ସଭା କରିଥିଲେ । ଏହି ସମୟରେ ସେ ୨ ଥର ଜେଲ୍ ମଧ୍ୟ ଯାଇଥିଲେ ।
୨୦୧୨ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ତାଙ୍କୁ ରାଷ୍ଟ୍ରପତି ଭବନରେ ସ୍ଵତନ୍ତ୍ର ସୈନିକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ୨୦୨୦ କ୍ରାନ୍ତି ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ଵାରା ଦ୍ଵିତୀୟ ଥର ସମ୍ବର୍ଦ୍ଧିତ ହୋଇଥିଲେ ଏହି ମହାନ ସ୍ଵାଧୀନତା ସଂଗ୍ରାମୀ
ସଦା ସର୍ବଦା ଲୋକଙ୍କ ସୁଖ ଦୁଖଃର ସାଥୀ ହୋଇ ରହୁଥିଲେ ବିଶ୍ୱନାଥ ଦାସ । ତାଙ୍କର ନିଜ ଅଞ୍ଚଳ ପାଇଁ ଅତୁଳନୀୟ ଅବଦାନ ଥିଲା। ବୟସ ବାର୍ଦ୍ଧକ୍ୟ ସାଜିଥିଲା କିନ୍ତୁ ଲୋକ ସେବା ପାଇଁ ତାଙ୍କ ଦମ୍ଭ କମି ନ ଥିଲା। ଅନେକ୍ ଅନୁଷ୍ଠାନ ସହ ଜଡିତ ଥିବା ଏହି ବର୍ଷିଆନ୍ ସ୍ଵାଧୀନତା ସଂଗ୍ରାମୀଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇପଡ଼ିଛି ସମଗ୍ର ଜଗତସିଂହପୁର ଜିଲ୍ଲା।
The post ଆଖି ବୁଜିଲେ ବାଲିକୁଦା ଗାନ୍ଧୀ, ୧୦୫ ବର୍ଷରେ ପରଲୋକ appeared first on Odisha Reporter.
from Odisha Reporter https://ift.tt/mutOM1R
No comments:
Post a Comment